ରାଉରକେଲା: ଡେଲିମାର୍କେଟର ରାଜକୁମାର ମହାତୋ। ଜରିବ ଓ ଅନ୍ୟଜଣେ ସାଙ୍ଗ ସହ ବ୍ରାହ୍ମଣୀ ନଦୀର ତରକେରା ଡ୍ୟାମ୍‌କୁ ବୁଲିବାକୁ ଯାଇଥିଲେ। ରାଜକୁମାର ଓ ଜରିବ ଦୁହେଁ ପାଣିରେ ଗାଧୋଉଥିଲେ। ଅନ୍ୟଜଣେ ସାଙ୍ଗ ପାଣି ବାହାରେ ଦୁହିଁଙ୍କର ରିଲ୍‌ସ କରୁଥିଲେ। ପାଣିସୋତ୍ରରେ ଭାସିଯାଇ ରାଜକୁମାର ଓ ଜରିବଙ୍କର ମୃତ୍ୟୁ ହୋଇଯାଇଥିଲା। 

Advertisment

ସେମିତି ଗତ ମେ’ ଓ ନଭେମ୍ବରରେ ଦୁଇ ଛାତ୍ରଙ୍କର ଜୀବନ ଯାଇଥିଲା। ଏମିତି ପ୍ରତିବର୍ଷ ତେରକେରା ଡ୍ୟାମ୍‌ ୪ରୁ ୬ ମୁଣ୍ଡ ନେଉଥିଲେ ହେଁ, ଜିଲ୍ଲା ପ୍ରଶାସନର ଚେତା ପଶୁନି। କେବଳ ଲୋକଦେଖାଣିଆ କିଛି ସତର୍କସୂଚନା ଲେଖି କାମସାରି ଦେଇଛନ୍ତି। ପିକ୍‌ନିକ୍‌ ଋତୁରେ ସେମିତି କୌଣସି ଠୋସ୍‌ ପଦକ୍ଷେପ ନିଆଯାଉନି। ଜଣେହେଲେ ବି ଅଗ୍ନିଶମ କର୍ମଚାରୀ କିମ୍ବା ସ୍ଥାନୀୟ ପୁଲିସକୁ ଦେଖିବାକୁ ମିଳୁନି।

ଆହୁରି ପଢ଼ନ୍ତୁ:Elephant Herd Disaster:ଜନବସତି ମୁହାଁ ହାତୀପଲ: କ୍ଷତିଗ୍ରସ୍ତ ୧୦୫୩ ଗାଁ, ଉଜୁଡିଛି ୧୧୩୨ ଏକର ଫସଲ

ପରିବାର ଓ ସାଙ୍ଗସାଥୀଙ୍କ ସହ ପିକ୍‌ନିକ୍‌ କରିବାକୁ ଆସୁଥିବା ଜିଲ୍ଲା ଓ ବାହାରର ପର୍ଯ୍ୟଟକମାନେ ଯିଏ ଯେଉଁଠି ପାରୁଛି ବଣଭୋଜି କରୁଛନ୍ତି। ଏମିତି କିଛି ପର୍ଯ୍ୟଟକ ନଦୀମଝିରେ ଥିବା ପଥର ଉପରେ ଏକାଠି ବସି ଭୋଜିଭାତର ମଜା ଉଠାଉଛନ୍ତି। ସାଙ୍ଗସାଥୀଙ୍କ ସହ ରିଲ୍‌ସ ବନାଉଛନ୍ତି। ସେଲ୍‌ଫି ବି ନେଉଛନ୍ତି। ଦେଖିବାକୁ କେହି ନଥିବାରୁ ଦୈନନ୍ଦିନ ଏମିତି ଅସୁରକ୍ଷିତ ଭାବେ ବଣଭୋଜି ଚାଲୁଛି।

ମାନୁ ନାହାନ୍ତି ପର୍ଯ୍ୟଟକ

ବିଶେଷକରି ବୁଧବାର, ଶୁକ୍ରବାର ଓ ରବିବାର ଡ୍ୟାମ୍‌ ନିକଟରେ ନାହିଁନଥିବା ଭିଡ଼ ଜମୁଛି। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ହଜାରହଜାର ପର୍ଯ୍ୟଟକ ବଣଭୋଜି ସହ ନାଚଗୀତରେ ମଜା ନେଉଛନ୍ତି। କିଛି ପର୍ଯ୍ୟଟକ ପାଣି ଭିତରେ ପଶି ଗା‌ଧୋଇବାର ମଜା ଉଠାଉଛନ୍ତି। କେବଳ ସେତିକି ନୁହେଁ, ବାପାମା’ ସେମାନଙ୍କ ପିଲାଙ୍କ ସହ ଅସୁରିକ୍ଷତ ଭାବେ ନଦୀପାଣିରେ ପଶି ପଥର ଉପରେ ଯାଇ ବସୁଛନ୍ତି। ସେଠାରେ ରିଲ୍‌ସ କରିବା ସହ ଡ୍ୟାମ୍‌ର ସେଲ୍‌ଫି ନେଉଛନ୍ତି। ପର୍ଯ୍ୟଟକମାନଙ୍କୁ ବାରଣ କରାଯାଉଥିଲେ ହେଁ, ସେମାନେ ଶୁଣୁନାହାନ୍ତି।

ରବିବାର ଡ୍ୟାମ୍‌ରେ ଏମିତି କିଛି ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ପର୍ଯ୍ୟଟକମାନଙ୍କୁ ବୁଝାଇବାକୁ ପୁଲିସ କିଂବା କୌଣସି ଅଗ୍ନିଶମ କର୍ମଚାରୀଙ୍କୁ ଦେଖିବାକୁ ମିଳିନଥିଲା। ପୁଣିଥରେ ଅଘଟଣ ଘଟିବା ପୂର୍ବରୁ ଜିଲ୍ଲା ପୁଲିସ ଓ ପ୍ରଶାସନ ଏଥିପ୍ରତି ଧ୍ୟାନଦେବାକୁ ବିଭିନ୍ନମହଲରୁ ଦାବି ହେଉଛି। 

ଆହୁରି ପଢ଼ନ୍ତୁ:Tornado Viral Video: ଘୂର୍ଣ୍ଣିଝଡ଼ ମହିଳାଙ୍କୁ ନେଲା ଉଡ଼ାଇ: ଭିଡିଓ ଭାଇରାଲ

କେବଳ ତରକେରା ଡ୍ୟାମ୍‌ ନୁହେଁ, ମନ୍ଦିରା, କାଂସବାହାଲ, ପିତାମହଲ, ବାଦଲଗିରି ଜଳପ୍ରପାତ, ତେତେରକେଲା ନଦୀଘାଟଗୁଡ଼ିକରେ ସ୍ଥାନୀୟ ପୁଲିସ ପକ୍ଷରୁ ପିକ୍‌ନିକ୍‌ ଋତୁ (ଡିସେମ୍ବର ଓ ଜାନୁଆରି) ଦୁଇମାସ ପାଟ୍ରୋଲିଂ କଡ଼ାକଡି କରିବା ସହ ପର୍ଯ୍ୟଟକଙ୍କୁ ସଚେନତ କରିବାର ଆବଶ୍ୟକତା ରହିଛି।

ରିପୋର୍ଟ: ମଳୟ ସାହୁ