ଏ ବର୍ଷ ୪୩୦୦ ମେଗାୱାଟ୍‌ ବିଜୁଳି ଉତ୍ପାଦନ ଲକ୍ଷ୍ୟ

ଗୁଣାତ୍ମକ ବିଜୁଳି ଯୋଗାଣ ଉପରେ ଗୁରୁତ୍ବ, ଶକ୍ତି କ୍ଷେତ୍ରରେ ଓଡ଼ିଶା ଆତ୍ମନିର୍ଭରଶୀଳ

୧୩୭% ବଢ଼ିଲାଣି ବିଜୁଳି ଦର; କ୍ଷତି କରୁଛନ୍ତି କମ୍ପାନି, ବୋଝ ମୁଣ୍ଡାଉଛନ୍ତି ଘରୋଇ ଉପଭୋକ୍ତା

pe.gatech.edu

ଭୁବନେଶ୍ୱର : ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରେ ମୋଟ୍‌ ୩୪୮୯ ମେଗାୱାଟ୍‌ ବିଜୁଳି ଉତ୍ପାଦନ ହୋଇଥିଲା। ଏହା ମଧ୍ୟରୁ ତାପଜ ବିଦ୍ୟୁତ ୨୪୬୮, ଜଳ ବିଦ୍ୟୁତ ୮୫୪ ଓ ପାରମ୍ପରିକ ଅକ୍ଷୟ ଶକ୍ତି ୧୬୭ ମେଗାୱାଟ୍‌। ବର୍ଷକୁ ରାଜ୍ୟର ବିଜୁଳି ଚାହିଦା ରହିଛି ୩୨୦୦ ମେଗାୱାଟ୍‌। ବର୍ତ୍ତମାନ ଗ୍ରାମାଞ୍ଚଳର ବିଦ୍ୟୁତୀକରଣ ସମ୍ପ୍ରସାରିତ ହୋଇଥିବାରୁ ଓ ଶିଳ୍ପାୟନ ବୃଦ୍ଧି ପାଉଥିବାରୁ ଏହି ଚାହିଦା ଆଗାମୀ ଦିନରେ ବଢ଼ିବାର ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ୨୦୨୦-୨୧ରେ ଗ୍ରିଡ୍‌କୋ ୪୩୦୦ ମେଗାୱାଟ୍‌ ବିଜୁଳି ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି।

ରାଜ୍ୟରେ ଶକ୍ତି ଉତ୍ପାଦନ ଓ ଚାହିଦା ସମ୍ପର୍କରେ ଆଜି ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି। ଓଡ଼ିଶାରେ ଏବେ ଶକ୍ତି କ୍ଷେତ୍ରରେ ବଳକା ରାଜ୍ୟ ହୋଇଛି। ସବୁଜ ଶକ୍ତି ଉତ୍ପାଦନରେ ମଧ୍ୟରେ ରାଜ୍ୟ ଆଖିଦୃଶିଆ ଭାବେ ଅଗ୍ରଗତି କରିଛି ବୋଲି ବୈଠକରେ କୁହାଯାଇଥିଲା।

ଡିଜିଟାଲ୍‌ ମୋଡ୍‌ରେ ହୋଇଥିବା ଏହି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗ୍ରାମାଞ୍ଚଳ ଓ ଶିଳ୍ପ କ୍ଷେତ୍ରକୁ ନିରବିଚ୍ଛିନ୍ନ ଗୁଣାତ୍ମକ ବିଜୁଳି ଯୋଗାଣକୁ ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଜୁଳି ବିକ୍ରି ପାଇଁ ଫଳପ୍ରଦ ବାଣିଜ୍ୟିକ ରଣକୌଶଳ ପ୍ରସ୍ତୁତ କିରବାକୁ ସେ ଗ୍ରିଡ୍‌କୋକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟକୁ ନୂଆ କରି ଆସୁଥିବା ଶିଳ୍ପ ସଂସ୍ଥାକୁ ଗ୍ରିଡ୍‌କୋ ଠାରୁ ସମୟେପଯୋଗୀ ଓ ଗୁଣାତ୍ମକ ବିଜୁଳି ପାଇବା ପାଇଁ ପ୍ରୋତ୍ସାହିତ କରିବାକୁ ଶିଳ୍ପ ଓ ଶକ୍ତି ବିଭାଗକୁ କୁହାଯାଇଥିଲା। ରାଜ୍ୟରେ ଥିବା ଡ୍ୟାମ୍‌ରୁ ଅଧିକ ଜଳ ବିଦ୍ୟୁତ ଉତ୍ପାଦର ସମ୍ଭାବନାକୁ ବ୍ୟବହାର କରିବା ପାଇଁ ଓଏଚ୍‌ପିସିକୁ କୁହାଯାଇଥିଲା।

ରାଜ୍ୟରେ ସବୁଜ ଶକ୍ତି ଉତ୍ପାଦନରେ ମଧ୍ୟ ଅଗ୍ରଗତି ହୋଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ୨୦୧୦-୧୧ରେ ୬୯୫ ମେଗାୱାଟ୍‌ ଜଳ ବିଦ୍ୟୁତ ଉତ୍ପାଦନ ହେଉଥିଲା ବେଳେ ୨୦୨୦-୨୧ରେ ଏହା ୮୫୪ ମେଗାୱାଟ୍‌ରେ ପହଞ୍ଚିଛି। ଅକ୍ଷୟ ଶକ୍ତିର ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି। ୨୦୨୧-୨୨ରେ ଅକ୍ଷୟ ଶକ୍ତି ଉତ୍ସରୁ ୧୫୦୦ ମେଗାୱାଟ୍‌ ବିଜୁଳି ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ କହିଥିଲେ।

ବୈଠକରେ ଉନ୍ନୟନ କମିସନର୍‌ ସୁରେଶ ଚନ୍ଦ୍ର ମହାପାତ୍ର, ଗ୍ରିଡ୍‌କୋ ଅଧ୍ୟକ୍ଷ ସୌରଭ ଗର୍ଗ, ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଓଏଚ୍‌ପିସି ଅଧ୍ୟକ୍ଷ ବିଷ୍ଣୁପଦ ସେଠୀ, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା, ଗ୍ରିଡ୍‌କୋ ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା, ଗ୍ରିଡ୍‌କୋର ବିତ୍ତ ନିର୍ଦ୍ଦେଶକ ଗଗନ ସ୍ବାଇଁଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe