ଇଡିର କାର୍ଯ୍ୟାନୁଷ୍ଠାନ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌

Advertisment
ଇଡିର କାର୍ଯ୍ୟାନୁଷ୍ଠାନ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌

ଭୁବନେଶ୍ବର : ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ୨୫ଲକ୍ଷ ଟଙ୍କା ବ୍ୟାଙ୍କ ଜମାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିବା ପରେ ଇଡିକୁ ନେଇ ରାଜ୍ୟ ରାଜନୀତି ପୁଣି ସରଗରମ ହୋଇଛି। କଂଗ୍ରେସର ବଡ଼ ନେତାଙ୍କୁ ଇଡି ଜେରା କରିବା ସହ ମହରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ବିଜେପି ବିରୋଧୀ ନେତାଙ୍କୁ ଟାର୍ଗେଟ୍ କରୁଛି ବୋଲି ଜାତୀୟ ସ୍ତରରେ ବିରୋଧୀ ଦଳ ନେତାମାନେ ଅଭିଯୋଗ କରୁଛନ୍ତି। ଏପଟେ ଓଡ଼ିଶାରେ ଇଡି ଦୀର୍ଘ ଦିନ ପରେ ପୁଣି ସକ୍ରିୟ ହୋଇଛି। ଯାହାକୁ ନେଇ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରକୁ ବିଜେଡି ଓ କଂଗ୍ରେସ ଟାର୍ଗେଟ୍ କରିଛନ୍ତି।

ବିଜେପି ସରକାର କ୍ଷମତା ଲୋଭରେ ଏପରି କରୁଛନ୍ତି: ବିଜେଡି
ଇଡିକୁ ବିରୋଧୀଙ୍କ ଉପରେ ଅସ୍ତ୍ର ଭଳି ପ୍ରୟୋଗ କରାଯାଉଛି: କଂଗ୍ରେସ
ଇଡିର କାମ ପ୍ରଶଂସାଯୋଗ୍ୟ: ବିଜେପି

୨୦୧୯ ନିର୍ବାଚନ ପୂର୍ବରୁ ଓଡ଼ିଶା‌ରେ ସିବିଆଇ ଓ ଇଡି ବ୍ୟ‌ାପକ ଚଢ଼ାଉ କରିବା ସହ ବହୁ ରାଜନେତାଙ୍କୁ କାଠଗଡ଼ାକୁ ଟାଣିଥିଲା। ଏଥିରେ ବିଜେଡିର ଅଧିକ ନେତା ଥିଲେ। କିନ୍ତୁ ଏହାପରେ ବିଜେପି ଓ ବିଜେଡି ସମ୍ପର୍କ ମଧୁର ହେବା ସହ ବିଭିନ୍ନ ପ୍ରସଙ୍ଗରେ ବିଜେଡି ସଂସଦରେ ଗୁରୁତ୍ବପୂର୍ଣ୍ଣ ବିଲ୍‌କୁ ସମର୍ଥନ କରିବା‌ ଠାରୁ ଆରମ୍ଭ କରି ରାଷ୍ଟ୍ରପତି, ଉପରାଷ୍ଟ୍ରପତି ନିର୍ବାଚନ ପର୍ଯ୍ୟନ୍ତ ସବୁଥିରେ ବିଜେପିର ସାଥ୍‌ ଦେଇ ଆସୁଛି। ଏପରିକି ଗତ କିଛି ବର୍ଷ ହେଲା ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ କେନ୍ଦ୍ରୀୟ ନେତା ମୁଖ୍ୟମନ୍ତ୍ରୀଙ୍କ ସମେତ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ପ୍ରଶଂସା କରୁଛନ୍ତି। କିଛି ବର୍ଷ ହେଲା ଓଡ଼ିଶାରେ ଇଡି ଓ ସିବିଆଇର ଜେରା/ଚଢ଼ାଉ ବନ୍ଦ ଥିବାରୁ ଆଗକୁ ବିଜେଡି ନେତାଙ୍କ ଅଡ଼ୁଆ ବଢ଼ିବନି ବୋଲି କୁହାଯାଉଥିଲା। କିନ୍ତୁ ହଠାତ୍‌ ଓଡ଼ିଶାରେ ଇଡି ସକ୍ରିୟ ହେବା ପରେ ବିଜେପି-ବିଜେଡି ପୁଣି ପରସ୍ପରକୁ କଟାକ୍ଷ କରିବା ଆରମ୍ଭ କରିଛନ୍ତି।

ଆଜି ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ, କେନ୍ଦ୍ରର ବିଜେପି ସରକାର କ୍ଷମତା ଲୋଭୀ ହୋଇ ଏପରି କରୁଛନ୍ତି। ଅଧିକ ଦିନ ଯାଏଁ କ୍ଷମତା ରଖିବା ପାଇଁ ଆକ୍ରୋଶମୂଳକ ରାଜନୀତି କରୁଛନ୍ତି। ହେଲେ ଏହା ସବୁଦିନ ରହିବନି। ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଦେଶରେ ସବୁ ସାମଗ୍ରୀର ଦରଦାମ୍ ବଢ଼ିବା ସହ ବେକାରୀ ସମସ୍ୟା ବଢ଼ିଛି। ଲୋକଙ୍କ ଦୃଷ୍ଟିରୁ ଏହାକୁ ହଟାଇବା ପାଇଁ କେନ୍ଦ୍ର ସରକାର ଇଡି ଓ ସିବିଆଇକୁ ବିରୋଧୀଙ୍କ ଉପରେ ଅସ୍ତ୍ର ଭଳି ପ୍ରୟୋଗ କରୁଛନ୍ତି।
ବି‌ଜେଡି ଓ କଂଗ୍ରେସର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ଇଡି ତା’ କାମ କରୁଛି। ପଶ୍ଚିମବଙ୍ଗରେ ମନ୍ତ୍ରୀଙ୍କ ଘରୁ କୋଟି କୋଟି ଟଙ୍କା ଇଡି ବାହାର କଲା। ତେଣୁ ଇଡିକୁ ଏଥି ପାଇଁ ପ୍ରଶଂସା କରିବା ଜରୁରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe