ତାରିଣୀ ଫୁଡ୍ସ ରାଇସ୍‌ ମିଲ୍‌ ସିଲ୍; ୪୪୫ ବସ୍ତା ଧାନ, ୧୪୬ କୁଇଣ୍ଟାଲ ଚାଉଳ ଜବତ

ତାରିଣୀ ଫୁଡ୍ସ ରାଇସ୍‌ ମିଲ୍‌ ସିଲ୍; ୪୪୫ ବସ୍ତା ଧାନ, ୧୪୬ କୁଇଣ୍ଟାଲ ଚାଉଳ ଜବତ

କେନ୍ଦୁଝର : ବେଆଇନ ଭାବେ ଚାଲୁଥିବା ଅଭିଯୋଗରେ ଆଜି ତାରିଣୀ ଫୁଡ୍ସ ରାଇସ ମିଲକୁ ପ୍ରଶାସନ ସିଲ କରିଛି। ଏହା ସହିତ ମିଲରେ ଗଚ୍ଛିତ ୪୪୫ ବସ୍ତା ଧାନ ଏବଂ ୧୪୬ କୁଇଣ୍ଟାଲ ଚାଉଳକୁ ମଧ୍ୟ ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଚାନ୍ଦପଶି ନିକଟ ଝାରବେଡା ଗ୍ରାମ ନିକଟରେ ଏହି ରାଇସ୍‌ ମିଲ୍‌ଟି ଗତ ଜାନୁଅ‌ାରି ମାସ ୧୬ ତାରିଖରୁ ବେଆଇନ ଭାବେ ଚାଲିଥିଲା। ଏହି ରାଇସ୍‌ ମିଲ୍‌ ସ୍ଥାପନ ଏବଂ ଚଳାଚଳ ପାଇଁ ପ୍ରଶାସନ ନିକଟରୁ କୌଣସି ପ୍ରକାର ଅନୁମତି ପ୍ରଦାନ କରାଯାଇ ନଥିବା ବେଳେ ଦୀର୍ଘ ୩ ମାସ ହେଲା ଏହି ରାଇସ୍‌ ମିଲ କାର୍ଯ୍ୟକ୍ଷମ ଥିଲା । ଦଲାଲଙ୍କ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳ ଚାଷୀଙ୍କଠାରୁ ୧୨ ଶହରୁ ୧୩ ଟଙ୍କା କୁଇଣ୍ଟାଲ ପ୍ରତି ଧାନ କିଣିଥିଲା ବୋଲି କେତେକ ଚାଷୀ ଅଭିଯୋଗ କରିଛନ୍ତି । ତେବେ ବେଆଇନ୍‌ ଭାବେ ଏହି ରାଇସ ମିଲ ଚାଲିଥିବା ଘଟଣା ପ୍ରଘଟ ହେବା ପରେ ପ୍ରଶାସନର ନିଦ ଭାଙ୍ଗିଥିଲା । ଆଉ ଆଜି ଏହି ରାଇସ୍‌ ମିଲ୍‌ ଉପରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଏହା ବେଆଇନ ବୋଲି ଜଣାପଡ଼ିଥିଲା।

ଚଢଉରେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ, ଏସ୍‌ସିଏସ୍ଓ‌ ସବ୍ୟସାଚୀ ବସ୍ତିଆ, ସଦର ମାର୍କେଟିଂ ଇନ୍‌ସ୍ପେକ୍ଟର ଅମ୍ବିକା ପ୍ରସାଦ ରଥ, ଚମ୍ପୁଆ ସପ୍ଲାଇ ଇନ୍‌ସ୍ପେକ୍ଟର ତାରିଣୀ ଶଙ୍କର ମିଶ୍ର, ଘଟଗାଁ ଯୋଗାଣ ନିରୀକ୍ଷକ ବାଜିନାଥ ମହାଲିକ ପ୍ରମୁଖ ସାମିଲ ହୋଇଥିଲେ। ସିଲ ହେବା ପରେ ରାଇସ ମିଲ ପକ୍ଷରୁ କୁହାଯାଇଛି ଯେ ମୟୂରଭଞ୍ଜ ଜିଲ୍ଲାର ୧୧ ଜଣ ଚାଷୀଙ୍କଠାରୁ ଧାନ ଆଣି ରାଇସ ମିଲ୍‌ ଚାଲିଥିଲା। ଯେଉଁ ୧୧ ଜଣ ଚାଷୀଙ୍କ ନାମ ରାଇସ୍‌ ମିଲ୍‌ ପକ୍ଷରୁ କୁହାଯାଇଛି ସେହି ଚାଷୀଙ୍କୁ ପଚରାଉଚରା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe