ଟିପିସିଓଡିଏଲ୍‌ ବିରୋଧରେ ନିଯୁକ୍ତିରେ ଅନିୟମିତତା ଅଭିଯୋଗ : ମେଳି ବାନ୍ଧିଲେଣି ଇଞ୍ଜିନିୟର

Advertisment
ଟିପିସିଓଡିଏଲ୍‌ ବିରୋଧରେ ନିଯୁକ୍ତିରେ ଅନିୟମିତତା ଅଭିଯୋଗ : ମେଳି ବାନ୍ଧିଲେଣି ଇଞ୍ଜିନିୟର

Business Standard

୧୫ ଦିନ‌‌‌ରେ ଦାବି ପୂରଣ ନ ହେଲେ ଆନ୍ଦୋଳନ
‘ସର୍ତ୍ତଗୁଡ଼ିକର ସୁରକ୍ଷା ପାଇଁ କମ୍ପାନି ପ୍ରତିଶ୍ରୁତିବଦ୍ଧ: ଟିପିସିଓଡିଏଲ୍‌

ଭୁବନେଶ୍ୱର : ସେସୁ ପରେ ବିଦ୍ୟୁତ ବିତରଣ ଦାୟିତ୍ବ ନେଇଥିବା ଟାଟା ପାୱାର କର୍ପୋରେସନ ଲିମିଟେଡ୍‌ (ଟିପିସିଏଲ୍‌) ବିରୋଧରେ ବଡ଼ ଅଭିଯୋଗ ଆସିଛି। ସେସୁ ନିୟମାବଳି ଓ ନିଯୁକ୍ତି ପାଇଁ ଥିବା ପଦ୍ଧତିର ଉଲଙ୍ଘନ କରି ବିଭିନ୍ନ ସ୍ତରରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିଛି। ସେସୁ ହସ୍ତାନ୍ତର ବେଳେ ସେସୁ କର୍ମଚାରୀଙ୍କ ଚାକିରି ସର୍ତ୍ତାବଳି ଅକ୍ଷୁଣ୍ଣ ରଖିବା ପାଇଁ ଓଇଆରସି(ବିଦ୍ୟୁତ୍‌ ନିୟାମକ ଆାୟାଗ) ସ୍ପଷ୍ଟ କରିଥିଲେ ମଧ୍ୟ ଟିପିସିଏଲ୍‌ ସେସବୁ ନିୟମକୁ ପାଳନ କରୁନାହିଁ। ବିଦ୍ୟୁତ୍‌ ବିତରଣ ବ୍ୟବସ୍ଥାକୁ ପରିଚାଳନା କରୁଥିବା ଟିପିସିଓଡିଏଲ୍‌(ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌) ଓଡ଼ିଶା ସରକାର ଓ ଟିପିସିଏଲ୍‌ର ଯୌଥ ଉଦ୍ୟୋଗ ହୋଇଥିବା ବେଳେ ଏହାର ଅଧିକାରୀମାନେ ସମ୍ପୂର୍ଣ୍ଣ ମାଲିକାନାସ୍ବତ୍ତ୍ବ ଭଳି କାର୍ଯ୍ୟ କରୁଥିବା ଅଭିଯୋଗ କରିଛି ସେସ୍କୋ ଇଂଜିନିୟର୍ସ ସର୍ଭିସ ଆସୋସିଏସନ(ସେସା)।

ରବିବାର ପୂର୍ବାହ୍ନରେ ଭିଡିଓ କନ୍‌ଫରନେସିଂ ଜରିଆରେ ଅନୁଷ୍ଠିତ ସେସାର ସାଧାରଣ ଅଧିବେଶନରେ ଏହି ଅଭିଯୋଗ ହେବା ସହ ସଂଘ ସରକାର, ଓଇଆରସି ଓ ଟିପିସିଓଡିଏଲ୍‌ ନିକଟରେ କେତେକ ଦାବି ଉପସ୍ଥାପନ କରିଛି। ୧୫ଦିନ ମଧ୍ୟରେ ଦାବି ମୁତାବକ ପଦକ୍ଷେପ ନିଆନଗଲେ, ସଂଘ ତରଫରୁ ଗାଣତାନ୍ତ୍ରିକ ଓ ଆଇନ ଅନୁଯାୟୀ, ପଦକ୍ଷେପ ନିଆଯିବ ବୋଲି ଏଆଇପିଇଏଫ୍‌ ଅଧ୍ୟକ୍ଷ ଇଞ୍ଜିନିୟର ଶୈଳେନ୍ଦ୍ର ଦୁବେ, ଏଆଇପିଇଏଫ୍‌ ମହାସଚିବ ରତ୍ନାକର ରାଓ, ଏଓପିଇଏଫ୍‌ ଅଧ୍ୟକ୍ଷ ବିଶ୍ୱରଂଜନ ମିଶ୍ର, ଇଆଇପିଇଏଫ୍‌ ଅଧ୍ୟକ୍ଷ ପ୍ରଶାନ୍ତ ଚତୁର୍ବେଦୀ, ସେସା ସଭାପତି ଶ୍ରୀମନ୍ତ ସାହୁ ଓ ସାଧାରଣ ସମ୍ପାଦକ ବ୍ରହ୍ମପ୍ରକାଶ ପାଇଟାଲ ପ୍ରମୁଖ ଏହି ବୈଠକରେ ଚେତାବନୀ ଦେଇଛନ୍ତି।

ଦୀର୍ଘ ୧୦ବର୍ଷ ଧରି ସେସୁରେ ଖାଲି ପଡ଼ିଥିବା ପଦ ପୂରଣ କିମ୍ବା ଇଂଜିନିୟରିଂ କ୍ୟାଡର୍‌ର ପୁନର୍ବିନ୍ୟାସ ହୋଇନଥିଲେ ମଧ୍ୟ ଅଧିଗ୍ରହଣର ମାତ୍ର ଏକ ମାସ ମଧ୍ୟରେ ଟିପିସିଓଡିଏଲ୍‌ର ଏଭଳି କାରବାର ନୂଆ ବିବା‌ଦ ସୃଷ୍ଟି କରିଛି ବୋଲି ସଂଘ ଅଭିଯୋଗ କରିଛି।

ସେସୁ ସର୍ତ୍ତାବଳି ଅନୁଯାୟୀ, କେବଳ କ୍ୟାଡର୍‌ର ମୂଳ ପଦରେ ନିଯୁକ୍ତି ଦେବା, ପଦୋନ୍ନତି ମାଧ୍ୟମରେ ଉଚ୍ଚପଦସ୍ଥ ପଦ ପୂରଣ କରିବା, ଟିପିସିଓଡିଏଲ୍‌ ଦ୍ୱାରା ସୃଷ୍ଟି ସମାନ୍ତରାଳ ପଦ ପୂର୍ବରୁ ଦିଆଯାଇଥିବା ନିଯୁକ୍ତି ରଦ୍ଦ କରିବା, ଇଂଜିନିୟରିଂ କ୍ୟାଡର୍‌ର ପୁନର୍ବିନ୍ୟାସ କରି ନିଯୁକ୍ତି ଓ ପଦୋନ୍ନତି ଦେବା, ଇଞ୍ଜିନିୟରଙ୍କ ଚାକିରି ସର୍ତ୍ତାବଳି ଅକ୍ଷୁଣ୍ଣ ରଖିବା, ଟିପିସିଓଡିଏଲ୍‌ର ବୋର୍ଡ ଅଫ୍‌ ଡାଇରେକ୍ଟର ଶୀଘ୍ର ଗଠନ କରି ଇଞ୍ଜିନିୟରଙ୍କ ପ୍ରତିନିଧି ରଖିବା, ପେନ୍‌ସନ ଓ ଅନ୍ୟ ଅବସରକାଳୀନ ଦେୟ ପାଣ୍ଠିରେ ଥିବା ବକେୟା ଅର୍ଥ ଭରଣା କରି କର୍ମଚାରୀଙ୍କ ଅବସର ପ୍ରାପ୍ୟ ପ୍ରଦାନକୁ ସୁନିଶ୍ଚିତ କରିବା ପ୍ରଭୃତି ମୁଖ୍ୟ ଦାବି ରହିଛି।

ଏ ନେଇ ଟିପିସିଓଡିଏଲ୍‌ ସୂଚନା ଅଧିକାରୀ ଦିଲୀପ ସାହୁ କହିଛନ୍ତି, ଟିପିସିଓଡିଏଲ୍‌ କର୍ମଚାରୀମାନଙ୍କୁ ଗୁରୁତ୍ୱ ଦେଉଛି। କରୋନା ମୁକାବିଲା ଭଳି କଠିନ ସମୟରେ ବିଭିନ୍ନ କର୍ମଚାରୀ ସଂଗଠନ ଓ ଅଫିସର୍ସ ଆସୋସିଏସନର ଦାବି ପୂରଣ ଉପରେ ପରିଚାଳନା କର୍ତ୍ତୃପକ୍ଷ ପ୍ରାଥମିକତା ଦେଇଛନ୍ତି। କର୍ମଚାରୀଙ୍କ ରୋଜଗାରର ସର୍ତ୍ତାବଳି ଓ ସର୍ତ୍ତଗୁଡ଼ିକର ସୁରକ୍ଷା ପାଇଁ କମ୍ପାନି ପ୍ରତିଶ୍ରୁତିବଦ୍ଧ। ତା’ ସହିତ ଉତ୍ତମ ବୃତ୍ତି ଅଭିବୃଦ୍ଧି ସୁଯୋଗ ସୃଷ୍ଟି କରିବା ସହ ଫାଷ୍ଟ ଟ୍ରାକ୍ ଲର୍ଣ୍ଣିଂ ଆଣ୍ଡ ଡେଭଲପମେଣ୍ଟ ଓ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣେଇ ଅଧିକାରୀଙ୍କୁ ଦକ୍ଷ କରିବା ଉପରେ ପ୍ରାଧାନ୍ୟ ଦିଆଯାଇଛି। କର୍ମଚାରୀମାନଙ୍କୁ ଉପଯୁକ୍ତ ସମୟରେ ଅବସରକାଳୀନ ସୁବିଧା ଯୋଗାଇ ଦେବା ଉପରେ ସଂସ୍ଥା କାମ କରୁଛି। ସ୍ୱଚ୍ଛତା ଓ ନୈତିକ ପରିବେଶକୁ ସୁନିଶ୍ଚିତ କରିବା ସହିତ କର୍ମଚାରୀଙ୍କ ହିତରେ କମ୍ପାନି କାମ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe