ଭୁବନେଶ୍ବର : ଓଡ଼ିଶାରେ ଦାଦାଗିରି ଚଳାଇଛି ଟାଟା ପାୱାର। ଜାଣିଶୁଣି ବିଳମ୍ବରେ ବିଦ୍ୟୁତ ବିଲ୍ ଦେଇ ଚଢ଼ାଦରରେ ଶୁଳ୍କ ଆଦାୟଠାରୁ ଆରମ୍ଭ କରି ବିନା ସୂଚନାରେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ କରୁଛି। ଅଭିଯୋଗକୁ ଆଦୌ ଗୁରୁତ୍ବ ନ ଦେଇ ମନଇଚ୍ଛା ବିଦ୍ୟୁତ ସଂଯୋଗ କାଟିଦେବା ଭଳି ଧମକ ଉପଭୋକ୍ତାଙ୍କୁ ଦିଆଯାଉଛି। ତେବେ ଟାଟା ପାୱାର କମ୍ପାନିର ଏଭଳି ଶୋଷଣ ଓ ଦାଦାଗିରି ପଛରେ ରାଜ୍ୟ ସରକାରଙ୍କ ପ୍ରଚ୍ଛନ୍ନ ହାତ ରହିଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।
ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅମୀୟ ପାଣ୍ଡବ ଓ ରଜନୀ ମହାନ୍ତି ଗଣମାଧ୍ୟମକୁ ମିଳିତ ଭାବେ ଏହି ସୂଚନା ଦେଇଥିଲେ। କରୋନା କାଳରେ ଲୋକ ଘରେ ବନ୍ଦ ହୋଇ ରହିଥିବା ବେଳେ ସରକାର ଟାଟା ପାୱାର ହାତକୁ ବିଦ୍ୟୁତ ସରବରାହ ଓ ବଣ୍ଟନ ବ୍ୟବସ୍ଥାକୁ ଟେକିଦେଲେ। ଗୋଟିଏ ଆର୍ଥିକ ବର୍ଷରେ କେବଳ ଥରେ ବିଦ୍ୟୁତ ଶୁଳ୍କ ବୃଦ୍ଧିର ବ୍ୟବସ୍ଥା ଥିବା ବେଳେ କମ୍ପାନିକୁ ଫାଇଦା ଦେବା ଲାଗି ଦୁଇ ଦୁଇ ଥର ଶୁଳ୍କ ବୃଦ୍ଧି କରାଗଲା। ଜାଣିଶୁଣି ବିଳମ୍ବରେ ବିଲ୍ ଦେବା ଯୋଗୁଁ ଗ୍ରାହାକଙ୍କଠାରୁ ଚଢ଼ାଦରରେ ଶୁଳ୍କ ଆଦାୟ କରାଯାଉଛି। ୨୭ଲକ୍ଷ ଗ୍ରାହକଙ୍କଠାରୁ ଏଭଳି ଅସତ ଉପାୟରେ କୋଟି କୋଟି ଟଙ୍କା ଲୁଟ୍ କରାଯାଉଛି। ଭିତ୍ତିଭୂମି ବିକାଶରେ ସାମାନ୍ୟତମ ଅବଦାନ ନ ଥିବା ଟାଟା ପାୱାରର ଏହି ଶୋଷଣ ରୢାକେଟରେ ସରକାର ନିଜେ ସଂପୃକ୍ତ ଅଛନ୍ତି। ସେହିପରି ବିଦ୍ୟୁତ ସରବରାହ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ୨୮.୨୪ ପ୍ରତିଶତ କ୍ଷତି ଥିବା ବେଳେ ଦିଲ୍ଲୀରେ ଏହା ୧୯.୨୫ ପ୍ରତିଶତ। କେନ୍ଦ୍ର ସରକାର ଉଦୟ ଯୋଜନାରେ ଏହି କ୍ଷତିକୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାକୁ ନିର୍ଧାରିତ କରିଥିଲେ ହେଁ, ରାଜ୍ୟ ସରକାରଙ୍କୁ ଏହି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଲାଗି ଆଉ କେତେଦିନ ସମୟ ଲାଗିବ ବୋଲି ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି। ଏଥିଯୋଗୁ କେନ୍ଦ୍ରୀୟ ଆର୍ଥିକ ଅନୁଦାନ ଓ ପ୍ରୋତ୍ସାହନ ରାଶି ବାବଦରେ ରାଜ୍ୟ ଯେଉଁ ସହାୟତାରୁ ବଞ୍ଚିତ ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀକୁ ଦୀପକ ମହାପାତ୍ର ପରିଚାଳନା କରିଥିଲେ।
Follow Us