ଟାଟା ଷ୍ଟିଲ ଦୈନିକ ୩ଶହ ଟନ୍ ଅକ୍ସିଜେନ ଯୋଗାଇବ

ଓଡ଼ିଶାରୁ ଗଲାଣି ୨୮୭୯ ଟନ୍ ଅମ୍ଳଜାନ

ଯାଜପୁର/ସଦର/ଦାନଗଦୀ : କରୋନା ମହାମାରୀ ବ୍ୟାପକ ‌ରୂପ ଧାରଣ କରିଥିବା‌ ବେଳେ ମେଡ଼ିକାଲଗୁଡ଼ିକରେ ଅକ୍ସିଜେନର ଘୋର ସଙ୍କଟ ଦେଖାଦେଇଛି। ଅକ୍ସିଜେନର ସଙ୍କଟକୁ ସୁଧାରିବା ପାଇଁ ଇସ୍ପାତ କାରଖାନାଗୁଡ଼ିକରେ ମହଜୁଦ ତରଳ ଅକ୍ସିଜେନ୍କୁ ମେଡ଼ିକାଲଗୁଡ଼ିକୁ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଅନୁରୋଧ କରି ଏକ କମିଟି ଗଠନ କରିବା ପରେ ଟାଟା ଷ୍ଟିଲର କଳିଙ୍ଗନଗର, ଢେଙ୍କାନାଳ ଓ ଜାମସେଦପୁର କାରଖାନାରୁ ଦୈନିକ ୩ଶହରୁ ୪ଶହ ଟନ ତରଳ ଅକ୍ସିଜେନ ଯୋଗାଇ ଦେଇବାକୁ ବ୍ୟବସ୍ଥା କରାଯାଇଛି।

ଶୁକ୍ରବାର ସକାଳୁ କଡ଼ା ସୁରକ୍ଷା ମଧ୍ୟରେ କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍‌ କାରଖାନା ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୫ଟି ଗାଡ଼ିରେ ଅକ୍ସିଜେନ୍‌ ବିଭିନ୍ନ ରାଜ୍ୟକୁ ଯାଇଛି। ୩ଟି ଟ୍ରକ୍ ବିଶାଖାପାଟଣା ଯାଇଥିବା ବେଳେ ମହାରାଷ୍ଟ୍ରର ପୁଣେ ଓ ହାଇଦ୍ରାବାଦକୁ ଗୋଟିଏ ଲେଖାଏଁ ଅକ୍ସିଜେନ୍‌ ଗାଡ଼ି ପଠାଯାଇଛି। ପ୍ରତି ଗାଡ଼ିରେ ୨୦ ଟନ ଅକ୍ସିଜେନ ରହିଛି। ଯାଜପୁର ଏସ୍ପି‌‌ ରାହୁଲ ପିଆରଙ୍କ ନେତୃତ୍ବରେ ପୁଲିସ କଡ଼ା ସୁରକ୍ଷା ମଧ୍ୟରେ ରାଜ୍ୟ ସୀମା ପର୍ଯ୍ୟନ୍ତ ଅକ୍ସିଜେନକୁ ସୁରକ୍ଷିତ ପହଞ୍ଚାଇ ପାଇଁ ପଦକ୍ଷେପ ନେଇଛି। ଏଥି ପାଇଁ ଏକ ଗ୍ରିନ କରିଡର ସୃଷ୍ଟି କରାଯାଇଛି। ଯେପରି ଅକ୍ସିଜେନ୍‌ ଗାଡ଼ି କେଉଁଠି ଅଟକିବ ନାହିଁ କିମ୍ବା ଟ୍ରାଫିକରେ ନ ଫସିବାର ବ୍ୟବସ୍ଥା କରାଯାଇଛି।

ପ୍ରକାଶ ଥାଉକି ଟାଟା ଷ୍ଟିଲ ପକ୍ଷରୁ ‌ଯୋଗାଣ ହେଉଥିବା ଅକ୍ସିଜେନ୍ ଓଡିଶା ସହିତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ରାଜ୍ୟ ଗୁଡ଼ିକର ଅକ୍ସିଜେନ ଅଭାବ ପୂରଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଅକ୍ସିଜେନ ଅଭାବରୁ କରୋନା ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ହେଉଛି। ଏହି ପରିସ୍ଥିତିରେ ସରକାର ସହିତ ଅନ୍ୟାନ୍ୟ କାରଖାନା ଭଳି ଟାଟା ଷ୍ଟିଲ୍ ସହଯୋଗର ହାତ ବଢ଼ାଇଛି। ତେବେ ଅକ୍ସିଜେନ୍‌ ଯୋଗାଣ ପାଇଁ ଟ୍ୟାଙ୍କରର ଅଭାବ ରହିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe