Livemint
ଭୁବନେଶ୍ବର : ରାଜସ୍ବ ବୃଦ୍ଧି ଲକ୍ଷ୍ୟ ସହିତ ପୌରସଂସ୍ଥାଗୁଡ଼ିକୁ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ମ୍ୟୁନିସିପାଲ ପ୍ରିମିୟର ଲିଗ୍ ବା ଏମ୍ପିଏଲ୍ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନେଇଛି। ଏଥିରେ ଅମୃତ ସହରଗୁଡ଼ିକର କିଭଳି ହୋଲ୍ଡିଂ ଟିକସ ଆଦାୟ ସହ ପୌର ରାଜସ୍ବ ବୃଦ୍ଧି ହେବ, ସେଥିପାଇଁ ପଦକ୍ଷେପ ନିଆଯିବ। ଟିକସ ଆଦାୟ କରୁଥିବା ଅଧିକାରୀମାନଙ୍କୁ ଉତ୍ସାହିତ କରିବା ଓ ପୌରସଂସ୍ଥାରେ ସେମାନଙ୍କ ଅବଦାନକୁ ସ୍ବୀକୃତି ପ୍ରଦାନ ସହିତ ସମଗ୍ର ରାଜ୍ୟରେ ପୌର ରାଜସ୍ବ ବଢ଼ାଇବା ହେଉଛି ଏମ୍ପିଏଲର ମୁଖ୍ୟ ଉଦ୍ଦେଶ୍ୟ।
ଅମୃତ ସହରଗୁଡ଼ିକରେ ଏମ୍ପିଏଲ ଆୟୋଜନ ସମ୍ପର୍କରେ ଅଧିକ ଆଲୋଚନା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ପୌର ନିର୍ଦେଶକ ସଂଗ୍ରାମଜିତ ନାୟକ, ବିଭିନ୍ନ ମହାନଗର ନିଗମର କମିସନର, ପୌରସଂସ୍ଥାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ। ପୌର ନିର୍ଦେଶକ ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ଏକ ଆୟୋଜକ କମିଟି ଗଠନ ହୋଇଥିବା ବେଳେ ଏଥିରେ ୫ଟି ମହାନଗର ଯଥା ବିଏମ୍ସି, ସିଏମ୍ସି, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରର କମିସନର ଏବଂ ୪ ପୌରସଂସ୍ଥା ପୁରୀ, ବାରିପଦା, ବାଲେଶ୍ବର ଓ ଭଦ୍ରକର କାର୍ଯ୍ୟ ନିର୍ବାହୀ ଅଧିକାରୀ ରହିଛନ୍ତି। ଆସନ୍ତା ୨୦ ତାରିଖରେ ଟିକସ ସଂଗ୍ରହ ଅଧିକାରୀଙ୍କୁ ତାଲିମ୍ ପାଇଁ ଏକ କର୍ମଶାଳା ଆୟୋଜିତ ହେବ। ୨୧ ତାରିଖରୁ ୯ଟି ଅମୃତ ସହରରେ ଟିକସ ସଂଗ୍ରହ ଆରମ୍ଭ ହେବ। ଏହି ଲିଗ୍ ଫେବ୍ରୁଆରି ୧ତାରିଖରୁ ମାର୍ଚ ୩୧ତାରିଖ ପର୍ଯ୍ୟନ୍ତ ଚାଲିବ।
ଏମ୍ପିଏଲର ତାଜା ସ୍ଥିତି ଅବଗତି ପାଇଁ ପ୍ରତି ସପ୍ତାହରେ ଆୟୋଜକ କମିଟିର ବୈଠକ ବସିବ। ଲିଗ୍ ସମାପ୍ତ ପରେ ଟିକସ ଆଦାୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସର୍ବାଧିକ ୬୭ଟି ପୁରସ୍କାର ପ୍ରଦାନ କରାଯିବ। ଏହି ଲିଗ୍ ପାଇଁ ଏକ ଡାସବୋର୍ଡ ପ୍ରସ୍ତୁତ ହେବ ଓ ଆୟୋଜକ କମିଟିର ତତ୍ତ୍ବାବଧାନରେ ପୌରସଂସ୍ଥା ଓ ଟିମ୍ ସଦସ୍ୟମାନେ ଏଥିରେ ତଥ୍ୟ ଅପଲୋଡ୍ କରିବେ। ଏହି ପଦକ୍ଷେପ ୯ଟି ଅମୃତ ସହରରେ ଥିବା ପୌରସଂସ୍ଥାର ଟିକସ ବୃଦ୍ଧିରେ ସହାୟକ ହେବା ସହିତ ଟିକସ ଆଦାୟ ସହ ଜଡ଼ିତ ଅଧିକାରୀଙ୍କୁ ପ୍ରୋତ୍ସାହିତ କରିବ ବୋଲି କୁହାଯାଇଛି। ଏମ୍ପିଏଲ୍ ପାଇଁ ଜନାଗ୍ରହ ଟିମ୍ ଗୃହ ଓ ନଗର ଉନ୍ନୟନ ବିଭାଗକୁ ସହାୟତା କରିବ ବୋଲି ବୈଠକରେ କୁହାଯାଇଛି।
Follow Us