୧୧ ଦଫା ଦାବିରେ ରାସ୍ତାରେ ଶିକ୍ଷକ

Advertisment

ଆଶ୍ରମ, ସେବାଶ୍ରମ ସ୍କୁଲରେ ପାଠପଢ଼ା ଠପ୍‌

ଆଶ୍ରମ, ସେବାଶ୍ରମ ସ୍କୁଲରେ ପାଠପଢ଼ା ଠପ୍‌

୧୧ ଦଫା ଦାବିରେ ରାସ୍ତାରେ ଶିକ୍ଷକ

ଭୁବନେଶ୍ୱର : ୧୧ ଦଫା ଦାବି ନେଇ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛି ନିଖିଳ ଓଡ଼ିଶା ଏଲିମେଣ୍ଟାରି ଏସ୍‌ସି/ଏସ୍‌ଟି ଶିକ୍ଷକ ସଂଘ। ଗତକାଲିଠାରୁ ରାଜଧାନୀର ଲୋୟର ପିଏମ୍‌ଜିରେ ସଂଘର ଧାରଣା ଜାରି ରହିଛି। ଫଳରେ ସାରା ରାଜ୍ୟରେ ଥିବା ବିଭିନ୍ନ ଆଶ୍ରମ ଓ ସେବାଶ୍ରମରେ ପାଠପଢ଼ା ଓ ହଷ୍ଟେଲଗୁଡ଼ିକର ପରିଚାଳନା ଗୁରୁତର ବାଧାପ୍ରାପ୍ତ ହୋଇଛି।

ସଂଘର ସାଧାରଣ ସମ୍ପାଦକ ତୁମନାଥ ନାଏକ କହିଛନ୍ତି ଯେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ପରିଚାଳିତ ୧୬୦୦ ସ୍କୁଲର ପ୍ରାୟ ୧୦ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ୧୧ ଦଫା ଦାବି ନେଇ ଗତ ନଭେମ୍ବର ୨୯ରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ଯେଉଁଥିପାଇଁ ବିଭାଗ ଅଧୀନରେ ଥିବା ସମସ୍ତ ଆଶ୍ରମ, ସେବାଶ୍ରମ ଓ ଆବାସିକ ସେବାଶ୍ରମର ଶିକ୍ଷକ ଓ କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢ଼ା ବନ୍ଦ ହୋଇଯାଇଛି। ଯଦି ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କର କୌଣସି ପ୍ରକାର ଅସୁବିଧା ହୁଏ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଶ୍ରୀ ନାଏକ କହିଛନ୍ତି।

ସଂଘର ସଭାପତି ମୃତ୍ୟୁଞ୍ଜୟ ହାଲଦାର କହିଛନ୍ତି ଯେ ୧୧ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛୁ। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ବରିଷ୍ଠତା କ୍ରମେ ପଦୋନ୍ନତି, ଅବିକଳ କେନ୍ଦ୍ରୀୟ ହାରରେ ଦରମା, ସମସ୍ତ ସ୍ନାତକ ଯୋଗ୍ୟତାଧାରୀ ଶିକ୍ଷକଙ୍କୁ ଡିପାଟ୍‌ମେଣ୍ଟାଲ ବି.ଏଡ୍‌ ତାଲିମର ସୁଯୋଗ, ଶିକ୍ଷା ସହାୟକ/ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ଅବଧି ପୂରଣ ପରେ ନିୟମିତ ଶିକ୍ଷକର ମାନ୍ୟତା ଏବଂ ଚାକିରିରେ ନିଯୁକ୍ତି ଦିବସଠାରୁ ନିୟମିତ ଶିକ୍ଷକ ଭାବେ ଗଣନା, ଶିକ୍ଷକଙ୍କୁ ଚାକିରିର ସର୍ତାବଳୀ ପ୍ରଦାନ କରାଯାଉ। ଏସ୍‌ସି/ଏସ୍‌ଟି ବିଭାଗରେ ଏଣିକି ନିୟମିତ ଶିକ୍ଷକଙ୍କୁ ନିଯୁକ୍ତି, ଛାତ୍ରାବାସ ଦାୟିତ୍ୱରୁ ମୁକ୍ତି, ନିର୍ଦେଶକ ଆର. ରଘୁପ୍ରସାଦଙ୍କୁ ତୁରନ୍ତ ବଦଳି କରାଯାଉ। ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe