ଊର୍ଦ୍ଦୁ ଶିକ୍ଷା ପ୍ରତି ବୈମାତୃକ ମନୋଭାବ କାହିଁକି? ୧୦୮ ବର୍ଷ ତଳର ଶିକ୍ଷକ ଶିକ୍ଷାନୁଷ୍ଠାନରେ ଅଚଳାବସ୍ଥା

Advertisment

୨୦୦ ପିଲାଙ୍କୁ ଦୁଇ ଜଣ ଶିକ୍ଷକ, ପ୍ରଧାନଶିକ୍ଷକ ପଦ ଖାଲି

୨୦୦ ପିଲାଙ୍କୁ ଦୁଇ ଜଣ ଶିକ୍ଷକ, ପ୍ରଧାନଶିକ୍ଷକ ପଦ ଖାଲି

ଊର୍ଦ୍ଦୁ ଶିକ୍ଷା ପ୍ରତି ବୈମାତୃକ ମନୋଭାବ କାହିଁକି? ୧୦୮ ବର୍ଷ ତଳର ଶିକ୍ଷକ ଶିକ୍ଷାନୁଷ୍ଠାନରେ ଅଚଳାବସ୍ଥା

Pinterest

ଭୁବନେଶ୍ବର: କଟକ ଶେଖ୍‌ ବଜାରରେ ଥିବା ଊର୍ଦ୍ଦୁ ଶିକ୍ଷକ ତାଲିମ ଅନୁଷ୍ଠାନ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଏବେ ପଦାକୁ ଆସିଛି। ୧୦୮ ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଏହି ଶିକ୍ଷାନୁଷ୍ଠାନରେ ପଢ଼ାଇବା ଲାଗି ଶିକ୍ଷକ ନାହାନ୍ତି। ପ୍ରତିବର୍ଷ ଶହେ ଲେଖାଏଁ ଛାତ୍ରଛାତ୍ରୀ ନାମ ଲେଖାଉଥିଲେ ମଧ୍ୟ ପଢ଼ାଇବାକୁ ମାତ୍ର ଦୁଇ ଜଣ ଶିକ୍ଷକ ରହିଛନ୍ତି। ଊର୍ଦ୍ଦୁ ଜାଣିଥିବା ଶିକ୍ଷକଙ୍କୁ ବି ନିଯୁକ୍ତି ଦିଆଯାଉ ନାହିଁ। ପରିଣାମ ସ୍ବରୂପ ଛାତ୍ରଛାତ୍ରୀ ପଢ଼ିବା ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘବର୍ଷ ହେଲା ଏଭଳି ସ୍ଥିତି ଲାଗିରହିଥିଲେ ମଧ୍ୟ ଗଣଶିକ୍ଷା ବିଭାଗ କିମ୍ବା ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ କେହି ବି ଏଥିପ୍ରତି ଗୁରୁତ୍ବାରୋପ କରୁନାହାନ୍ତି। ବୁଦ୍ଧିଜୀବୀମାନେ ଏନେଇ ବାରମ୍ବାର ବିଭାଗୀୟ ମନ୍ତ୍ରୀ, ସଚିବ, ନିର୍ଦେଶକଙ୍କୁ ଭେଟି ଦାବିପତ୍ର ଦେଇଥିଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହୋଇଛି। ଏମିତିକି ରାଜ୍ୟସଭା ସାଂସଦ ମୁନା ଖାଁ ଇତିମଧ୍ୟରେ ଚିଠି ଲେଖି ଶିକ୍ଷାନୁଷ୍ଠାନରେ ଶିକ୍ଷକ ନିଯୁକ୍ତି ଲାଗି ଅନୁରୋଧ କରିଥିଲେ। ତା’ପରେ ବି କୌଣସି ସୁଫଳ ମିଳି ନ ଥିବାରୁ ଏବେ ଓଡ଼ିଶା ରାଜ୍ୟ ମଦ୍ରାସା ଶିକ୍ଷା‌ ପରିଷଦର ସଦସ୍ୟ ତଥା ମୌଲାନା ଆଜାଦ ବିଶ୍ବବିଦ୍ୟାଳୟର ସମ୍ପାଦକ ହୁସେନ୍‌ ରବି ଗାନ୍ଧି ପୁଣିଥରେ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ଚିଠି ଲେଖି ଶିକ୍ଷାନୁଷ୍ଠାନର ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି।

ଶ୍ରୀ ଗାନ୍ଧି କହିଛନ୍ତି ଯେ ୧୯୧୨ ମସିହାରେ ଏହି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇଥିଲା, ଯାହାକି ପୂର୍ବରୁ ଊର୍ଦ୍ଦୁ ଏସ୍‌. ଟି. ସ୍କୁଲ ନାମରେ ପରିଚିତ ଥିଲା। ଏଠାରୁ ଊର୍ଦ୍ଦୁ ପ୍ରାଥମିକ ଶିକ୍ଷକ ଓ ମଦ୍ରାସାର ଅଣ ତାଲିମପ୍ରାପ୍ତ ଶିକ୍ଷକମାନେ ତାଲିମ ନେଉଥିଲେ। ତେବେ ବିଗତ କିଛି ବର୍ଷ ହେଲା ଏଠାରେ ଶିକ୍ଷକ ନିଯୁକ୍ତି କରାଯାଉ ନାହିଁ। ୨୦୧୩ ମସିହାରୁ ପ୍ରଧାନଶିକ୍ଷକ ପଦ ଖାଲି ପଡ଼ିଛି। ୨୦୧୨ରେ ସହକାରୀ ଊର୍ଦ୍ଦୁ ଶିକ୍ଷକ(ଆସିଷ୍ଟାଣ୍ଟ ଟିଚର) ମହମ୍ମଦ ଅଫଜଲ୍‌ ପରଭେଜ୍ ୨୦୧୨ରେ ଜଗତ୍‌ସିଂହପୁରରୁ ବଦଳି ହୋଇ ଏଠାକୁ ଆସିଥିଲେ। ଏବେ ସେ ବରିଷ୍ଠ ଏସ୍‌ଇଏସ୍‌ ଭାବେ ପଦୋନ୍ନତି ପାଇ ଜିଲ୍ଲାର ଆଉ ଏକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ବଦଳି ହୋଇଛନ୍ତି। ହେଲେ ଏଠାରେ ଥିବା ପ୍ରଧାନଶିକ୍ଷକ ପଦ ପୂରଣ ହୋଇପାରିଲା ନାହିଁ। ବର୍ତମାନ ସମୟରେ ଊର୍ଦ୍ଦୁ ଜାଣିଥିବା କ୍ଲାସ-୨ ଶିକ୍ଷକ ରାଜ୍ୟରେ ନାହାନ୍ତି। ତେଣୁ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ଉନ୍ନତି ଲାଗି ଅଫଜଲ୍‌ଙ୍କୁ କଟକ ଶେଖ୍‌ ବଜାରସ୍ଥିତ ସରକାରୀ ଇଟିଇଆଇ(ଊର୍ଦ୍ଦୁ)ର ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ଦିଆଯାଉ।

ଏହି ଶିକ୍ଷାନୁଷ୍ଠାନରେ ପ୍ରତିବର୍ଷ ଶହେ ଛାତ୍ରଛାତ୍ରୀ ନାମଲେଖା ଲେଖାଉଛନ୍ତି। ଏହିପରି ଭାବେ ଦୁଇ ଶିକ୍ଷାବର୍ଷରେ ଦୁଇ ଶହ ପିଲା ପଢ଼ୁଛନ୍ତି। ତେବେ ସେମାନଙ୍କୁ ଶିକ୍ଷା ଦେବା ଲାଗି ଶିକ୍ଷାନୁଷ୍ଠାନରେ ମାତ୍ର ଦୁଇ ଜଣ ଶିକ୍ଷକ ରହିଛନ୍ତି, ଯେଉଁମାନେ କି ଊର୍ଦ୍ଦୁ ଜାଣିନାହାନ୍ତି। ଜଣେ ମାତ୍ର ପିଅନ ରହିଛନ୍ତି। ଏହି ସମସ୍ୟା ସମ୍ପର୍କରେ ଗଣଶିକ୍ଷା ବିଭାଗକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଫଳରେ ଏଠାରେ ପଢ଼ୁଥିବା ୨୦୦ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନର ଭବିଷ୍ୟତ ନେଇ ଆଶଙ୍କା ପ୍ରକାଶ ପାଇଛି। କେବଳ ସେତିକି ନୁହେଁ, କଲେଜସ୍ତରରେ ଖାଲି ଥିବା ଅଧ୍ୟାପକ ପଦ ପୂରଣ ଲାଗି ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ନିଯୁକ୍ତି ହେଉଛି। ତେବେ ଊର୍ଦ୍ଦୁ ଅଧ୍ୟାପକ ନିଯୁକ୍ତି ଲାଗି କୌଣସି ପଦକ୍ଷେପ ନିଆଯାଉ ନ ଥିବା ଶ୍ରୀ ଗାନ୍ଧି ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ଏଦିଗରେ ପଦକ୍ଷେପ ନ ନେଲେ ଆଗାମୀ ଦିଗରେ ଆନ୍ଦୋଳନ ପନ୍ଥା ଆପଣାଇବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe