ଗୁଜରାଟର ପ୍ରଶ୍ନ, ଓଡ଼ିଶାରୁ ଉତ୍ତର; ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ମାଲକାନଗିରିରୁ ଶିକ୍ଷକ ଗିରଫ

Advertisment
ଗୁଜରାଟର ପ୍ରଶ୍ନ, ଓଡ଼ିଶାରୁ ଉତ୍ତର; ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ମାଲକାନଗିରିରୁ ଶିକ୍ଷକ ଗିରଫ

ମାଲକାନଗିରି : ଗୁଜରାଟ ପଞ୍ଚାୟତ ସର୍ଭିସ ସିଲେକ୍ସନ ବୋର୍ଡର କନିଷ୍ଠ କିରାଣି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ଚେର ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଛି। ସୋମବାର ଦିନ ମାଲକାନଗିରି ଜିଲ୍ଲା କର୍ତ୍ତନପାଲୀ ସରକାରୀ ଉଚ୍ଚବିଦ୍ୟାଳୟର ଶିକ୍ଷକ ସରୋଜ ମାଲୁଙ୍କୁ ଗୁଜରାଟ ପୁଲିସ ଗିରଫ କରିବା ପରେ ଏହା ସ୍ପଷ୍ଟ ହୋଇଛି।

ସୂଚନା ଅନୁଯାୟୀ, ଗୁଜରାଟ ପଞ୍ଚାୟତିରାଜ ବିଭାଗରେ ୧୧୮୧ଟି କନିଷ୍ଠ କିରାଣି ପଦବି ପୂରଣ ନିମନ୍ତେ ଗତ ଦିନରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାଜ୍ୟର ୯ଲକ୍ଷ ୫୩ହଜାର ପ୍ରାର୍ଥୀ ପରୀକ୍ଷା ଦେବାକୁ ଆବେଦନ କରିଥିଲେ। ୨୯୯୫ଟି ସେଣ୍ଟରରେ ପରୀକ୍ଷା ନିମନ୍ତେ ତାରିଖ ଧାର୍ଯ୍ୟ ହୋଇସାରିଥିବା ବେଳେ ଏହା ପୂର୍ବରୁ ହିଁ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଯାଇଥିଲା। ଏପରିକି ଲିକ୍‌ ହୋଇଥିବା ପ୍ରଶ୍ନ ଗୁଡ଼ିକର ସମସ୍ତ ଉତ୍ତର ମଧ୍ୟ ପରୀକ୍ଷା ପୂର୍ବରୁ ଭାଇରାଲ ହୋଇଯାଇଥିଲା। ଯାହାକୁ କର୍ତ୍ତନପାଲୀ ସରକାରୀ ହାଇସ୍କୁଲର ଶିକ୍ଷକ ସରୋଜ ମାଲୁ ପ୍ରସ୍ତୁତ କରି ଗୁଜରାଟ ପଠାଇଥିଲେ ବୋଲି ଜଣାପଡ଼ିଛି। ପ୍ରଶ୍ନପତ୍ର ଲିକ୍‌ ଯୋଗୁ ପରୀକ୍ଷାକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଥିଲା। ଗୁଜରାଟ ପୁଲିସ ତଦନ୍ତ ଆରମ୍ଭ କରି ମୋଟ ୧୫ଜଣଙ୍କୁ ଗିରଫ କରିବା ପରେ ମାଲକାନଗିରିରୁ ଉତ୍ତର ଆସିଥିବା ଜାଣିବାକୁ ପାଇଥିଲା। ତେଣୁ ଗୁଜରାଟ ପୁଲିସର ଗୋଟିଏ ଟିମ୍‌ ମାଲକାନଗିରି ଆସି ସରୋଜଙ୍କୁ ଗିରଫ କରିଛି। ତାଙ୍କୁ ଗୁଜରାଟ ନେଇ ଅଧିକ ପଚରାଉଚୁରା କରିବା ପରେ କୋର୍ଟ ଚାଲାଣ କରିବ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ପ୍ରଶ୍ନପତ୍ର ଲିକ୍‌ ଘଟଣାର ତଦନ୍ତ ଜାରି ରହିଛି ଏବଂ ଆଗାମୀ ୧୦୦ଦିନ ମଧ୍ୟରେ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା ହେବ ବୋଲି ଗୁଜରାଟ ପଞ୍ଚାୟତିରାଜ ବିଭାଗ ଉନ୍ନୟନ କମିସନର ପ୍ରକାଶ କରିଛନ୍ତି। ଗୁଜରାଟ ପୁଲିସର ପ୍ରାଥମିକ ତଥ୍ୟ ଆଧାରରେ ମାଲକାନଗିରି ପୁଲିସ ତଦନ୍ତ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ମାଲକାନଗିରି ଏସ୍‌ପି ନିତେଶ ଵାଧଵାନୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe