ଢ଼େଙ୍କାନାଳ: ସମୟ ସମୟରେ ସାଧାରଣସ୍ତରରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ନିଷ୍ଠା ଓ କର୍ତ୍ତବ୍ୟପରାୟଣତା ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ଢ଼େଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ୍ ଅନ୍ତର୍ଗତ ରଥିଆପାଳ ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ବିନୋଦିନୀ ସାମଲ୍ଙ୍କୁ ବିନା ଦ୍ୱିଧାରେ ଏହି ଶ୍ରେଣୀଭୁକ୍ତ କରାଯାଇପାରେ।
ବିନୋଦିନୀଙ୍କ କାର୍ଯ୍ୟଶୈଳୀ ଓ କର୍ତ୍ତବ୍ୟ ପରାୟଣତା ନିଶ୍ଚିତ ଭାବେ ରାଜ୍ୟର ଶିକ୍ଷକଶିକ୍ଷୟିତ୍ରୀଙ୍କ ଲାଗି ଏକ ଅନନ୍ୟ ଉଦାହରଣ। ଦୀର୍ଘ ୧୦ବର୍ଷ ଧରି ଦିନଟିଏ ହେଲେ ବି ଛୁଟି ନ ନେଇ ଖରା-ବର୍ଷା-ଶୀତ କାକରକୁ ଖାତିର ନ କରି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରି ଚାଲିଛନ୍ତି ବିନୋଦିନୀ।
ଫଟୋ ସୌଜନ୍ୟ : ଦାମୋଦର ପ୍ରଧାନସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କର୍ତ୍ତବ୍ୟ ସମ୍ପାଦନ ଲାଗି ଜୀବନକୁ ବାଜି ଲଗାଇବାକୁ ମଧ୍ୟ ପଛାଇ ନାହାନ୍ତି ସେ । ରାଜ୍ୟରେ ପ୍ରବଳ ବର୍ଷା ହେତୁ ତାଙ୍କ ଗାଁ ଜରିପାଳ ଓ କର୍ମକ୍ଷେତ୍ର ରଥିଆପାଳ ମଝିରେ ବହି ଯାଇଥିବା ସାପୁଆ ନଦୀକୁ ସେ ଛାତିଏ ପାଣିରେ ପଶି ପାର ହୋଇ ସ୍କୁଲରେ ପହଞ୍ଚିଛନ୍ତି। ସାପୁଆ ନଦୀରେ ପୋଲଟିଏ ନ ଥିବାରୁ ପ୍ରବଳ ସ୍ରୋତକୁ ଖାତିର ନ କରି ୫୦ବର୍ଷୀୟା ବିନୋଦିନୀ ସ୍କୁଲରେ ସବୁଦିନ ପରି ଆଜି ପହଞ୍ଚିଛନ୍ତି । ଦିନେ କାଳେ ନୁହେଁ, ନିଜ ଗାଁ ଜରିପାଲ ଓ ରଥିଆପାଳର ଶୁଭେଚ୍ଛୁଙ୍କ ଶତ ବାରଣକୁ ପଛରେ ପକାଇ ଗତ ୧୦ ବର୍ଷ ହେଲା ଏମିତି ସ୍କୁଲକୁ ଯାଉଛନ୍ତି ବିନୋଦିନୀ ଆଉ ପିଲାଙ୍କୁ ପଢ଼ାଉଛନ୍ତି ପାଠ।
କର୍ତ୍ତବ୍ୟପରାୟଣା ବିନୋଦିନୀ କିନ୍ତୁ କେବେ ଆତ୍ମପ୍ରଚାର ଲାଗି ଆଗ୍ରହ ପ୍ରକାଶ କରି ନାହାନ୍ତି। ରାଜ୍ୟ ସରକାରଙ୍କ ଗଣଶିକ୍ଷକ ଭାବେ ମାସିକ ମାତ୍ର ୬,୦୦୦ଟଙ୍କା ଦରମା ପାଉଥିବା ବିଦୋଦିନୀ କହନ୍ତି, ‘ମୁଁ ମୋର କର୍ତ୍ତବ୍ୟ କରି ଚାଲିଛି। ପିଲାଙ୍କୁ ପାଠ ପଢ଼ାଇବା ମୋର ଜୀବନର ଲକ୍ଷ୍ୟ। ସେଥିପାଇଁ ଯାହା ବି ଅସୁବିଧା ଆସୁ ତାକୁ ମୋର ଖାତିର ନାହିଁ।’ ଦିନକର ଘଟଣା ବଖାଣି ବିନୋଦିନୀ କହନ୍ତି, ‘ପ୍ରାୟ ଦୁଇ ବର୍ଷ ତଳେ ଥରେ ଏମିତି ପ୍ରବଳ ବର୍ଷା ହେଉଥିଲା, ମୁଁ ନଈ ପାର ହେଉଥିଲି। ହଠାତ୍ ସୁଅ ଏତେ ପ୍ରଖର ହୋଇ ଗଲା ଯେ ମୁଁ ଭାସିଗଲି। ଭାଗ୍ୟକୁ କିଛି ବାଟ ଭାସିଯିବା ପରେ ପହଁରି କୂଳକୁ ଆସିଥିଲି।’
/sambad/media/post_attachments/wp-content/uploads/2019/09/FB_IMG_1568193346384.jpg)
ପରିତାପର ବିଷୟ ହେଲା, ୨୦୦୮ ମସିହାରୁ ଗଣଶିକ୍ଷକ ଭାବେ ଚାକିରି କରୁଥିବା ବିନୋଦିନୀ ଏଯାବତ ନିୟମିତ ହୋଇ ପାରି ନାହାନ୍ତି। ବିଭିନ୍ନ ସରକାରୀ ଆଇନ-କାନୁନର ପଞ୍ଝାରେ ପଡ଼ି ସ୍ଥାୟୀତ୍ବର ମୋହର ବସିପାରି ନାହିଁ ତାଙ୍କ ପଦବୀ ଉପରେ। ସ୍ଥାନୀୟ ଅଞ୍ଚଳର କିଛି ସ୍ୱେଚ୍ଛାସେବୀ ଆଜି ବିନୋଦିନୀଙ୍କ ନିଷ୍ଠା, କର୍ତ୍ତବ୍ୟ ପରାୟଣତା ଓ ସାହାସିକତାର କାହାଣୀ ସୋସିଆଲ ମିଡିଆରେ ପ୍ରକାଶ କରିବା ପରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ସେ ।
Follow Us