ଭଲ ଖବର: ନିଜସ୍ବ ଖର୍ଚ୍ଚରେ ୧୫ ଜଣ ପିଲାଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ କରୁଛନ୍ତି ବିଭୂତି

Advertisment
ଭଲ ଖବର: ନିଜସ୍ବ ଖର୍ଚ୍ଚରେ ୧୫ ଜଣ ପିଲାଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ କରୁଛନ୍ତି ବିଭୂତି

ରାୟଗଡା: ବିଭୁତି ଭୁଷଣ ରଥ। ପେଶାରେ ଜଣେ ଶିକ୍ଷକ। ରାୟଗଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଶିକ୍ଷା ରୂପୀ ପ୍ରକାଶ ବାଣ୍ଟୁଛନ୍ତି ଏହି ଶିକ୍ଷକ। ନିଜସ୍ୱ ଖର୍ଚ୍ଚରେ ପ୍ରାୟ ୧୫ ଜଣ ପିଲାଙ୍କୁ ଉଚ୍ଚଶିକ୍ଷା ପଢ଼ିବା ନିମନ୍ତେ ନାମ ଲେଖାଇ ଚର୍ଚ୍ଚାରେ ପ୍ରଧାନ ଶିକ୍ଷକ ବିଭୁତି ଭୁଷଣ ରଥ। ବାପା ତାଙ୍କର ଆଦିବାସୀ ଆବାସିକ ବିଦ୍ୟାଳୟରେ ଶିକ୍ଷକ ଥିବା ବେଳେ ଆଦିବାସୀ ପିଲାଙ୍କ ଶିକ୍ଷାର ଉନ୍ନତି ପାଇଁ କାମ କରୁଥିଲେ। ବାପାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଶିକ୍ଷକତା ସହିତ ନିଜର ମନରେ ଥିବା ରୁଚିକୁ ସୁଚାରୁ ରୁପେ ପାଳନ କରି ଆସୁଛନ୍ତି ଶ୍ରୀ ରଥ। ରାୟଗଡ଼ା ସହର ଆମ୍ବାଗୁଡ଼ା ଆରଏସଇଡବ୍ଲୁସି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରୂପେ କାମ କରୁଛନ୍ତି ବିଭୁତି ଭୁଷଣ ରଥ। ଜୀବନରେ ଅନ୍ତତଃ ୫୦ ଜଣ ପିଲାଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ କରିବେ ବୋଲି ଶ୍ରୀ ରଥ ଶପଥ ନେଇଛନ୍ତି। ଗାଁ ଗାଁ ବୁଲି ଡ୍ରପ ଆଉଟ ଏବଂ ଆର୍ଥିକ ଅନାଟନରେ ପାଠ ଛାଡିଥିବା ପିଲାଙ୍କୁ ଠାବ କରି ସେମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ପ୍ରବର୍ତ୍ତାଇ ନିଜ ଖର୍ଚ୍ଚରେ ସେମାନଙ୍କୁ ପାଠ ପଢାଉଛନ୍ତି। ବର୍ତ୍ତମାନ ସେ ୧୫ ଜଣ ପିଲାଙ୍କୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାଠ ପଢାଉଛନ୍ତି।

ରାୟଗଡା ଜିଲ୍ଲାର ସଦର ମହକୁମାର ହାଲୁଆ ଗ୍ରାମର ହେନା ଯାକକା କହନ୍ତି, ସେ ଯୁକ୍ତ ଦୁଇ ଡଙ୍ଗାସିଲ ଆଶ୍ରମ ବିଦ୍ୟାଳୟରେ ପାସ କରିବା ପରେ ଆର୍ଥ ଅଭାବରୁ ଆଗକୁ ପଢିପାରିନଥିଲେ। ତେବେ ଏହି ଗାଁକୁ ବୁଲିବାକୁ ଆସିଥିବା ଶ୍ରୀ ରଥ ହେନାଙ୍କ ସହ ସାକ୍ଷାତ ହୋଇଥିଲା। ହେନାଙ୍କ ବାପା ଅଜଣା ରୋଗରେ ପଡ଼ି ମୃତ୍ୟୁବରଣ କରିଥଇବା ବେଳେ ମା‘ ମଧ୍ୟ କର୍କଟ ରୋଗରେ ପଡି ମୃତ୍ୟୁବରଣ କରିଥିଲେ। ହେନା ଏବେ କୁଲି କାମ କରି ନିଜର ପରିବାରକୁ ପ୍ରତିପୋଷଣ କରୁଛି। ସେ ଆଗକୁ ପଢିବାକୁ ଚାହୁଁଥିବା କହିଥିଲା। ତୁରନ୍ତ ଶ୍ରୀ ରଥ ହେନାକୁ ଡିଷ୍ଟାଣ୍ଟ କୋର୍ସ କରିବା ପାଇଁ ମହାବିଦ୍ୟାଳୟରେ ନାମ ଲେଖାଇଦେଲେ। ଏବେ ହେନା ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରୀ। ହେନାର ଭାଇ ଅବିନାଶକୁ ମଧ୍ୟ ନିଜ ଖର୍ଚରେ ପାଠ ପଢାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

publive-image

ଏଭଳି ଜଣେ କିମ୍ବା ଦୁଇ ଜଣ ନୁହେଁ ୧୫ ଜଣ ପିଲାଙ୍କୁ ନାମ ଲେଖାଇ ପାଠ ପଢାଉଥିବା ଶ୍ରୀ ରଥ କହିଛନ୍ତି। ସେ କ୍ଷୋଭର ସହ ପ୍ରକାଶ କରିଥିଲେ ଯେ ତାଂକ ଭଉଣୀ ଜଣେ ମେଧାବୀ ଛାତ୍ରୀ ଥିଲେ। ତେବେ ତାଂକର ଅଚାନକ ମୃତ୍ୟୁରେ ସେ ଭାଙ୍ଗିପଡିଥିଲେ। ତେଣୁ ତାଂକର ସ୍ମୃତିରେ ସେ ଆଦିବାସୀ ଗାଁରେ ପାଠ ଛାଡିଥିବା ଯୁବକଯୁବତୀମାନଙ୍କୁ ପାଠ ପଢାଇବେ ବୋଲି ମନସ୍ଥ କରି ନିଜର ଅଭିଯାନ ଆରମ୍ଭ କରିଛନ୍ତି। ବର୍ତ୍ତମାନ କମ୍ୟୁଟର ଶିକ୍ଷା ଜରୁରୀ ହୋଇଥିବାରୁ ପିଲାଙ୍କୁ କମ୍ପୁଟର ଶିକ୍ଷା ମଧ୍ୟ ପ୍ରଦାନ କରୁଛନ୍ତି।ରାୟଗଡା ଜିଲ୍ଲାର ଦୁର୍ଗମ ଅଂଚଳରେ ଏଭଳି ବହୁ ପିଲା ପାଠ ଛାଡି ନିଜର ଘର କାମରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ତେବେ ଏହି ପିଲାମାନଙ୍କୁ ଠାବ କରି ସେ ଆଗକୁ ଶିକ୍ଷିତ କରାଇବେ ବୋଲି କହିଛନ୍ତି। ଶିକ୍ଷା ଦ୍ବାରା ହିଁ ଦେଶ ଆଗକୁ ବଢିବ ଏବଂ ଏ ଅଂଚଳରେ ଥିବା ଅନ୍ଧବିଶ୍ବାସକୁ ଦୁର କରାଯାଇପାରିବ ବୋଲି ସେ କହନ୍ତି। ନିଜର ଶିକ୍ଷକତା କାମ ସାରିବା ପରେ ସେ ଗାଁ ଗାଁ ବୁଲନ୍ତି। ବିଭୁତି ସାରଙ୍କ ଠାରୁ ସହଯୋଗ ପାଇତିବା ପିଲାମାନେ ମଧ୍ୟ ସାରଙ୍କ ଏହି ସହଯୋଗକୁ ନେଇ ଧନ୍ୟବାଦ ଜଣାଉଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe