ଏମିତି ବି ସ୍କୁଲ୍‌ ଅଛି: ଯେଉଁଠି ଛାତ୍ରୀଙ୍କ ହାତରେ ଦିଦିଙ୍କ ଚାକିରି

Advertisment
ଏମିତି ବି ସ୍କୁଲ୍‌ ଅଛି: ଯେଉଁଠି ଛାତ୍ରୀଙ୍କ ହାତରେ ଦିଦିଙ୍କ ଚାକିରି

ବଅଁରପାଳ: କେଉଁଠି ନଈ ଭିତରେ ପଶି ଅତି ବିପଜ୍ଜନକ ଅବସ୍ଥାରେ ପିଲା ସ୍କୁଲ୍‌ ଯାଉଛନ୍ତି ତ, କେଉଁଠି କାଦୁଅ ପଚପଚ୍‌ ବିଲ ହିଡ଼ରେ। ଗଣମାଧ୍ୟମରେ ପିଲାମାନେ ସ୍କୁଲ୍‌ ଯିବା ପାଇଁ କରୁଥିବା କସରତ୍‌ ସଂପର୍କରେ ଖବର ପ୍ରକାଶ ପାଉଛି। କିନ୍ତୁ ଏମିତି ବି ସ୍କୁଲ୍‌ ଅଛି; ଯେଉଁଠି ପିଲାଙ୍କୁ ଆଣିବା ପାଇଁ ଶିକ୍ଷୟିତ୍ରୀଙ୍କୁ କରିବାକୁ ପଡ଼ୁଛି କସରତ୍‌। ନିଜସ୍ୱ ଖର୍ଚ୍ଚରେ ଗାଡ଼ି ଭଡ଼ା କରି ପିଲାଙ୍କୁ ସ୍କୁଲ୍‌କୁ ନେବା ଆଣିବା କରୁଛନ୍ତିି ଶିକ୍ଷୟିତ୍ରୀ। ବିଶ୍ୱାସ ହେଉନଥିଲେ ବି କଥାଟି ସତ। ବଅଁରପାଳ ଇନ୍ଦିରାଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏଭଳି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳୁଛି। ଚାକିରି ବଞ୍ଚାଇବା ପାଇଁ ଏଠି ଶିକ୍ଷୟିତ୍ରୀମାନେ ଗଲା ତିନି/ଚାରି ବର୍ଷ ହେବ ନିଜ ଦରମାରୁ ଗାଡ଼ି ଭଡ଼ା କରି ପ୍ରତିଦିନ ପିଲାଙ୍କୁ ସ୍କୁଲ୍‌ ଆଣୁଛନ୍ତି ଆଉ ଛାଡ଼ୁଛନ୍ତି ବି। ୩୦ରୁ କମ୍‌ ପିଲା ରହିଲେ ସ୍କୁଲ୍‌ ବନ୍ଦ ହୋଇଯିବାର ସରକାରୀ ନିୟମ ଶିକ୍ଷୟିତ୍ରୀଙ୍କୁ ଏ ପ୍ରକାର କାର୍ଯ୍ୟ କରିବା ପାଇଁ ବାଧ୍ୟ କରିଛି।

ଉଲ୍ଲେଖଯୋଗ୍ୟ, ୧୯୮୮ମସିହାରେ ସ୍ଥାପିତ ହୋଇଥିଲା ଏହି ବାଳିକା ଉଚ୍ଚ ବିଦ୍ୟାଳୟ। ବ୍ଲକ୍‌ ଗ୍ରାଣ୍ଟ୍‌ ମାନ୍ୟତାପ୍ରାପ୍ତ ଏହି ସ୍କୁଲ୍‌କୁ ସରକାରୀ ଅନୁଦାନ ଟଙ୍କାଟିଏ ମିଳିନାହିଁ। ବର୍ତ୍ତମାନ ସ୍କୁଲ୍‌ରେ ଅଷ୍ଟମରେ ୬ଜଣ ଛାତ୍ରୀ ପଢ଼ୁଥିବା ବେଳେ ନବମରେ ୨୦ ଏବଂ ଦଶମରେ ୩୪ପିଲା ପଢ଼ୁଛନ୍ତି। ମୋଟ୍‌ ୬୦ପିଲାଙ୍କୁ ପଢ଼ାଇବା ପାଇଁ ୭ଜଣ ଶିକ୍ଷୟିତ୍ରୀ ଅଛନ୍ତି। ପିଲାଙ୍କ ଅନୁପାତରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ। କିନ୍ତୁ ସ୍କୁଲ୍‌ର ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି, ପିଲାଙ୍କ ସଂଖ୍ୟାରେ କ୍ରମାଗତ ହ୍ରାସ ଘଟିବା। ସରକାରଙ୍କ ନିୟମ ମୁତାବକ, କୌଣସି ଶ୍ରେଣୀରେ ୩୦ରୁ କମ୍‌ ପିଲା ରହିିଲେ ସେହି ଶ୍ରେଣୀକୁ ବନ୍ଦ କରିଦିଆଯିବ। ଏଭଳିସ୍ଥିତିରେ ପୁଣି ସ୍କୁଲ୍‌ ବ୍ଲକ୍‌ ଗ୍ରାଣ୍ଟ୍‌ ହୋଇଥିବାରୁ ଶିକ୍ଷୟିତ୍ରୀଙ୍କୁ ଅନ୍ୟ କୌଣସି ସ୍କୁଲ୍‌ରେ ଥଇଥାନ କରାଯିବାର ନିୟମ ନାହିଁ। ଅର୍ଥାତ୍‌ ପିଲା ନଆସିଲେ ସ୍କୁଲ୍‌ ବନ୍ଦ ହୋଇଯିବ ଏବଂ ଶିକ୍ଷୟିତ୍ରୀ ଚାକିରି ହରାଇବେ। ଖୋଦ୍‌ ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ବି କହିଛନ୍ତି ଯେ, ୩୦ରୁ କମ୍‌ ପିଲା ରହିଲେ ଶ୍ରେଣୀ ବନ୍ଦ ହେବ। ଏହି କ୍ରମରେ ଚଳିତ ଶିକ୍ଷାବର୍ଷରେ ମାତ୍ର ୬ଜଣ ପିଲା ଅଷ୍ଟମରେ ନାମ ଲେଖାଇଛନ୍ତି। ବିଗତ ତିନି/ଚାରି ଶିକ୍ଷାବର୍ଷ ହେବ ଏ ପ୍ରକାର ସମସ୍ୟା ଉପୁଜିଥିବାରୁ ପିଲା ସଂକଟ ଦୂର ଏବଂ ଚାକିରି ବଞ୍ଚାଇବା ପାଇଁ ୭ଜଣ ଶିକ୍ଷୟିତ୍ରୀ ଗାଡ଼ି ସୁବିଧା କରାଇଛନ୍ତି। ନିଜ ଦରମାରୁ ସମସ୍ତେ ଗାଡ଼ି ଭଡ଼ା ଦେଇ ପିଲାଙ୍କୁ ତାଳବାହାଳି, ଶାଳଗାଡ଼ିଆ, କଣ୍ଟାବଣିଆ ଆଦି ଅଂଚଳରୁ ନେବା ଆଣିବା କରାଉଛନ୍ତି। ତଥାପି ପିଲାଙ୍କ ସଂଖ୍ୟା ବଢ଼ିବା ପରିବର୍ତେ ବର୍ଷକୁ ବର୍ଷ କମୁଥିବାରୁ ଶିକ୍ଷୟିତ୍ରୀଙ୍କ ଚିନ୍ତା ବଢ଼ିଯାଇଛି।

ପ୍ରଧାନ ଶିକ୍ଷୟିତ୍ରୀ ବିଜୟାଲକ୍ଷ୍ମୀ ଦାସ କହିଛନ୍ତି, ସ୍କୁଲ୍‌ରେ ପିଲାଙ୍କ ସଂଖ୍ୟା କମି କମି ଯାଉଛି। ନିକଟରେ ଥିବା ବଅଁରପାଳ ପିବିକେ ହାଇସ୍କୁଲ୍‌ରେ ଅଧିକ ସଂଖ୍ୟାରେ ପିଲା ନାମ ଲେଖାଉଛନ୍ତି। ତେଣୁ ସ୍କୁଲ୍‌ ବନ୍ଦ ଓ ଚାକିରି ବଞ୍ଚାଇବା ପାଇଁ ବର୍ଷକୁ ପ୍ରତ୍ୟେକ ଶିକ୍ଷୟିତ୍ରୀ ଗୋଟିଏ ମାସର ଦରମା ଗାଡ଼ି ଭଡ଼ା ବାବଦକୁ ଦେଉଛନ୍ତି। ଗାଡ଼ି ଭଡ଼ା ବାବଦରେ ବର୍ଷକୁ ପ୍ରାୟ ୧ଲକ୍ଷ ୧୦ହଜାର ଟଙ୍କା ଦିଆଯାଉଥିବା ଶ୍ରୀମତୀ ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe