ନିଜସ୍ବ ଖର୍ଚ୍ଚରେ ଖୁସି ବାଣ୍ଟୁଛନ୍ତି ଶିକ୍ଷୟିତ୍ରୀ: ଚର୍ଚ୍ଚାରେ ଆଦିବାସୀ ପ୍ୟାଡ୍‌ ଓମେନ୍‌

Advertisment

ଦରମା ଟଙ୍କାରେ ସାନିଟାରି ନାପକିନ୍‌ (ପ୍ୟାଡ୍‌) ତିଆରି କରି ବାଣ୍ଟୁଛନ୍ତି ଯାଜପୁର ଗରାମିଆଁ ସରକାରୀ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ କନକଲତା ଦେହୁରୀ। ଗ୍ରୀଷ୍ମଛୁଟିରେ ଦୁର୍ଗମ ଗ୍ରାମାଞ୍ଚଳରେ ଦେଢ଼ଶହ.....

ଦରମା ଟଙ୍କାରେ ସାନିଟାରି ନାପକିନ୍‌ (ପ୍ୟାଡ୍‌) ତିଆରି କରି ବାଣ୍ଟୁଛନ୍ତି ଯାଜପୁର ଗରାମିଆଁ ସରକାରୀ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ କନକଲତା ଦେହୁରୀ। ଗ୍ରୀଷ୍ମଛୁଟିରେ ଦୁର୍ଗମ ଗ୍ରାମାଞ୍ଚଳରେ ଦେଢ଼ଶହ.....

sfsfxcxcxc

କାଳିଆପାଣି: ଦରମା ଟଙ୍କାରେ ସାନିଟାରି ନାପକିନ୍‌ (ପ୍ୟାଡ୍‌) ତିଆରି କରି ବାଣ୍ଟୁଛନ୍ତି ଯାଜପୁର ଗରାମିଆଁ ସରକାରୀ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ କନକଲତା ଦେହୁରୀ। ଗ୍ରୀଷ୍ମଛୁଟିରେ ଦୁର୍ଗମ ଗ୍ରାମାଞ୍ଚଳରେ ଦେଢ଼ଶହ ମହିଳାଙ୍କୁ ସାନିଟାରି ପ୍ୟାଡ୍‌ ବାଣ୍ଟି ସେମାନଙ୍କୁ ସ୍ବାସ୍ଥ୍ୟ ସଚେତନ କରାଇଛନ୍ତି। ଏଥିପାଇଁ ସେ ଏବେ ଅଞ୍ଚଳର ଘରେ ଘରେ ପରିଚିତ। ନିଜେ ଶିକ୍ଷିତ ଓ ସଚେତନ, କିନ୍ତୁ ବାପଘର ଓ ଶାଶୂଘର ଗାଁ, ଆଖପାଖ ବସ୍ତିବାସିନ୍ଦାଙ୍କ ମଧ୍ୟରେ ବିଶେଷ ସଚେତନତା ଆସିନାହିଁ। ନିରକ୍ଷର ଓ ଅଭାବ କାରଣରୁ ସ୍ବାସ୍ଥ୍ୟରକ୍ଷା ସଂପର୍କରେ ଅଜ୍ଞ ହୋଇ ରହିଛନ୍ତି। ଏବେ ମଧ୍ୟ ଅଧିକାଂଶ ପରିବାରରେ ମହିଳାଙ୍କ ମାସିକ ଋତୁଚକ୍ରକୁ ନେଇ କୁସଂସ୍କାର ରହିଛି। ଏହି ସମୟରେ ଗରିବ ଛାତ୍ରୀ ଓ ଶ୍ରମଜୀବୀ ମହିଳା ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପଦ୍ଧତି ଆପଣାଉଛନ୍ତି। ଆଶାକର୍ମୀଙ୍କ ମାଧ୍ୟମରେ ସ୍ବାସ୍ଥ୍ୟ ବିଭାଗ ସ୍ବଳ୍ପ ମୂଲ୍ୟରେ ‘ଖୁସି’ ବାଣ୍ଟୁଥିଲେ ହେଁ ବିଭିନ୍ନ କାରଣରୁ ଏହା ଅଧିକାଂଶ ଗାଁରେ ଅପହଞ୍ଚ।

ଗାଁରେ ଏକ ମହିଳା ସଂକୀର୍ତ୍ତନ ଦଳର ନେତୃତ୍ବ ନେଉଥିବା ଶିକ୍ଷୟିତ୍ରୀ କନକଲତା ଏ ଦିଗରେ କିଛି କରିବା ଲାଗି ଆଗକୁ ବଢ଼ିଥିଲେ। ୟୁଟ୍ୟୁବ୍‌ରୁ ପ୍ୟାଡ୍‌ ପ୍ରସ୍ତୁତି ଜ୍ଞାନକୌଶଳ ଶିଖିଥିଲେ। ଅନ୍‌ଲାଇନ୍‌ରେ ବିଭିନ୍ନ ଉପକରଣ କପାତୁଳା, ବାଉଁଶ ଓ ଛଣରୁ ପ୍ରସ୍ତୁତ ଅଣୁତନ୍ତୁ କିଣିଥିଲେ। ସେଥିରେ ସୂତା କପଡ଼ା ଦେଇ ମେସିନ୍‌ରେ ପ୍ୟାଡ୍‌ ପ୍ରସ୍ତୁତ କରିଥିଲେ। ସାବୁନରେ ସଫା ଓ ଶୁଖାଇବା ପରେ ଏହି ପ୍ୟାଡ୍‌ ୨ରୁ ୩ ଥର ବ୍ୟବହାରଯୋଗ୍ୟ ହୋଇଥାଏ ବୋଲି ସେ କହିଛନ୍ତି। ଏମିତିରେ ମାସକରେ ଜଣେ ମହିଳାଙ୍କ ପାଇଁ ୨ଟି ପ୍ୟାଡ୍‌ ଆବଶ୍ୟକ ହୋଇଥାଏ। ଗୋଟିଏ ପ୍ୟାଡ୍‌ ପାଇଁ ତାଙ୍କୁ ୫ରୁ ୭ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଅତିରିକ୍ତ କିଛି ସମୟ ସେ ସିଲେଇ କରିଥାନ୍ତି। ମାସକୁ ୭୦ରୁ ୮୦ଟି ପ୍ୟାଡ୍‌ ବାଣ୍ଟୁଛନ୍ତି। ଆଗକୁ ମଧ୍ୟ ସେ ଏହି କାମ ଜାରି ରଖିବାକୁ ଲକ୍ଷ୍ୟ ରଖିଛନ୍ତି।

ଶ୍ବଶୁର ସ୍ବର୍ଗତ କାଠି ପ୍ରଧାନ ୪ ଦଶନ୍ଧି ଧରି ୱାର୍ଡ‌ମେମ୍ବର ଥିଲେ। ଦେଡ଼ଶୁର ଶଙ୍କର୍ଷଣ ପ୍ରଧାନ ସୂର୍ଯ୍ୟବଂଶୀ ଶବର ସମାଜର ୪ ଦେଶ (ଅଞ୍ଚଳ) ପ୍ରତିନିଧି ଅଛନ୍ତି। ଶ୍ବଶୁର ଓ ଦେଡ଼ଶୁରଙ୍କ ସମାଜସେବା ଦ୍ବାରା ସେ ଅନୁପ୍ରାଣିତ। ଅବହେଳିତ ସମାଜ ପାଇଁ କିଛି କରିବାର ସୁଯୋଗ ପାଇଛି ବୋଲି କହନ୍ତି କନକଲତା। ଗାଁରେ ତେଜରାତି ଦୋକାନ କରିଥିବା ସ୍ବାମୀ ପଦ୍ମନାଭ ପ୍ରଧାନ, ସ୍ନାତକ ପଢ଼ୁଥିବା ଝିଅ ଓ ତାମିଲନାଡ଼ୁରେ ଏକ କଂପାନିରେ କାମ କରୁଥିବା ପୁଅ ତାଙ୍କୁ ଉତ୍ସାହିତ କରିଥାନ୍ତି ବୋଲି ଶ୍ରୀମତୀ ଦେହୁରୀ କହିଛନ୍ତି। ଶିକ୍ଷୟିତ୍ରୀଙ୍କ ଏତାଦୃଶ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଶ୍ରୀଗଣେଶ ଯୁବକ ସଂଘର ସଂଯୋଜକ ନରେଶ ଚନ୍ଦ୍ର ପ୍ରଧାନ ଓ ସ୍ଥାନୀୟ ସରପଞ୍ଚ ସଞ୍ଜୟ କୁମାର ପରିଡ଼ା। ଶିକ୍ଷୟିତ୍ରୀ କନକଲତା ଏବେ ତାଙ୍କ ପଞ୍ଚାୟତରେ ମହିଳାମାନଙ୍କ ପାଇଁ ଆଦର୍ଶ ବୋଲି ସରପଞ୍ଚ ଶ୍ରୀ ପରିଡ଼ା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe