ଭଣ୍ଡାରିପୋଖରୀ/ଭଣ୍ଡାରିପୋଖରୀ-୧: ଭଣ୍ଡାରିପୋଖରୀ ବ୍ଲକ ମଢ଼ିଆଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦୀର୍ଘଦିନ ହେବ ଶିକ୍ଷକ ଅଭାବ ଦେଖାଦେଇଛି। ବିଦ୍ୟାଳୟରେ ପ୍ରାୟ ୧୪୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୩ ଜଣ ଶିକ୍ଷକ ରହିଛନ୍ତି। ନିୟମ ଅନୁସାରେ ପ୍ରଧାନ ଶିକ୍ଷକ ମଧ୍ୟାହ୍ନ ଭୋଜନ ପରିଚାଳନା ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ଅନ୍ୟ ଦୁଇ ଜଣ ଶିକ୍ଷକ ଆଠଟି ଶ୍ରେଣୀରେ ଶିକ୍ଷାଦାନ କରିବା ଅସମ୍ଭବ ହୋଇପଡିଛି।
ପୂର୍ବରୁ ପର୍ଯ୍ୟାୟକ୍ରମେ ଉକ୍ତ ବିଦ୍ୟାଳୟର ଜଣେ ଶିକ୍ଷକ ସିଆରସିସି ଭାବେ ପଦୋନ୍ନତି ପାଇ ଚାଲିଯାଇଥିବା ବେଳେ ଅନ୍ୟଜଣେ ଡେପୁଟେସନରେ ଓ ଏବେ ଆଉ ଜଣେ ଶିକ୍ଷୟିତ୍ରୀ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ପଦୋନ୍ନତି ପାଇ ବିଦ୍ୟାଳୟ ଛାଡ଼ିଛନ୍ତି। ମୋଟାମୋଟି ୩ଜଣ ଶିକ୍ଷକଙ୍କୁ ଆଠଟି ଶ୍ରେଣୀ ରହିଛି। ଯେଉଁ ଶିକ୍ଷକମାନେ ଏଠାରୁ ବଦଳି ହୋଇଯାଇଛନ୍ତି ସେମାନଙ୍କ ସ୍ଥାନରେ ନୂତନ ଶିକ୍ଷକ ନିଯୁକ୍ତି ପାଇଁ ଗ୍ରାମବାସୀମାନେ ପୂର୍ବରୁ ଶିକ୍ଷା ବିଭାଗକୁ ବାରମ୍ବାର ଅନୁରୋଧ କରିଥିଲେ। ହେଲେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ନୂତନ ଶିକ୍ଷକଙ୍କୁ ନିଯୁକ୍ତି ନ ମିଳିବାରୁ ଆଜି ବାଧ୍ୟ ହୋଇ ଅଭିଭାବକ ଓ ଛାତ୍ରଛାତ୍ରୀ ବିଦ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଖବର ପାଇ ବ୍ଲକ ଶିକ୍ଷାଧିକାରୀଙ୍କ ପ୍ରତିନିଧି ଭାବେ ବିଆର୍ସିସି ଅକ୍ଷୟ ଜେନା ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ପରେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବା କଥା ମଧ୍ୟ ଅଭିଭାବକମାନଙ୍କୁ କୁହାଯାଇଥିଲା।
ଯେତିକି ଶିକ୍ଷକ ବିଦ୍ୟାଳୟରୁ ଯାଇଛନ୍ତି ସେତିକି ନୂତନ ନିଯୁକ୍ତି ପାଇଁ ଗ୍ରାମବାସୀ ଜିଦରେ ଅଟଳ ରହିଛନ୍ତି। ଗୋଷ୍ଠୀ ଶିକ୍ଷାଧିକାରୀ ଏହା ଉପରେ ଦୃଷ୍ଟି ନ ଦେଲେ ଆସନ୍ତାକାଲିଠାରୁ ଧାରଣାକୁ ଜୋର୍ଦାର କରାଯିବ ବୋଲି ଅଭିଭାବକ ଅଜିତ କୁମାର ଜେନା, ଜଳଧର ବେହେରା, ମନୋଜ କୁମାର ରାଉତ, ବସନ୍ତ କୁମାର ବେହେରା, କଲସୁମ ବିବି, କଣ୍ଢେଇ ବାରିକ, ସୀତାରା ବିବି, ଅନ୍ନପୂର୍ଣ୍ଣ ରାଉତ, ରବୀନ୍ଦ୍ର ବେହେରା, ଜୟନ୍ତ ଖୁଣ୍ଟିଆ, ରମିନା ବିବି, ମିନାରାଣୀ ବାରିକ, ସଦାନନ୍ଦ ସାହୁ ପ୍ରମୁଖ ଜଣାଇଛନ୍ତି। ଏପଟେ ବ୍ଲକ୍ ଶିକ୍ଷାଧିକାରୀ ଅଧୀର କୁମାର ତରାଇଙ୍କ ମତାମତ ନେବାରୁ ଦାବି ଅନୁଯାୟୀ ଆଜି ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଆଗାମୀ ଦିନରେ ଆବଶ୍ୟକ ଶିକ୍ଷକ ଯୋଗାଇ ଦିଆଯିବ ବୋଲି କହିଛନ୍ତି।
Follow Us