ମୋହନା/ପାରଳାଖେମୁଣ୍ଡି/ଚନ୍ଦ୍ରଗିରି : ମଦ୍ୟପାନ କରି ଛାତ୍ରଛାତ୍ରୀଙ୍କୁ ମାଡ଼ ଘଟଣାରେ ଅଭିଯୁକ୍ତ ଶିକ୍ଷକ ଜଗଦୀଶ ବେହେରାଙ୍କୁ ନିଲମ୍ବିତ ହୋଇଥିବାର ଖବର ମିଳିଛି। ତାଙ୍କୁ ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଲମ୍ବନ କରିଛନ୍ତି।
ସୂଚନାଯୋଗ୍ୟ, ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଲୁଧିଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ବେହେରା ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଅନ୍ୟ ଏକ ବିଦ୍ୟାଳୟ ଡେଙ୍ଗାସଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ବିନା କାରଣରେ ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ୨ଟି ବାଉଁଶ ବେତରେ ପିଟିଥିଲେ। ଏହି ସମୟରେ କିଛି ଶିକ୍ଷକ ବୁଝାସୁଝା କରିବାକୁ ଆସିଥିବା ବେଳେ ସେମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏ ସମ୍ପର୍କରେ ଅବିଭାବକମାନେ ଖବର ପାଇବା ପରେ ନିଜ ନିଜର ପିଲାମାନଙ୍କୁ ୨ଟି ଅଟୋରେ ସେଠାରୁ ଆଡ଼ବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇ ପହଞ୍ଚିଥିଲେ। ପିଲାମାନଙ୍କ ଶରୀର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ବେଳେ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିବା ସୂଚନା ମିଳିଛି।
ଏ ସମ୍ପର୍କରେ ଖବର ପାଇ ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବଦାସ ତାମରାପୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ବୁଝିବା ସହ ଛାତ୍ରଛାତ୍ରୀମାନଙ୍କ ଠାରୁ ସମସ୍ତ ବୟାନ ନେଇଥିଲେ। ମଦ୍ୟପ ଶିକ୍ଷକ ଜଗଦୀଶ ବେହେରାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶିକ୍ଷକଙ୍କୁ ଥାନାରେ ଅଟକ ରଖି ପୁଲିସ ତଦନ୍ତ ଜାରି ରଖିଥିଲା। ମୋହନା ବ୍ଲକର ଉପାନ୍ତ ବିଦ୍ୟାଳୟ ଗୁଡିକରେ ବିଭିନ୍ନ ସମୟରେ ଶିକ୍ଷକଙ୍କ ଅନୁପସ୍ଥିତି ସାଙ୍ଗକୁ ବହୁ ବିଦ୍ୟାଳୟର ଶିକ୍ଷକମାନେ ଶିକ୍ଷାଦାନ ସମୟରେ ମଦ୍ୟପାନ କରି ଆସୁଥିବା ମଧ୍ୟ ପୂର୍ବରୁ ଅଭିଯୋଗ ହୋଇଛି।
ମଦ୍ୟପାନ କରି ଛାତ୍ରଛାତ୍ରୀଙ୍କୁ ମାଡ଼ ଘଟଣା: ଅଭିଯୁକ୍ତ ଶିକ୍ଷକ ନିଲମ୍ବିତ
Advertisment
Follow Us