ଶିକ୍ଷକ ନକଲି, ଛାତ୍ର ବି ନକଲି: ଗଞ୍ଜାମରେ ୧୧୫ ତାଲିକା ପ୍ରସ୍ତୁତ

୨୧ରୁ ପ୍ରାଥମିକ ବିଦ୍ୟାଳୟ ପିଲାଙ୍କ ଏସ୍‌ଏ-୨

India Today

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଜାଲ୍‌ ଶିକ୍ଷକ ଧରା ଅଭିଯାନ ଜୋର୍‌ଦାର୍‌ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। କିଛି ସୂଚନା ଅଧିକାର କର୍ମୀଙ୍କ ଅଭିଯୋଗ ଅନୁସାରେ ଗଞ୍ଜାମ ଜିଲ୍ଲାରେ ଶତାଧିକ ଜାଲ୍‌ ଶିକ୍ଷକ କାମ କରୁଛନ୍ତି। ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସନ୍ଦିଗ୍ଧ ଆହୁରି ୧୧୫ ଜାଲ୍‌ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ ହୋଇଛି। ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ୍‌ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜାଲ୍‌ ପ୍ରମାଣପତ୍ର ଦେଇ ଆହୁରି ୧୧୫ଜଣ ଶିକ୍ଷକ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଚାକିରି କରୁଥିବା ଅଭିଯୋଗ ହୋଇଛି। ଯାଞ୍ଚ୍‌ ନିମନ୍ତେ ତାଲିକାଭୁକ୍ତ ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରିବାକୁ ଜିଲ୍ଲା ଶିକ୍ଷାଧିକାରୀ ସଂପୃକ୍ତ ବିଇଓମାନଙ୍କୁ ଚିଠି କରିଛନ୍ତି। ଏହି ନିର୍ଦ୍ଦେଶକ୍ରମେ କିଛି ବିଇଓ ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଦାଖଲ କରିଥିବା ବେଳେ ଆଉ କେତେକ ବ୍ଲକ୍‌ରେ ଏହି ପ୍ରକ୍ରିୟା ଜାରି ରହିଥିବା ସୂଚନା ମିଳିଛି।

ଗଞ୍ଜାମ ଜିଲ୍ଲାରେ ଜାଲ୍‌ ଶିକ୍ଷାଗତ ପ୍ରମାଣପତ୍ର (ସିଟି, ବିଇଡି, ଯୁକ୍ତଦୁଇ) ଦାଖଲ କରି ଶତାଧିକ ଶିକ୍ଷକ ଚାକିରି କରୁଥିବା ଅଭିଯୋଗ ହୋଇଥିଲା। ୨୦୧୯ ଅକ୍ଟୋବରରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ୍‌ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଉପର ଠାଉରିଆ ତଦନ୍ତ କରି କାମ ସାରି ଦିଆଯାଇଥିଲା। କିଛି ସୂଚନା ଅଧିକାର କର୍ମୀ ଏ ନେଇ ଜିଲ୍ଲା ଶିକ୍ଷା ବିଭାଗକୁ ତଥ୍ୟ ମାଗିଥିଲେ। ଏହାପରେ ଶିକ୍ଷା ବିଭାଗ ତରଫରୁ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ ହୋଇଥିଲା। ଗତ ୨୦୨୦ରେ ବିଭିନ୍ନ ବ୍ଲକ୍‌ରେ ଜାଲ୍‌ ଶିକ୍ଷକଙ୍କୁ ଚିହ୍ନଟ କରି ୪୧ଜଣଙ୍କ ନାମରେ ସଂପୃକ୍ତ ବିଇଓମାନେ ଏତଲା ଦେଇଥିଲେ। ଏହାପରେ ଗତ ଡିସେମ୍ବର ମାସରେ ପ୍ରକାଶ ଚନ୍ଦ୍ର ମହାନ୍ତି ନାମକ ଜଣେ ବ୍ୟକ୍ତି ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ପିଟିସନ୍‌ ଦାଖଲ କରି ଆହୁରି ୧୧୫ଜଣ ଜାଲ୍‌ ଚାକିରି କରୁଥିବା ନେଇ ପ୍ରମାଣ ସହ ଅଭିଯୋଗ ଦାଖଲ କରିଥିଲେ। ଏହି ଅଭିଯୋଗର ତଦନ୍ତ କରିବା ପାଇଁ ଜିଲ୍ଲାପାଳ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାର ତଦନ୍ତ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ବିଇଓମାନଙ୍କୁ ସମ୍ପୃକ୍ତ ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର ମଗାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe