Odisha News Insight
ସମ୍ବଲପୁର : କାର୍ଯ୍ୟକାରୀ ହୋଇପାରିଲାନି ସରକାରଙ୍କ ନିଷ୍ପତ୍ତି। ସରକାରୀ ସ୍କୁଲ ଶିକ୍ଷୟିତ୍ରୀଙ୍କ ହସ୍ତତନ୍ତ ଶାଢ଼ି ପରିଧାନ ନିଷ୍ପତ୍ତିକୁ ରାଜ୍ୟବାସୀ ସ୍ବାଗତ କରିଥିଲେ। ଆର୍ଥିକ ଅବସ୍ଥାରେ ସୁଧାର ଆସିବା ସହିତ ଜୀବନଧାରଣ ମାନରେ ଉନ୍ନତି ପରିଲକ୍ଷିତ ହେବାନେଇ ସୁଧାର ବୁଣାକାରମାନେ ବି ବେଶ୍ ଉତ୍ସାହିତ ଥିଲେ। ହେଲେ, ସମୟ ଅତିକ୍ରାନ୍ତ ହେବା ସହିତ ସରକାର ଭୁଲି ଯାଇଛନ୍ତି। ଏହାକୁ ନେଇ ରାଜ୍ୟର ବୁଣାକାରମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସରକାରୀ ସ୍କୁଲର ଶିକ୍ଷୟିତ୍ରୀମାନଙ୍କ ପାଇଁ ହସ୍ତତନ୍ତ ଶାଢ଼ି ବାଧ୍ୟତାମୂଳକ କରିବା ନେଇ ବହୁଦିନ ହେଲା ଆଲୋଚନା ଚାଲିଥିଲା। ପରିଶେଷରେ ୨୯ ମେ ୨୦୧୮ରେ ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ତାହାକୁ ଚୂଡ଼ାନ୍ତ ରୂପ ଦିଆଯାଇଥିଲା। ବୈଠକରେ ତତ୍କାଳୀନ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ଉପସ୍ଥିତ ଥିଲେ। ଗଣଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ଯେଉଁ ପାଟର୍ନ କିମ୍ବା ରଙ୍ଗ ରଖାଯାଇଥିଲା, ତାହା ସମାନ ରଖାଯିବା ଏବଂ ସେଥିରେ ବାନ୍ଧ କାମ ହେବା ସହିତ ହସ୍ତତନ୍ତ ଲୁଗା ଦିଆଯିବାକୁ ଏହି ବୈଠକରେ ସ୍ଥିର ହୋଇଥିଲା। ବୈଠକରେ ସ୍କୁଲ୍ ଓ କଲେଜ ପିଲାଙ୍କ ଡ୍ରେସ୍ କୋର୍ଡ ବିଷୟରେ ବି ଆଲୋଚନା ହୋଇଥିଲା। ଏଥିପାଇଁ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯିବା ସହିତ ପରବର୍ତ୍ତୀ ସମୟରେ ଏ ନେଇ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବାକୁ ସ୍ଥିର ହୋଇଥିଲା।
Update Odishaବୈଠକ ପରେ ତତ୍କାଳୀନ ମନ୍ତ୍ରୀ ଶ୍ରୀମତୀ ଛୁରିଆ ଗଣମାଧ୍ୟମକୁ କହିଥିଲେ, ବିଭାଗର ଲାଭ କ୍ଷତି ହିସାବ କରାଯାଉନାହିଁ। ବୁଣାକାରମାନଙ୍କ ଜୀବନଜୀବିକାର ସୁଦୃଢ଼ୀକରଣ ତଥା ଆର୍ଥିକ ଦୃଷ୍ଟିରୁ ସେମାନଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ଏପରି ପଦକ୍ଷେପ ନିଆଯାଉଛି। ସାଧାରଣତଃ ହସ୍ତତନ୍ତ ଶାଢ଼ିର ଦର ଅଧିକ ହୁଏ। ସେଥିପାଇଁ ବିଭାଗ ତରଫରୁ ରିହାତି ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଥିଲେ। ସେହି ଶିକ୍ଷାବର୍ଷରୁ ହାଇସ୍କୁଲ ଓ ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀମାନଙ୍କ ପାଇଁ ହସ୍ତତନ୍ତ ଶାଢ଼ି ପରିଧାନ ନିଷ୍ପତ୍ତି କାର୍ଯ୍ୟକାରୀ କରିବା ଯୋଜନା ରହିଥିବାବେଳେ ରାଜ୍ୟର ବୁଣାକାର ମହଲରେ ଏହାକୁ ଜୋର୍ଦାର ସ୍ୱାଗତ କରାଯାଇଥିଲା। ହସ୍ତତନ୍ତ ଶାଢ଼ି ବ୍ୟବହାର ଦ୍ୱାରା ବୁଣାକାରମାନଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ବୋଲି ସେମାନେ ଆଶାବ୍ୟକ୍ତ କରିଥିଲେ। ସେହି ସମୟର ରାଜ୍ୟରେ ୭୪୩ଟି ବୁଣାକାରମାନଙ୍କ ସମବାୟ ସମିତି କାର୍ଯ୍ୟକ୍ଷମ ରହିଥିଲା। ରାଜ୍ୟ ସବୁ ଶିକ୍ଷାନୁଷ୍ଠାନର ପିଲାମାନଙ୍କ ପାଇଁ ହସ୍ତତନ୍ତ ଡ୍ରେସ୍ କୋଡ୍ କରାଗଲେ ଏକ ସଂଗରେ ଡ୍ରେସ୍ ଯୋଗାଇବା ସମ୍ଭବ ହେବନାହିଁ। ତେଣୁ ପର୍ଯ୍ୟାୟକ୍ରମେ ଶିକ୍ଷାନୁଷ୍ଠାନଗୁଡ଼କରେ ଏହି ଡ୍ରେସ୍କୋଡ୍ ଲାଗୁ କରିବାକୁ ଚିନ୍ତା କରାଯାଇଥିଲା। ଉକ୍ତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ସିନା ହୋଇଗଲା, କିନ୍ତୁ, ମନ୍ତ୍ରୀ ଶ୍ରୀମତୀ ଛୁରିଆଙ୍କ କାର୍ଯ୍ୟକାଳ ସମୟରେ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନାହିଁ।
୨୦୧୯ ବିଧାନସଭା ନିର୍ବାଚନ ପରେ ବିଜେଡି ପୁଣି ରାଜ୍ୟରେ ସରକାର ଗଠନ କରିଛି। ଉଭୟ ଗଣଶିକ୍ଷା ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ମନ୍ତ୍ରୀପଦ ଏବେ ଅନ୍ୟ ନେତାଙ୍କୁ ମିଳିଛି। ରାଜ୍ୟର ଶାସକ ଦଳରେ ପରିବର୍ତ୍ତନ ହୋଇନଥିଲେ ହେଁ ପୂର୍ବ ସରକାର ସମୟରେ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଉନାହିଁ। କରୋନା ମହାମାରୀ ସମୟରେ ଲକ୍ଡାଉନ୍ ଯୋଗୁ ବୁଣାକାରମାନେ ମଧ୍ୟ ଘରେ ହାତବାନ୍ଧି ବସି ରହିଲେ। ସେମାନଙ୍କ ଆର୍ଥିକ ସ୍ଥିତି ଏବେ ଦୟନୀୟ ହୋଇଯାଇଛି। ରାଜ୍ୟର ଉଭୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ପାଇଁ ହସ୍ତତନ୍ତ ତିଆରି ପୋଷାକର ଡ୍ରେସ୍ କୋଡ୍ ଲାଗୁ କରାଗଲେ ବୁଣାକାରବର୍ଗ ବେଶ୍ ଉପକୃତ ହୋଇପାରନ୍ତେ। କେବଳ ସେତିକି ନୁହେଁ, ଏହାର ପ୍ରଭାବ ଜନସାଧାରଣଙ୍କ ଉପରେ ପଡ଼ନ୍ତା। ଆର୍ଥିକ ଅବସ୍ଥାରେ ସୁଧାର ଆସିବା ସହିତ ବୁଣାକାରମାନଙ୍କ ଜୀବନଧାରଣର ମାନରେ ବେଶ୍ ଉନ୍ନତି ପରିଲକ୍ଷିତ ହୁଅନ୍ତା।
Follow Us