ଆନ୍ଦୋଳନରେ ଅଧ୍ୟାପକ, ଘାରିଲା ଯୁକ୍ତ୨ ପରୀକ୍ଷା ଚିନ୍ତା : ଲୋଡ଼ାଗଲା ଡିଗ୍ରି କଲେଜ ସହଯୋଗ

ଆନ୍ଦୋଳନରେ ଅଧ୍ୟାପକ, ଘାରିଲା ଯୁକ୍ତ୨ ପରୀକ୍ଷା ଚିନ୍ତା : ଲୋଡ଼ାଗଲା ଡିଗ୍ରି କଲେଜ ସହଯୋଗ

୮୮୯ କଲେଜକୁ ଚିଠି ଲେଖିଲେ ଉଚ୍ଚଶିକ୍ଷା ସଚିବ
ଫେବ୍ରୁଆରି ଶେଷ ସପ୍ତାହରୁ ହବ୍‌କୁ ପଠାଯିବ ପ୍ରଶ୍ନପତ୍ର

ଭୁବନେଶ୍ୱର : ମାର୍ଚ୍ଚ ୬ରୁ ଯୁକ୍ତ୨ ଥିଓରି ପରୀକ୍ଷା। ହାତରେ ଆଉ ୨୦ ଦିନରୁ କମ୍‌ ସମୟ ରହିଥିବାବେଳେ ଏବେଠାରୁ ଘାରିଲାଣି ପରୀକ୍ଷା ପରିଚାଳନା ଚିନ୍ତା। ଗୋଟିଏ ପଟେ ୪୮୮ ବର୍ଗ ଓ ୬୬୨ ବର୍ଗ କଲେଜର ଅଧ୍ୟାପକ, କର୍ମଚାରୀ ଆନ୍ଦୋଳନ ଚଳାଇଥିବା ବେଳେ ଅନ୍ୟପଟେ ପରୀକ୍ଷା କେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ଅଭାବକୁ ନେଇ ସୃଷ୍ଟି ହୋଇଛି ସମସ୍ୟା। ଏଭଳି ସମୟରେ କେତେକ ବିଶ୍ୱବିଦ୍ୟାଳୟ ଅଧୀନରେ ଯୁକ୍ତ୩ ପରୀକ୍ଷା ଚାଲିବାକୁ ଥିବାରୁ ଯୁକ୍ତ୨ ପରୀକ୍ଷାର ସୁପରିଚାଳନା ଏବେ ରାଜ୍ୟ ସରକାରଙ୍କ ଲାଗି ଆହ୍ଵାନ ସୃଷ୍ଟି କରିଛି। କୌଣସି ନା କୌଣସି କାରଣରୁ ପ୍ରତିବର୍ଷ ଯୁକ୍ତ୨ ପରୀକ୍ଷାକୁ ନେଇ ସମସ୍ୟା ସୃଷ୍ଟି ହେଉଥିବାରୁ ଏଥର ବି ସେଭଳି ଆଶଙ୍କା ପ୍ରକାଶ ପାଇଛି।

ପ୍ରଥମ ଥର ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରୀକ୍ଷା ପରିଚାଳନା ହେଉଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଏଥିରେ ହସ୍ତକ୍ଷେପ କରିଛି। ଶିକ୍ଷକ ଆନ୍ଦୋଳନ ଯୋଗୁଁଁ ସମସ୍ୟା ହେବା ନେଇ ଆଶଙ୍କା ପ୍ରକାଶ ପାଇଥିବାରୁ ଡିଗ୍ରି କଲେଜଗୁଡ଼ିକ ପରୀକ୍ଷା ପରିଚାଳନାରେ ସହଯୋଗ କରିବାକୁ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜିଭିଭି ଶର୍ମା ୮୮୯ ଡିଗ୍ରି କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି। ଶ୍ରୀ ଶର୍ମା କହିଛନ୍ତି ଯେ ମାର୍ଚ୍ଚ ୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଯୁକ୍ତ୨ ପରୀକ୍ଷା। ଏହାର ସୁପରିଚାଳନା ଦିଗରେ ସମସ୍ତ ପ୍ରକାର ସହଯୋଗ କରନ୍ତୁ। ଭିତ୍ତିଭୂମି ଯୋଗାଇ ଦେବା ସହ ପରୀକ୍ଷାର ସୁପରିଚାଳନା ଲାଗି ଆବଶ୍ୟକ ଅଧ୍ୟାପକ, କର୍ମଚାରୀ ଦିଅନ୍ତୁ। ରାଜ୍ୟରେ ଥିବା ୮୨୨ଟି ଡିଗ୍ରି କଲେଜ ସମେତ ୪୩ଟି ସରକାରୀ ଡିଗ୍ର୍ରି କଲେଜକୁ ନିର୍ଦେଶ ଦିଆଯାଇଛି। ୧୬ଟି ସ୍ୱୟଂଶାସିତ ମହାବିଦ୍ୟାଳୟକୁ ମଧ୍ୟ ସହଯୋଗ କରିବାକୁ କୁହାଯାଇଛି। ଏପରିକି ୮ଟି ମଡେଲ୍‌ ଡିଗ୍ରି କଲେଜ ଏଥିରେ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶର୍ମା କହିଛନ୍ତି।

ଅନ୍ୟପକ୍ଷରେ ଯୁକ୍ତ୨ ପରୀକ୍ଷା ଲାଗି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଶ୍ନପତ୍ର ଓ ଉତ୍ତର ଖାତା ବି ପ୍ରସ୍ତୁତି ସରିଛି। ଚଳିତ ମାସର ଶେଷ ସପ୍ତାହଠାରୁ ରାଜ୍ୟରେ ହୋଇଥିବା ୨୦୨ଟି ପରୀକ୍ଷା ପରିଚାଳନା ହବ୍‌କୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠାଯିବା କାର୍ଯ୍ୟ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଥିବା ହବ୍‌ଗୁଡ଼ିକୁ କଡ଼ା ସୁରକ୍ଷା ମଧ୍ୟରେ ଗାଡ଼ିରେ ପ୍ରଶ୍ନପତ୍ର ଯିବ। ପୁଲିସ ଅଧିକାରୀଙ୍କ ସମେତ ସ୍ୱତନ୍ତ୍ର ସୁରକ୍ଷା କର୍ମୀ ଗାଡ଼ିରେ ରହିବେ। କେତେକ ସ୍ଥାନରେ ଏବେ ସୁଦ୍ଧା ହବ୍‌ ପ୍ରସ୍ତୁତ ହୋଇ ନ ଥିବା ନଜରକୁ ଆସିଛି। ହବ୍‌ଗୁଡ଼ିକରେ ସିସିଟିଭି ଓ ଲକର ଲଗାଇବାକୁ ବାଧ୍ୟତାମୂଳକ ହୋଇଛି। ଚଳିତବର୍ଷ ୧୧୧୦ଟି ପରୀକ୍ଷା କେନ୍ଦ୍ରରେ ୩ ଲକ୍ଷ ୬୪ ହଜାର ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe