ଶିକ୍ଷକଶିକ୍ଷୟିତ୍ରୀଙ୍କୁ କରୋନା ଯୋଦ୍ଧାର ସମ୍ମାନ ମିଳୁ: ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ଓ ଗଣଶିକ୍ଷା ସଚିବଙ୍କୁ ବିଧାୟକଙ୍କ ପତ୍ର

Advertisment
ନକଲି ସାର୍ଟିଫିକେଟ୍‌ ମାମଲା: ୩ ଶିକ୍ଷକଙ୍କୁ କୈଫିୟତ୍‌ ତଲବ

ଭୁବନେଶ୍ବର: କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ରାଜ୍ୟ ସରକାର କୋଭିଡ୍‌ ପରିଚାଳନାରେ ଅଧିକରୁ ଅଧିକ ଶିକ୍ଷକଙ୍କୁ ନିୟୋଜିତ କରୁଛନ୍ତି। ୨୦୨୦ରୁ ଶିକ୍ଷକମାନେ କୋଭିଡ୍‌ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇ ନାହିଁ। ଶିକ୍ଷକ ଶିକ୍ଷୟିତ୍ରୀ ନିଜ ଜୀବନକୁ ବାଜିରେ ଲଗାଇ କରୋନା ବିରୋଧୀ ଲଢ଼େଇରେ ସାମିଲ ହୋଇଥିଲେ ମଧ୍ୟ କାହିଁକି ଏମିତି କରାଯାଉଛି ତାହାକୁ ନେଇ ବିଭିନ୍ନ ମହଲରେ ସ୍ବର ଉଠିଲାଣି। ଏବେ ସୁଦ୍ଧା ୩ ଜଣ ବିଧାୟକ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଶିକ୍ଷକମାନଙ୍କୁ ଯୋଦ୍ଧା ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି। ରାଜ୍ୟ ପ୍ରମୁଖ ଶିକ୍ଷକ ସଙ୍ଗଠନ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ(ଓଲ୍‌ଷ୍ଟା) ଅନ୍ୟମାନଙ୍କ ଭଳି ଶିକ୍ଷକମାନଙ୍କୁ କରୋନା ଯୋଦ୍ଧା ମାନ୍ୟତା ଦେବାକୁ ଦାବି ଉପସ୍ଥାପନ କରିଛି।

ଶିକ୍ଷକମାନଙ୍କୁ କୋଭିଡ୍‌ ଯୋଦ୍ଧା ଭାବେ ଘୋଷଣା କରାଯିବା ସହ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିବାକୁ ଲୋଇସିଙ୍ଗା ବିଧାୟକ ମୁକେଶ ମହାଲିଙ୍ଗ୍‌ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଚିଠି ଲେଖିଛନ୍ତି। ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କୁ ଚିଠି ଲେଖି ସମାନ ଦାବି ଦୋହରାଇଛନ୍ତି। ବଡ଼ସାହି ବିଧାୟକ ସନାତନ ବିଜୁଳି ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି। କେନ୍ଦ୍ର ସରକାରଙ୍କ ଅବସରପ୍ରାପ୍ତ ସଚିବ ପ୍ରସନ୍ନ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟୁଇଟ୍‌ କରି ଓଡ଼ିଶା ମଡେଲ୍‌ କ'ଣ ବୋଲି ପ୍ରଶ୍ନ କରିବା ସହ ଟେଷ୍ଟିଂ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଓଲ୍‌ଷ୍ଟା ପକ୍ଷରୁ କୁହାଯାଇଛି ଯେ ୨୦୨୦ ଫେବ୍ରୁଆରିରୁ ଶିକ୍ଷକ ଶିକ୍ଷୟିତ୍ରୀ କରୋନା ବିରୋଧୀ ଲଢ଼େଇରେ ସାମିଲ ହୋଇଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନା ଟିକାକରଣ କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉଛି ନା ମାସ୍କ, ସାନିଟାଇଜର, ପିପିଇ କିଟ୍‌, ହ୍ୟାଣ୍ଡ୍‌ ଗ୍ଲୋବ୍‌ସ ଆଦି ଦିଆଯାଉଛି। ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ଶିକ୍ଷକ କରୋନାରେ ମୃତ୍ୟୁବରଣ କରୁଛନ୍ତି। ସେମାନଙ୍କୁ ଏପର୍ଯ୍ୟନ୍ତ କୌଣସି ଅନୁକମ୍ପା ରାଣି ପ୍ରଦାନ କରାଯାଇ ନାହିଁ। ରାଜ୍ୟ ସରକାର ଏଦିଗରେ ପଦକ୍ଷେପ ନେବା ସହ ଶିକ୍ଷକମାନେ ଘରକୁ ଘର ବୁଲି ଡ୍ରପ୍‌ ଆଉଟ୍‌ ପରିସଂଖ୍ୟାନ କରିବା ନିର୍ଦେଶକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ। ପାଠପଢ଼ା ହେଉ ନ ଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଗ୍ରୀଷ୍ମ ଛୁଟି ଦିଆଯାଉ ବୋଲି ସଂଘର ରାଜ୍ୟ ସଭାପତି ଜଗବନ୍ଧୁ ଜେନା, ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା, ଜୟ ପ୍ରକାଶ ପଣ୍ଡା ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe