Photo by : dnaindia.com
ଭୁବନେଶ୍ୱର : ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ଓ ଓଡ଼ିଶା ଶିକ୍ଷା ସହାୟକ ସଂଘ ପକ୍ଷରୁ ଆସନ୍ତା ୮ ତାରିଖରେ ବିକ୍ଷୋଭ ଘେରାଉ କରାଯିବ ବୋଲି ଆଜି ସାମ୍ବାଦିକ ଭବନରେ ଅନୁଷ୍ଠିତ ମିଳିତ ବୈଠକରେ ନିଷ୍ପତ୍ତି ହୋଇଛି। ମୂଳ ପଦବି ମାଟ୍ରିକ ଓ ସିଟିରୁ ଯୁକ୍ତ୨ ଓ ସିଟି ଘୋଷଣା ସହ ୨୦୧୬ ଜାନୁଆରି ୧ରୁ ପେ’ ୫୨୦୦ ଓ ଗ୍ରେଡ୍ ପେ’ ୨୮୦୦ ଟଙ୍କା ହିସାବରେ ସମସ୍ତ ପ୍ରାଥମିକ ଶିକ୍ଷକଙ୍କର ଦରମା ୭ମ ବେତନ କମିସନରେ ପେ’ ମ୍ୟାଟ୍ରିକ୍ସରେ ଧାର୍ଯ୍ୟ କରିବାକୁ ଦାବି ହୋଇଛି। ଏଥିସହ ୬ ବର୍ଷର ଶିକ୍ଷା ସହାୟକ ଚାକିରିରେ ଗଣନା କରିବା, ଶିକ୍ଷା ସହାୟକ ପଦବି ଉଚ୍ଛେଦ କରି ପ୍ରାଥମିକସ୍ତରରେ କନିଷ୍ଠ ଶିକ୍ଷକର ମାନ୍ୟତା ପ୍ରଦାନ, ଅନ୍ୟାନ୍ୟ ବିଭାଗର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଭଳି କନିଷ୍ଠ ଶିକ୍ଷକଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।
୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିକ୍ଷୋଭରେ ଉଭୟ ସଙ୍ଗଠନର ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଶିକ୍ଷକ/ଶିକ୍ଷୟିତ୍ରୀ ସାମିଲ ହେବେ। ଦାବି ହାସଲ ନ ହେବା ପର୍ଯ୍ୟନ୍ତ ସେମାନେ ରାଜ ରାସ୍ତାରୁ ହଟିବେ ନାହିଁ। ଏଥିପାଇଁ ଯେଉଁ ଅପ୍ର୍ରିତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରାଜେଶ ମହାନ୍ତି, ସାଧାରଣ ସମ୍ପାଦକ ଖଗେନ୍ଦ୍ରନାଥ ପାଲ, ଓଡ଼ିଶା ଶିକ୍ଷା ସହାୟକ ସଂଘ ସଭାପତି ମଳୟ କୁମାର ଜେନା, ସାଧାରଣ ସମ୍ପାଦକ ଅର୍ଜୁନ କୁମାର ସେଠୀ ପ୍ରମୁଖ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି।
Follow Us