ଭିମସାରରେ ଛାତ୍ର ହିଂସା ଘଟଣା: ତଦନ୍ତ ପାଇଁ ଗଠନ ହେଲା ୪ଜଣିଆ ଟିମ୍; ୩ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭିମସାରରେ ଛାତ୍ର ହିଂସା ଘଟଣା: ତଦନ୍ତ ପାଇଁ ଗଠନ ହେଲା ୪ଜଣିଆ ଟିମ୍; ୩ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ବୁର୍ଲା/ସମ୍ବଲପୁର: ଭିମସାରରେ ଗତ ୫ ତାରିଖ ଦିନ ଡାକ୍ତରୀ ଛାତ୍ରଙ୍କ ଖଣ୍ଡଯୁଦ୍ଧ ଘଟଣା ନେଇ ତଦନ୍ତ ଟିମ୍ ଗଠନ ହୋଇଛି । ଶିଶୁ ବିଭାଗ ପ୍ରଫେସର ପ୍ରକାଶ ପଣ୍ଡାଙ୍କ ନେତୃତ୍ବରେ ମେଡିସିନ ବିଭାଗର ପ୍ରଫେସର ମମତା ମର୍ମୁ, ଏସ୍‌ଏମ୍‌ଟି ବିଭାଗର ସତ୍ୟସାଇ ପଣ୍ଡା ଓ ଏନାଟୋମୀ ବିଭାଗର ପ୍ରଫେସର ମମତା ସର୍‌ଙ୍କ ନେଇ ୪ ଜଣିଆ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଆସନ୍ତା ୩ ଦିନ ଭିତରେ ତଦନ୍ତ ରିପୋର୍ଟ ଦେବେ ବୋଲି ଭିମସାର ନିର୍ଦ୍ଦେଶକ ବର୍ଷା ଟୁଡୁ ସୂଚନା ଦେଇଛନ୍ତି। ତଦନ୍ତ କମିଟିର ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ଏମକେସିଜି ଡାକ୍ତରୀ ଛାତ୍ରଙ୍କୁ ଭୀମସାର ଛାତ୍ରଙ୍କ ଦ୍ବାରା ଆକ୍ରମଣ ଘଟଣାରେ ବୁର୍ଲା ଥାନାରେ ଗତ ୫ ତାରିଖ ମାମଲା ରୁଜୁ ହୋଇଥିଲା। ଭୀମସାର ଡିନ୍ ପ୍ରିନ୍ସିପାଲଙ୍କ ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରିଥିଲା। ସମ୍ବଲପୁର ଏସପି ମୁକେଶ ଭାମୁ। ଭାଇରାଲ ଭିଡିଓ ଆଧାରରେ ଛାତ୍ରମାନଙ୍କୁ ଚିହ୍ନଟ କରାଯିବ ବୋଲି ପୂର୍ବରୁ କହିଥିଲେ। ବୁର୍ଲା ପୁଲିସ ଏହି ଘଟଣାରେ ପଚରାଉଚରା ଆରମ୍ଭ କରିଥିବା ଏସପି କହିଛନ୍ତି। ଛାତ୍ରଙ୍କୁ କିଏ ଓ କାହିକିଁ ଆକ୍ରମଣ କଲା ସେନେଇ ତଦନ୍ତ କରିବାକୁ ଡିନ୍ ପ୍ରିନ୍ସିପାଲ ଏତଲାରେ ଉଲ୍ଲେଖ କରାଯାଇଛି।

ସୂଚନା ଅନୁସାରେ ଆନ୍ତଃ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ ‘ଇଉଫୋରିଆ’ କାର୍ଯ୍ୟକ୍ରମକୁ ଯାଇଥିଲେ ଏମକେସିଜି ଛାତ୍ର। ଭୀମସାର ଛାତ୍ରମାନେ କୌଣସି କଥାକୁ ନେଇ ଏମକେସିିଜି ଛାତ୍ରଙ୍କ ବସ ଭାଙ୍ଗିବା ସହ ପଥର ମାଡ଼ କରିଥିଲେ। ତେବେ ଉତ୍ସବ ମନାଇବା ପାଇଁ ବ୍ରହ୍ମପୁର ଏମ୍‌କେସିଜି ଛାତ୍ରମାନଙ୍କୁ ନିମନ୍ତ୍ରଣକରି ଭବ୍ୟ ସ୍ବାଗତ କରିବା ପରିବର୍ତ୍ତେ ଆକ୍ରମଣ କରିଥିଲେ ବୁର୍ଲାସ୍ଥିତ ଭିମ୍‌ସାର୍‌ର ଡାକ୍ତରୀ ଛାତ୍ର। ସ୍ବାଗତ ଆଳରେ ଅଗ୍ନି ନିର୍ବାପକ ଯନ୍ତ୍ରର ପ୍ରୟୋଗ କରିଥିଲେ। ଏହି ଘଟଣାରେ ସର୍ବମୋଟ ୫ ଜଣ ଛାତ୍ର ଆହତ ହୋଇଥିବା ବେଳେ ସମସ୍ତଙ୍କ ଅବସ୍ଥା ଭଲ ଅଛି।

ପ୍ରାପ୍ତ ସୂଚନା ଅନୁସାରେ, ବୁର୍ଲା ଭିମ୍‌ସାର, କଟକର ଏସ୍‌ସିବି ଏବଂ ବ୍ରହ୍ମପୁରର ଏମ୍‌କେସିଜିର ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନିୟମିତ ଭାବେ ଅନ୍ତଃ ମହାବିଦ୍ୟାଳୟ ପ୍ରତିଯୋଗିତା ‘ୟୁଫୋରିଆ’ ଅନୁଷ୍ଠିତ ହୋଇଥାଏ। ପ୍ରତ୍ୟେକ ୩ ବର୍ଷରେ ଥରେ ଏକ ମେଡିକାଲ କଲେଜକୁ ଆୟୋଜନ ଦାୟିତ୍ବ ମିଳିଥାଏ। ଚଳିତ ବର୍ଷ ‘ୟୁଫୋରିଆ’ ଆୟୋଜନ ଦାୟିତ୍ବ ବୁର୍ଲା ଭିମ୍‌ସାର୍‌କୁ ମିଳିଥିଲା। ଗତ କିଛି ମାସ ହେଲା ଏଥି ପାଇଁ ଭିମ୍‌ସାରରେ ପ୍ରସ୍ତୁତି ଚାଲିଥିଲା ବେଳେ ଆରମ୍ଭରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଠାକାର କେତେକ ବରିଷ୍ଠଙ୍କ ବିରୋଧରେ କେତେକ କନିଷ୍ଠ ଛାତ୍ର ଅଭିଯୋଗ ମଧ୍ୟ ଆଣିଥିବା ବେଳେ ଆପୋସ ସମାଧାନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe