ଯୋଗିନୀ ଆଖିରେ ଲୁହ! ଆଖିକୁ ଦିଶୁନି ସାଢ଼େ ୪ କୋଟିର ବିକାଶ

Advertisment
ଯୋଗିନୀ ଆଖିରେ ଲୁହ! ଆଖିକୁ ଦିଶୁନି ସାଢ଼େ ୪ କୋଟିର ବିକାଶ

ସିନ୍ଧେକେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୧୯ ମସିହା ଜାନୁଆରି ୧୫ ତାରିଖ ଦିନ ବଲାଙ୍ଗୀର ଗସ୍ତରେ ଆସି ରାଣୀପୁର ଝରିଆଲସ୍ଥିତ ପ୍ରସିଦ୍ଧ ଚଉଷଠି ଯୋଗିନୀ ପୀଠର ବିକାଶ ପାଇଁ ସାଢ଼େ ୪ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ଘୋଷଣାକୁ ଇତିମଧ୍ୟରେ ୫ ବର୍ଷ ବିତିଯାଇଥିଲେ ହେଁ ପୀଠର ଯେତିକି ବିକାଶ ହେବା କଥା ହୋଇ ନାହିଁ। ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗ (ଏଏସ୍‌ଆଇ) ଏ ଦିଗରେ ଆଗ୍ରହ ପ୍ରକାଶ କରୁନଥିବା ଅଭିଯୋଗ ହୋଇଛି। ସାମାନ୍ୟ କିଛି କାମ ହୋଇଥିଲେ ହେଁ ପିଇବା ପାଣି, ଶୌଚାଳୟ ଆଦି ବ୍ୟବସ୍ଥା ହୋଇ ନଥିବାରୁ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସହ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, ରାଣୀପୁର ଝରିଆଲସ୍ଥିତ ଯୋଗିନୀ ପୀଠ ନ୍ୟାସନାଲ ହେରିଟେଜ ଆନସିଏଣ୍ଟ ମନ୍ୟୁମେଣ୍ଟ ହେବା ପରେ ବି ଶ୍ରୀହୀନ ହୋଇ ରହିଛି। ଏହା ଛଡ଼ା ଏହିପୀଠ କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ସାମିଲ ଥିବା ମଧ୍ୟ ଆଲୋଚନା ହେଉଛି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ପାଞ୍ଚବର୍ଷ ପରେ ବି ଏହାର ବିକାଶ ଅତି ନଗଣ୍ୟ। ବିସ୍ତୀର୍ଣ୍ଣ ଅଞ୍ଚଳରେ ଏହାର ଅବସ୍ଥିତି ରହିଥିଲେ ମଧ୍ୟ ମାତ୍ର ୩ ଶହ ଫୁଟ ପାଚେରି ଦିଆଯାଇଛି। ଭଲ ଫାଟକଟିଏ ବି ନାହିଁ। ପର୍ଯ୍ୟଟକଙ୍କ ବସିବା ପାଇଁ ପଥର ଚଟାଣ ଉପରେ ମାତ୍ର ୪ଟି ପଥର ନିର୍ମିତ ଚେୟାର ତିଆରି ହୋଇଛି। ପୀଠରେ ନାମ ଫଳକ ଲାଗିଥିଲେ ବି ତହିଁରେ କିଛି ଲେଖା ହୋଇନାହିଁ। ଉଚ୍ଚ ଖୁଣ୍ଟରେ ଜାତୀୟପତାକା ଲଗାଯାଇଛି। ହେଲେ ତାହାର ସୌନ୍ଦର୍ଯ୍ୟୀକରଣ ହୋଇ ନାହିଁ। ଏପରିକି ଲାଗିଥିବା ବଲ୍‌ବ ୪-୫ ଦିନ ଜଳିବା ପରେ ଲିଭି ଯାଇଛି। ଏସବୁ କାମ ଗତ ୨୦୨୨ ଡିସେମ୍ବର ପୂର୍ବରୁ ହୋଇଛି। ହେଲେ ତା’ ପରଠାରୁ ଆଉ ଇଟାଖଣ୍ଡିଏ ବି ପଡ଼ିନାହିଁ। ଏହାକୁ ବାଦ୍‌ ଦେଲେ ପର୍ଯ୍ୟଟକଙ୍କ ସୁବିଧା ପାଇଁ କିଛି ସୁବିଧା ନାହିଁ। ବାଉଁଶ ଲଗାଇ ଫାଟକ ତିଆରି କରାଯାଇଛି। ଭିତରେ ପିଇବା ପାଣି, ଶୌଚାଳୟ କି ଖାଦ୍ୟପେୟର ବ୍ୟବସ୍ଥା ନାହିଁ। କିଛି ସ୍ଥାନୀୟ ଦୋକାନୀ ସେଠାରେ ଆଗରୁ ଷ୍ଟଲ ଲଗାଇଥିଲେ। ସେମାନଙ୍କୁ ବି ଏଏସ୍‌ଆଇ ତଡ଼ି ଦେଇଥିବା ଅଭିଯୋଗ ହୋଇଛି। ଫଳରେ ପର୍ଯ୍ୟଟକମାନେ ସେଠାକୁ ଯାଇ ନିରାଶ ହୋଇ ଫେରୁଛନ୍ତି।
ଦୁଇ ଦଶନ୍ଧିରୁ ଅଧିକ ହେବ ପୀଠ ପାଇଁ ଏଏସ୍‌ଆଇର ୪ ଜଣ ସୁରକ୍ଷାକର୍ମୀ ନିଯୁକ୍ତ ହୋଇଛନ୍ତି। ଏହି ୪ ସୁରକ୍ଷାକର୍ମୀ ମୋଟା ଅଙ୍କର ଦରମା ପାଉଥିଲେ ହେଁ ଡ୍ୟୁଟି କରୁନଥିବା ବାରମ୍ବାର ଅଭିଯୋଗ ହେଉଛି। ଇତିମଧ୍ୟରେ ପ୍ରାୟ ମାସେ ହେବ ଏକ ଘରୋଇ କମ୍ପାନିର ୧୨ ଜଣ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ସେମାନେ ଦିନକୁ ୩ ସିଫ୍‌ଟରେ ପୀଠକୁ ଜଗୁଛନ୍ତି। ଏକଦା ମନ୍ତ୍ର, ତନ୍ତ୍ରର ଏହି ପ୍ରାଚୀନ ପୀଠରେ ଅସଂଖ୍ୟ ସାଧକ, ଯୋଗୀ ସାଧନାରତ ଥିଲେ। ଏବେ ଏହାର ଏଭଳି ଶ୍ରୀହୀନ ଅବସ୍ଥା ଯୋଗୁଁ ‘ଯୋଗିନୀ ଆଖିରେ ଲୁହ’ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏ ସଂପର୍କରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଓଡ଼ିଶା ଶାଖା ମୁଖ୍ୟ ସୁଶାନ୍ତ କରଙ୍କୁ ପଚାରିବାରୁ କାମ ଚାଲିଛି, ଆଗକୁ ମଧ୍ୟ ଚାଲିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe