Global Biodefense
ଭୁବନେଶ୍ବର : ରାଜ୍ୟରେ କରୋନା ଚିକିତ୍ସା ଓ ସହାୟତା ସମ୍ବନ୍ଧରେ ତଦାରଖ କରିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୭ଟି ମେଡିକାଲ କଲେଜରେ ବୈଷୟିକ କମିଟି ଗଠନ କରାଯାଇଛି। ଏହି ୭ଟି ମେଡିକାଲ କଲେଜର ୪୧ଜଣ ବରିଷ୍ଠ ଡାକ୍ତର ଏହି କମିଟିର ସଦସ୍ୟ ରହିଛନ୍ତି। ଗୋଟିଏ ଲେଖାଏଁ ମେଡିକାଲ କଲେଜକୁ ଏକାଧିକ ଜିଲ୍ଲାର ଦାୟିତ୍ବ ପ୍ରଦାନ କରାଯାଇଛି। ଡିଏମ୍ଇଟିଙ୍କ ପକ୍ଷରୁ ଏ ନେଇ ଗତ ୧୪ ତାରିଖରେ ନିର୍ଦେଶନାମା ପ୍ରକାଶ ପାଇଛି।
ଏସ୍ସିବି ମେଡିକାଲ କଲେଜକୁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଧା, ପୁରୀ, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ଏସ୍ସିବିର କମିଟିରେ ୯ଜଣ ସଦସ୍ୟ ରହିଛନ୍ତି। ସେହିପରି ଏମ୍କେସିଜି ମେଡିକାଲ କଲେଜ ପାଇଁ ଗଞ୍ଜାମ, ଗଜପତି, ନୟାଗଡ଼, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ଦାୟିତ୍ବ ଦିଆଯାଇଥିବା ବେଳେ ୬ଜଣ ସଦସ୍ୟ ଅଛନ୍ତି। ବୁର୍ଲା ଭିମସାର ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ଦେବଗଡ଼ ଜିଲ୍ଲାକୁ ତଦାରଖ କରିବେ। ଏଥିପାଇଁ ୭ଜଣ ସଦସ୍ୟଙ୍କୁ ଚୟନ କରାଯାଇଛି।
ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ବଲାଙ୍ଗୀର, ସୋନପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ କୋଭିଡ୍ ସହାୟତା ପାଇଁ ୫ଜଣ ସଦସ୍ୟ, କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର ତଦାରଖ ଦାୟିତ୍ବ ଦିଆଯାଇଛି। ୪ଜଣ ଡାକ୍ତର ଏହି ବୈଷୟିକ କମିଟିରେ ରହିଛନ୍ତି।
ବାଲେଶ୍ବରସ୍ଥିତ ଫକୀର ମୋହନ ମେଡିକାଲ କଲେଜ ବାଲେଶ୍ବର ସମେତ ଭଦ୍ରକ ଓ ଯାଜପୁର ଜିଲ୍ଲାର ତଦାରଖ କରିବ ଓ ଏଥିପାଇଁ ୫ଜଣ ସଦସ୍ୟଙ୍କୁ ଚୟନ କରାଯାଇଛି। ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ମୟୂରଭଞ୍ଜ ଓ କେନ୍ଦୁଝରରେ କୋଭିଡ୍ ସହାୟତା ପ୍ରଦାନ କରିବାକୁ ଥିବା ବେଳେ କମିଟିରେ ୫ଜଣ ସଦସ୍ୟ ରହିଛନ୍ତି। ତେବେ କୋଭିଡ୍ ହସ୍ପିଟାଲରେ ବିଶେଷଜ୍ଞ ଡାକ୍ତରଙ୍କ ସହାୟତା ନେଇ ପ୍ରତ୍ୟେକ ମେଡିକାଲ କଲେଜ ପକ୍ଷରୁ ଜଣେ ଲେଖାଏଁ ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ନିଯୁକ୍ତି ଦେବା ଲାଗି କୁହାଯାଇଛି। ଯାହାଫଳରେ କୋଭିଡ୍ ସହାୟତା ନେଇ ସମନ୍ବୟ ରହିପାରିବ। ସଂପୃକ୍ତ ଅଧିକାରୀଙ୍କ ନାମ ଓ ଫୋନ୍ ନମ୍ବର ସବୁ ଜିଲ୍ଲାର ଜିଲ୍ଲାପାଳ, ସିଡିଏମ୍ଓମାନଙ୍କୁ ପ୍ରଦାନ କରିବା ଲାଗି କୁହାଯାଇଛି।
Follow Us