ବୈଷୟିକ ଶିକ୍ଷା ବିଭାଗର ନିଦ ଭାଙ୍ଗିଲା : ଖାଲି ପଦବି ପୂରଣ ଲାଗି ମାନସ ମନ୍ଥନ

Advertisment
ବଦଳିଲା ବୈଷୟିକ ଶିକ୍ଷାବର୍ଷ : ଡିସେମ୍ବର ପହିଲାରୁ ପ୍ରଥମ ବର୍ଷ ପାଠପଢ଼ା, ଡିସେମ୍ବର ୫ ପର୍ଯ୍ୟନ୍ତ ଖାଲି ସିଟ୍‌ରେ ନା‌ମଲେଖା

ଭୁବନେଶ୍ୱର : ବିପିୟୁଟି, ଭିଏସ୍‌ଏସ୍‌ୟୁଟି ସମେତ ୬ଟି ସରକାରୀ ବୈଷୟିକ କଲେଜରେ ଖାଲିଥିବା ଅଧ୍ୟାପକ ଓ କର୍ମଚାରୀ ପଦବି ପୂରଣ ନେଇ ମାନସମନ୍ଥନ ଆରମ୍ଭ କରିଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ। କେଉଁ ଶିକ୍ଷାନୁଷ୍ଠାନରେ କେତେ ସିଟ୍‌ କାହିଁକି ଖାଲି ରହିଛି ତାହାକୁ ନେଇ ସମୀକ୍ଷା କରିଛନ୍ତି ବିଭାଗୀୟ ଅତିରିକ୍ତ ଶାସନ ସଚିବ।  ଦୁଇ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ସମେତ ସମସ୍ତ କଲେଜର ଅଧ୍ୟକ୍ଷଙ୍କ ସହ ବୈଠକ କରି ପଦବିଗୁଡ଼ିକ ପୂରଣ ଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି। ଏଥିସହ ଏଆଇସିଟିଇ ଗାଇଡ୍‌ଲାଇନ୍‌ ଅନୁଯାୟୀ ସେଣ୍ଟର ଫର୍‌ ଆଡଭାନ୍ସଡ୍‌ ପୋଷ୍ଟ ଗ୍ରାଜୁଏଟ୍‌ ଷ୍ଟଡିସ୍‌(ସିଏପିଜିଏସ୍‌) ଖୋଲାଯାଇ ଏଥିରେ ଜଣେ ବରିଷ୍ଠ ପ୍ରଫେସରଙ୍କୁ ନିର୍ଦେଶକ ଭାବେ ନିଯୁକ୍ତି ଦିଆଯିବ। ଏଥିପାଇଁ କୌଣସି ନୂଆ ପଦବି ସୃଷ୍ଟି କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଉକ୍ତ ୮ଟି ଶିକ୍ଷାନୁଷ୍ଠାନ ଲାଗି ମଞ୍ଜୁର ହୋଇଥିବା ପଦବି ମଧ୍ୟରୁ ଅର୍ଧାଧିକ ପ୍ରଫେସର ପଦ ଖାଲି ରହିଛି। ୧୧୧ ପ୍ରଫେସର ପଦବି ମଞ୍ଜୁର ହୋଇଥିବା ବେଳେ ସେଥିରୁ ୭୧ଟିରେ ପ୍ରଫେସର ନାହାନ୍ତି। ସେହିପରି ୨୭୪ଟି ଆସୋସିଏଟ୍‌ ପ୍ରଫେସର ମଧ୍ୟରୁ ୧୬୪ଟି ଖାଲି ଥିବା ଜଣାପଡ଼ିଛି। ବିପିୟୁଟିକୁ ଛାଡ଼ି ଅନ୍ୟ ୭ଟି ଯାକ ଶିକ୍ଷାନୁଷ୍ଠାନ ଲାଗି ୪୯୯ ଆସିଷ୍ଟାଣ୍ଟ ପ୍ରଫେସର ପଦ ମଞ୍ଜୁର ହୋଇଥିବା ବେଳେ ସେଥିରୁ ୧୮୩ଟି ପଦବି ଏବେ ଖାଲି ଥିବା ନେଇ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବିପିୟୁଟି କୁଳସଚିବ ବୈଠକ ସୂଚନା ଦେଇଛନ୍ତି ଯେ ଏପିଆଇ ଲାଗୁ ହୋଇଥିବାରୁ ଆସୋସିଏଟ୍‌ ପ୍ରଫେସର ପଦ ଲାଗି ଚୟନ ପ୍ରକ୍ରିୟା ହୋଇପାରୁ ନାହିଁ। ସିଏପିଜିଏସ୍‌ ଅନୁଯାୟୀ କେବଳ ପ୍ରଫେସର ଏବଂ ଆସୋସିଏଟ୍‌ ପ୍ରଫେସର ପିଜି ଛାତ୍ରଛାତ୍ରୀଙ୍କ ଶ୍ରେଣୀ ନେଇପାରିବେ। ତେଣୁ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ହେଉଛି।

ସେହିପରି ସିଇଟି ଅଧ୍ୟକ୍ଷଙ୍କ ସୂଚନା ଅନୁଯାୟୀ କଲେଜରେ ଥିବା ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ (ସିଏସ୍‌ଇ, ଆଇଟି, ଫ୍ୟାସନ ଟେକ୍ନୋଲୋଜି ଓ ବାୟୋ ଟେକ୍ନୋଲୋଜି) ବିଭାଗରେ ପଦବି ଖାଲି ରହିଛି। ତେଣୁ ଏହାକୁ ପୂରଣ କରିବା ଲାଗି ବିପିୟୁଟି ବୋର୍ଡ ଅଫ୍‌ ମ୍ୟାନେଜ୍‌ମେଣ୍ଟରେ ପ୍ରସ୍ତାବ ରଖି ତୁରନ୍ତ ପଦକ୍ଷେପ ନେବାକୁ ବିଭାଗୀୟ ଅତିରିକ୍ତ ସଚିବ ନିର୍ଦେଶ ଦେଇଛନ୍ତି। କଲେଜ ଅଧ୍ୟକ୍ଷ ଆହୁରି କହିଛନ୍ତି ଯେ କାଉନସିଲ୍‌ ଅଫ୍‌ ଆର୍କିଟେକଚର ଗାଇଡ୍‌ଲାଇନ୍‌ ଅନୁଯାୟୀ ଆର୍କିଟେକଚର ପ୍ରଫେସର ପଦ ଲାଗି ଏମ୍‌.ଆର୍କ ଯୋଗ୍ୟତା ଥିବା ଆବଶ୍ୟକ। କିନ୍ତୁ ୟୁଜିସି ଗାଇଡ୍‌ଲାଇନ୍‌ ଅନୁଯାୟୀ ପିଏଚ୍‌ଡି ଡିଗ୍ରି ରହିଥିବା ନିତ୍ୟାନ୍ତ ଦରକାର। ଯେଉଁଥିପାଇଁ ସମସ୍ୟା ସୃଷ୍ଟି ହୋଇଛି। ୟୁଜିସି ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ମଗାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି। ଗତ ଜୁଲାଇ ୧୫ ତାରିଖରେ ପଦବି ପୂରଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ବ୍ରହ୍ମପୁରସ୍ଥିତ ପିଏମ୍‌ଇସି ଅଧ୍ୟକ୍ଷ କହିଛନ୍ତି। ତେଣୁ ଯଥାଶୀଘ୍ର୍ର ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି।

କେନ୍ଦୁଝରସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷଙ୍କ ସୂଚନା ଅନୁଯାୟୀ  ଅନିୟମିତତା ଯୋଗୁଁ କୁଳାଧିପତିଙ୍କ କାର୍ଯ୍ୟାଳୟରୁ ଇଣ୍ଟରଭ୍ୟୁ ନ କରିବାକୁ ନିର୍ଦେଶ ଦିଆଯାଇଥିଲା। ତେଣୁ ଚୟନ ପ୍ରକ୍ରିୟା ହୋଇପାରୁନି। ବିଭାଗୀୟ ଅତିରିକ୍ତ ସଚିବ କହିଛନ୍ତି ଯେ କଲେଜ କର୍ତୃପକ୍ଷ ଜଣେ ପ୍ରତିନିଧିଙ୍କୁ ରାଜ୍ୟ ସରକାରଙ୍କ ନିକଟକୁ ପଠାନ୍ତୁ। ଏହାପରେ ସରକାର କୁଳାଧିପତିଙ୍କ କାର୍ଯ୍ୟାଳୟ ସହ ଆଲୋଚନା କରିବେ।

ଆଇଜିଆଇଟି ନିର୍ଦେଶକଙ୍କ କହିବାନୁଯାୟୀ ୨୦୧୫ରୁ ପଦବି ପୂରଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ଅନୁମୋଦିତ କେତେକ ପଦ ଲାଗି ମାମଲା ହୋଇଥିବାରୁ ଏପର୍ଯ୍ୟନ୍ତ ନିଯୁକ୍ତି ଆଗେଇ ପାରୁ ନାହିଁ। ଏଥିପାଇଁ ନୂଆ ବିଜ୍ଞାପନ ପ୍ରକାଶ ସହ ଇଣ୍ଟରଭ୍ୟୁ ଲାଗି ଏପିଆଇ ସ୍କୋରକୁ ବାଧ୍ୟତାମୂଳକ କରିବା ଲାଗି ନିର୍ଦେଶ ଦିଆଯାଇଛି। କଟକସ୍ଥିତ ଆଇଏମ୍‌ଆଇଟି ଅଧ୍ୟକ୍ଷ କହିଥିଲେ ଯେ କୋର୍ଟରେ ମାମଲା ଗଡ଼ୁଥିବାରୁ ନିଯୁକ୍ତି ପ୍ରକ୍ରିୟା ଆଗେଇ ପାରୁ ନାହିଁ। ତେଣୁ ଏଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବା ଲାଗି କଲେଜ ଅଧ୍ୟକ୍ଷଙ୍କୁ କୁହାଯାଇଛି। ସମସ୍ତ ଶିକ୍ଷାନୁଷ୍ଠାନର ସ୍ଥିତିକୁ ଅନୁଧ୍ୟାନ କରାଯିବା ପରେ କେନ୍ଦୁଝରସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରଥମେ ଶିକ୍ଷକ ଓ ଅଣଶିକ୍ଷକ ପଦବି ପୂରଣ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ବୈଠକ ପରେ ନିଷ୍ପତ୍ତି ହୋଇଛି ଯେ ସରକାରୀ କଲେଜରେ ଟିଚିଂ ପଦବି ପୂରଣରେ ଏଣିକି ସ୍ୱଚ୍ଛତା ଅବଲମ୍ବନ କରାଯିବ। ପଡ଼ି ରହିଥିବା ମାମଲାଗୁଡ଼ିକର ଫଇସଲା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି।  ଅଣଶିକ୍ଷକ ପଦବି କିଭଳି ପୂରଣ ହେବ ସେଦିଗରେ ପଦକ୍ଷେପ ନେବାକୁ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe