ସିଗନାଲ୍ ବିଭାଗରେ ଅଜବ ସ୍ଥିତି: ବୈଷୟିକ ପୁଲିସ କରିବେ ଫିଲ୍‌ଡ ଡ୍ୟୁଟି

କ୍ୟାଡର୍ ବଦଳାଇ ତାଲିମ୍ ନିର୍ଦ୍ଦେଶ

ସିଗନାଲ୍ ବିଭାଗରେ ଅଜବ ସ୍ଥିତି: ବୈଷୟିକ ପୁଲିସ କରିବେ ଫିଲ୍‌ଡ ଡ୍ୟୁଟି

Kerala Kaumudi

କଟକ : ପୁଲିସ ବିଭାଗରେ ସିଗନାଲ୍ ଭଳି ବୈଷୟିକ କାର୍ଯ୍ୟ ପାଇଁ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ଏବେ ଦିଆଯାଉଛି ଫିଲ୍‌ଡ ଦାୟିତ୍ବ। ଏଭଳି ବିଚିତ୍ର ନିଷ୍ପତ୍ତି ଏବେ ବିବାଦ ତଥା ଅସନ୍ତୋଷର କାରଣ ହୋଇଛି। ସୂଚନା ଅନୁଯାୟୀ ସିଗନାଲ୍ ବିଭାଗରେ କାର୍ଯ୍ୟରତ କନେଷ୍ଟବଳ ସିଗନାଲ୍ କ୍ୟାଡର୍‌ର ହୋଇଥିବା ବେଳେ ସେମାନଙ୍କୁ କେବଳ ସିଗନାଲ୍ ଓାର୍କସପ୍‌, ସିଗନାଲ ଅପରେଟର୍‌, ଜିଲ୍ଲା ଭିଏଚ୍‌ଏଫ୍ କଣ୍ଟ୍ରୋଲ ରୁମରେ ନିଯୁକ୍ତ କରିବା କଥା। କିନ୍ତୁ ସିଗନାଲ୍‌ର ମୋଟ ୪୬ କନେଷ୍ଟବଳଙ୍କୁ ଜିଲ୍ଲା ପୁଲିସ କ୍ୟାଡରରେ ନିଯୁକ୍ତି ଦିଆଯାଇଛି। ଥାନା ସ୍ତରରେ ସିସିଟିଏନ୍‌ଏସ୍ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାର ବିରୋଧ କରି କର୍ମଚାରୀମାନେ ଅଦାଲତର ଆଶ୍ରୟ ନେଇଥିବା ବେଳେ ଏବେ ରାଜ୍ୟ ଅପରାଧ ରେକର୍ଡ ବ୍ୟୁରୋ ସେମାନଙ୍କୁ ସିସିଟିଏନ୍‌ଏସ୍ ତାଲିମ ପାଇଁ ଭୁବନେଶ୍ବର ଯିବାକୁ ଚିଠି ଲେଖିବା ଘଟଣା ପ୍ରତିକ୍ରିୟା ସୃଷ୍ଟି କରିଛି।

publive-image odishapolice.gov.in

ସିଗନାଲ ଏସ୍‌ପିଙ୍କ ଅଧୀନରେ ଥିବା ୪୬ ଜଣ କନେଷ୍ଟବଳ-କମ୍ୟୁନିକେସନ୍ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପଦୋନ୍ନତି ପାଇଁ ଚୟନ କରାଯାଇଥିଲା। ସିଗନାଲ୍‌ ଏଷ୍ଟାବ୍ଲିସମେଣ୍ଟରେ ଏଏସ୍‌ଆଇ (କମ୍ୟୁନିକେସନ୍) ପଦକୁ ପଦୋନ୍ନତି ପାଇଁ କେନ୍ଦ୍ରୀୟ ଚୟନ ବୋର୍ଡ ଚଳିତ ମାର୍ଚ୍ଚ ୧୮ ତାରିଖରେ ନିଷ୍ପତ୍ତି ନେଇଥିଲା। ଏ ନେଇ ୨୦୨୧, ମାର୍ଚ୍ଚ ୨୬ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ବିଭିନ୍ନ ଜିଲ୍ଲାରେ ଥିବା ସିସିଟିଏନ୍ଏସ୍ ପ୍ରକଳ୍ପ ସଂଯୁକ୍ତ ଓୟାରଲେସ୍ ଟ୍ରେନିଂ ଷ୍ଟେସନ୍/ୱାର୍କସପ୍‌ରେ ଆବେଦନକାରୀଙ୍କୁ ଅବସ୍ଥାପିତ କରିବାକୁ ସିଗନାଲ୍‌ ଏସ୍‌ପି ଏପ୍ରିଲ ୧୩ ତାରିଖରେ ନିର୍ଦ୍ଦେଶନାମା ଜାରି କରିଥିଲେ। କିନ୍ତୁ ହଠାତ୍ ଏହି କର୍ମଚାରୀଙ୍କୁ ଜିଲ୍ଲା କ୍ୟାଡରରେ ଥାନା ସ୍ତରରେ ଥିବା ସିସିଟିଏନ୍‌ଏସ୍‌ରେ ନିଯୁକ୍ତି ଦେଲେ। ଯାହାକି ନିୟମ ବିରୋଧୀ।

ଏପରି କାର୍ଯ୍ୟ ଓଡ଼ିଶା ପୁଲିସ ସିଗନାଲ୍ସ ସର୍ଭିସ (ମେଥଡ ଅଫ୍ ରିକ୍ରୁଟମେଣ୍ଟ ଆଣ୍ଡ କଣ୍ଡିସନ୍ସ ଅଫ୍ ସର୍ଭିସ) ଅର୍ଡର, ୨୦୨୧ର ଉଲ୍ଲଂଘନ କରୁଛି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏଭଳି ପରିସ୍ଥିତିରେ ଏମାନଙ୍କୁ ସିସିଟିଏନ୍‌ଏସ୍ ତାଲିମ ପାଇଁ ଗଲା ୧୪ ତାରିଖରେ ରାଜ୍ୟ ଅପରାଧ ରେକର୍ଡ ବ୍ୟୁରୋ ଚିଠି କରିଛି। ଚିଠିରେ ଦୁଇଟି ପର୍ଯ୍ୟାୟରେ ୨୩ ଜଣ ଲେଖାଏଁ କର୍ମଚାରୀଙ୍କୁ ତାଲିମ ପାଇଁ ଉଲ୍ଲେଖ ରହିଛି। ଆସନ୍ତା ୨୦ ତାରିଖରୁ ୨୪ ତାରିଖ ଏବଂ ୨୭ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଏହି ତାଲିମ୍ ଦିଆଯିବ। ଏଭଳି ଚିଠି ମିଳିବା ପରେ ସିଗନାଲ୍‌ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବା ବେଳେ କର୍ମଚାରୀମାନେ ନିଷ୍ପତ୍ତି ପରିବର୍ତ୍ତନ ପାଇଁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe