ଜାଲିଆତି କରି ଜମି ହଡ଼ପ, ସନ୍ଦେହ ଘେରରେ ତହସିଲ କର୍ତ୍ତୃପକ୍ଷ

Advertisment
ଜାଲିଆତି କରି ଜମି ହଡ଼ପ, ସନ୍ଦେହ ଘେରରେ ତହସିଲ କର୍ତ୍ତୃପକ୍ଷ

Public App

ସୁନ୍ଦରଗଡ଼/ହେମଗିର: ହେମଗିର ତହସିଲ ଅଞ୍ଚଳରେ ମୃତକଙ୍କୁ ଜୀବିତ ଓ ଜୀବିତଙ୍କ ମୃତ ଦର୍ଶାଇ ଏକର ଏକର  ଜମି ହଡ଼ପ କରାଯାଉଥିବା ଅଭିଯୋଗ ରହିଛି। ଗତବର୍ଷ ତହସିଲ ଅନ୍ତର୍ଗତ କାଉଦରହ ଗାଁର ମୃତ ନିଃସନ୍ତାନ ବ୍ୟକ୍ତି ଘାସିରାମ ନାଏକଙ୍କ ୭ ଏକର ଜମି ଦଲାଲମାନେ ଜାଲିଆତି କରି ହଡ଼ପ କରି ନେଇଥିଲେ। ଏଥିପାଇଁ ଦଲାଲମାନେ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ମୋାହନପୁରର ଦୟାରାମ କିସାନ ନାମକ ଜଣେ ବ୍ୟକ୍ତିକୁ ମୃତ ଘାସିରାମଙ୍କ ପୋଷ୍ୟ ସନ୍ତାନ ସଜାଇଥିଲେ।  ତହସିଲ କର୍ମଚାରୀଙ୍କ ସହାୟତାରେ ନକଲି କାଗଜପତ୍ର ପ୍ରସ୍ତୁତ କରି ଘାସିରାମଙ୍କ ୧୭.୯୯ ଏକର ଜମିକୁ ଦୟାରାମ ନାଏକଙ୍କ ନାମରେ ରେକର୍ଡଭୁକ୍ତ କରି ସେଥିରୁ ୭ ଏକର ଜମି ଅନ୍ୟ ଜଣେ ବ୍ୟକ୍ତିକୁ ବିକ୍ରି କରି ଦେଇଥିଲେ। ଏ ଜାଲିଆତି ବାବଦକୁ ଦୟାରାମଙ୍କ ଦଲାଲମାନେ ୨ ଲକ୍ଷ ଟଙ୍କା ଦେଇଥିବା ଜଣାପଡ଼ିଥିଲା।

ଅବଶିଷ୍ଟ ଜମିକୁ ବିକ୍ରି କରିବାକୁ ଗ୍ରାହକ ଖୋଜୁଥିବା ବେଳେ ଜାଲିଆତି କଥା ସାମ୍ନାକୁ ଆସିଥିଲା। ହେମଗିର ତହସିଲରେ ପୁଣି  ସେମିତି ଏକ ଜମି ଜାଲିଆତି ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କ ମୃତ ପ୍ରଥମ ପତ୍ନୀଙ୍କ ବାପାଙ୍କ ନାମରେ ଥିବା ୬.୭୯ ଜମିକୁ ତାଙ୍କ ଦ୍ବିତୀୟ ପତ୍ନୀଙ୍କ ପୁଅ, ଝିଅ ନିଜ ନାମରେ ରେକର୍ଡଭୁକ୍ତ କରି ନେଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ଝାରପଲମ ନିବାସୀ କାଶୀ ପଧାନ(ମୃତ)ଙ୍କ ଝିଅ କିଆ ପଧାନ ଛତାବରର ଚିନ୍ତାମଣି ସାଙ୍କୁ ବିବାହ କରିଥିଲେ। ମାତ୍ର କିଆ  ନିଃସନ୍ତାନ ଭାବେ ପ୍ରାଣ ହରାଇବା ପରେ ଚିନ୍ତାମଣି ଦ୍ବିତୀୟ ବିବାହ କରିଥିଲେ।

ଦ୍ବିତୀୟ ପତ୍ନୀଙ୍କ ୫ ସନ୍ତାନ ଅଛନ୍ତି। ଏହା ମଧ୍ୟରେ ଚିନ୍ତାମଣିଙ୍କ  ମଧ୍ୟ ଦେହାନ୍ତ ହୋଇଯାଇଛି। ଏବେ ମୃତ ଚିନ୍ତାମଣିଙ୍କ ଦ୍ବିତୀୟ ପତ୍ନୀଙ୍କ ପିଲାମାନେ ବେଆଇନ ଭାବେ କିଛି ଦଲାଲ ଓ ରାଜସ୍ବ କର୍ମଚାରୀଙ୍କ ସହଯୋଗରେ ବାପା ଚିନ୍ତାମଣିଙ୍କ ପ୍ରଥମ ପତ୍ନୀ କିଆ ପଧାନଙ୍କ ବାପା କାଶୀ ପଧାନଙ୍କ ନାମରେ ଝାରପଲମରେ ଥିବା ୬.୭୯ ଜମିକୁ ନିଜ ନାମରେ ୨ୟ କଲମ ସଂଶୋଧନ କରି ନେଇଛନ୍ତି। ମୃତ କାଶୀ ନିଜ ଝିଅ କିଆ କି ଜ୍ବାଇଁ ଚିନ୍ତାମଣିଙ୍କ ନାମରେ ଜମି ରେଜିଷ୍ଟ୍ରି କି ଉଇଲନାମା କରି ନଥିଲେ। ଏସ୍ଥିତିରେ ତହସିଲ କର୍ମଚାରୀଙ୍କୁ ହାତ କରି ଜମି ସବୁ  ହଡ଼ପ କରି ନେଇଥିବା ଅଭିଯୋଗ ହୋଇଛି। ଜାଲିଆତିର ତଦନ୍ତ କରି ଜମି ହଡ଼ପକାରୀ ଓ ଅସାଧୁ ତହସିଲ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe