ptcnews.tv
ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପ୍ରଚାରରେ ଡାକବାଜି ଯନ୍ତ୍ର ଓ ଗାଡ଼ିର ବ୍ୟବହାର ନେଇ ଅନୁମତି ପାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ପ୍ରତିଦିନ ରାଜ୍ୟ ନିର୍ବାଚନ କମିସନଙ୍କ ନିକଟକୁ ଅଭିଯୋଗ ଆସୁଛି। ତେଣୁ ଏହାର ସୁପରିଚାଳନା ନିମନ୍ତେ ସ୍ଥାନୀୟ ତହସିଲଦାରମାନେ ଏଣିକି ନିର୍ବାଚନରେ ବ୍ୟବହାର ହେବାକୁ ଥିବା ଗାଡ଼ି ଓ ମାଇକ୍ ପାଇଁ ଅନୁମତି ଦେଇପାରିବେ ବୋଲି ରାଜ୍ୟ ନିର୍ବାଚନ କମିସନ ନିଷ୍ପତ୍ତି ନେଇଛନ୍ତି। ତେଣୁ ତହସିଲଦାରମାନଙ୍କୁ ଏନେଇ ପ୍ରାଧିକୃତ କରିବାକୁ କମିସନ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ସବୁ ରାଜନୈତିକ ଦଳ ଓ ପ୍ରାର୍ଥୀ ସହଜରେ ଅନୁମତି ପାଇପାରିବେ।
ସେହିପରି ସଂପୃକ୍ତ ଉପଜିଲ୍ଲାପାଳଙ୍କ ସହ ସ୍ଥାନୀୟ ତହସିଲଦାରମାନେ ନିର୍ବାଚନ ନିମନ୍ତେ ଗାଡ଼ି ଓ ଡାକବାଜି ଯନ୍ତ୍ରର ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରିପାରିବେ। ଯେଉଁ ବ୍ଲକ କମିସନେଟ୍ ପୁଲିସ ଅଧୀନରେ ଆସୁଛି ସେଠାରେ ସଂପୃକ୍ତ ପୁଲିସ କମିସନର ଆବଶ୍ୟକ ଅନୁମତି ପତ୍ର ପ୍ରଦାନ କରିପାରିବେ ବୋଲି ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି। ସରପଞ୍ଚ ଓ ପଞ୍ଚାୟତ ସମିତି ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ଗାଡ଼ି ବ୍ୟବହାର ନିମନ୍ତେ ସ୍ଥାନୀୟ ବିଡିଓ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ କ୍ଷେତ୍ରରେ ଗାଡ଼ି ବ୍ୟବହାର ନିମନ୍ତେ ସଂପୃକ୍ତ ଉପଜିଲ୍ଲାପାଳମାନେ ଅନୁମତି ପତ୍ର ପ୍ରଦାନ କରିବେ ବୋଲି ନିର୍ବାଚନ କମିସନ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Follow Us