ବାପାଙ୍କୁ ଚିଠି ଲେଖି ଜୀବନ ହାରିଲେ ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା

Advertisment
ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ଆତ୍ମହତ୍ୟା ଘଟଣା: ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଥିବା ସୂଚନା

ଭୁବନେଶ୍ବର : ‘‘ମିସ୍ ୟୁ ବାବା। ମୁଁ ଉପରେ ଥାଇ ତୁମକୁ ବହୁତ ମିସ୍ କରିବି। ମୁଁ କାହା କଥା କେବେ ଶୁଣେନି। ମୁଁ ଗୋଟେ ବହୁତ ଖରାପ ଝିଅ। ମୋ ମୃତ୍ୟୁକୁ ନେଇ କାହାକୁ ଦାୟୀ କରିବନି। ଆଉ ଯଦି କାହା ନାଁରେ ଅଭିଯୋଗ ଦେବ ମୁଁ କାହାରିକୁ ଛାଡ଼ିବିନି।’’

ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝା ଏହିଭଳି କେଇ ପଦ କଥା କାଗଜରେ ଲେଖିବା ପରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଗତକାଲି ରାତି ପ୍ରାୟ ୧୦ଟା ୩୦ରେ ନୂଆପଲ୍ଲୀ ଥାନା ପୁଲିସ ଖବର ପାଇ ରଶ୍ମିରେଖା ରହୁଥିବା ଗଡ଼ସାହିର ଭଡ଼ା ଘରେ ପହଞ୍ଚିଥିଲା। ସେଠାରେ ରଶ୍ମିରେଖାଙ୍କ ଶବ ଫ୍ୟାନ୍‌ରେ ଝୁଲୁଥିଲା। ପରେ ପୁଲିସ ଶବ ଜବତ କରିଥିଲା। ଶବ ନିକଟରେ ଥିବା ଟେବୁଲ୍‌ ଉପରୁ ପୁଲିସ ସୁଇସାଇଡ୍ ନୋଟ୍ ଜବତ କରିଛି।

ସୁଇସାଇଡ୍ ନୋଟ୍‌ରେ ରଶ୍ମି ତାଙ୍କ ମୃତ୍ୟୁ ପାଇଁ କାହାରିକୁ ଦାୟୀ କରିନାହାନ୍ତି। ମାତ୍ର ତାଙ୍କ ବାବା କି ପରିବାର ଲୋକେ ଯଦି କାହାରିକୁ ଦାୟୀ କରନ୍ତି, ତେବେ ସେ କାହାରିକୁ ବି ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ ଲେଖିଛନ୍ତି। ତେଣୁ ସୁଇସାଇଡ୍ ନୋଟ୍‌ରୁ ହିଁ ସ୍ପଷ୍ଟ ଜଣାପଡ଼ୁଛି ଯେ ରଶ୍ମିଙ୍କ ଆତ୍ମହତ୍ୟା କରିବା ସ୍ବାଭାବିକ ପ୍ରକ୍ରିୟା ନୁହେଁ। କୌଣସି ଅଘଟଣ ବା ମାନସିକ ଚାପକୁ ନେଇ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଆଉ ଏ ବାବଦରେ ପରିବାର ଲୋକେ ଜାଣିଥିବାରୁ ଘଟଣା ସାମ୍ନାକୁ ନ ଆସିବା ପାଇଁ ଏଭଳି ସୁଇସାଇଡ୍ ନୋଟ୍ ଲେଖିଛନ୍ତି। ଅପରପଟେ ରଶ୍ମିଙ୍କ ବାପା ରଂଜନ ଓଝା ମଧ୍ୟ ଝିଅର ଆତ୍ମହତ୍ୟାକୁ ନେଇ କାହାକୁ ଅଭିଯୁକ୍ତ କରିନାହାନ୍ତି। ତେଣୁ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେହିଭଳି ବିଳମ୍ବିତ ରାତିରେ ଘଟଣା ପୁଲିସ ଜାଣିବା ପରେ ରଶ୍ମିଙ୍କ ଶବକୁ ରାତି ତମାମ୍ ତାଙ୍କ ଘରେ ରଖାଯାଇଥିଲା। ସକାଳୁ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ୍ ପଠାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସେହି ଅନୁସାରେ ତଦନ୍ତ ଆଗକୁ ବଢ଼ାଇବ ବୋଲି ପୁଲିସ ସୂଚନା ଦେଇଛି।

ଉଲ୍ଲେଖଯୋଗ୍ୟ ଯେ ରଶ୍ମିରେଖାଙ୍କ ମୂଳ ଘର ହେଉଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ସଂକେତପାଟଣାରେ। ସେ ଯୁକ୍ତ ୨ ପରେ ଅଭିନୟ କରିବା ପାଇଁ ଭୁବନେଶ୍ବର ଆସିଥିଲେ। ସେ ନିକଟରେ ‘କେମିତି କହିବି କହ’ ଧାରାବାହିକରେ ଅଭିନୟ କରି ଖୁବ୍ କମ୍ ସମୟରେ ଲୋକପ୍ରିୟତା ହାସଲ କରିଥିଲେ। ସବୁ ବେଳେ ଖୁସି ମିଜାଜ୍‌ରେ ରହୁଥିବା ରଶ୍ମି ଏମିତି ଆତ୍ମହତ୍ୟା କରିବାକୁ ନେଇ ତାଙ୍କ ପ୍ରଶଂସକ ସହଜରେ ଗ୍ରହଣ କରିପାରୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe