ତେଲକୋଇ ସମ୍ବାଦ ସାହିତ୍ୟଘରର ବାର୍ଷିକ ଉତ୍ସବ

ତେଲକୋଇ ସମ୍ବାଦ ସାହିତ୍ୟଘରର ବାର୍ଷିକ ଉତ୍ସବ

ତେଲକୋଇ: ସାହିତ୍ୟ ହେଉଛି ସୃଜନର ଚାବିକାଠି। ସାହିତ୍ୟ ଯେତିକି ରୁଦ୍ଧିମନ୍ତ ହେବ, ବିଜ୍ଞାନ ଓ ଗଣିତ ସେତିକି ପରିମାର୍ଜିତ ଏବଂ ବିକଶିତ ହେବ କେନ୍ଦୁଝର ଜିଲ୍ଲା ତେଲକୋଇ ସମ୍ବାଦ ସାହିତ୍ୟଘରର ଅଷ୍ଟମ ବାର୍ଷିକ ଉତ୍ସବରେ ମଞ୍ଚାସୀନ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ତେଲକୋଇ ଚାରିଗଡ଼ କଲେଜ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ସାହିତ୍ୟଘର ଉପସଭାପତି ଖଗେଶ୍ବର ମହାନ୍ତ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ଚାରିଗଡ଼ କଲେଜ ଅଧ୍ୟକ୍ଷ ତଥା ସାହିତ୍ୟଘରର ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ମାନଗୋବିନ୍ଦ ସାହୁ ଯୋଗଦେଇ ସାହିତ୍ୟରେ କିପରି ରସ ଆସ୍ବାଦନ କରାଯାଇପାରେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ଡ. ବନଜ କୁମାର ବିଶ୍ବାଳ ଯୋଗଦେଇ ତେଲକୋଇ ସମ୍ବାଦ ସାହିତ୍ୟଘକୁ ଅଧିକମାତ୍ରାରେ ଉଜ୍ଜୀବିତ କରିବା ନିମନ୍ତେ ସମସ୍ତଙ୍କୁ ପ୍ରେରଣା ଯୋଗାଇଥିଲେ। ସମ୍ମାନିତ ଅତିଥିଭାବେ ବାବୁଲାଲ ପ୍ରଧାନ ଓ ହଟକିଶୋର ସାହୁ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ପାଇଁ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ନେତୃତ୍ବରେ ଯେଉଁ ସାହିତ୍ୟଘର ଗଡ଼ି ଉଠିଛି, ତାହା ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରୁଛି। ଆଗାମୀ ପିଢ଼ି ନିଶ୍ଚିତ ଭାବେ ଏହାଦ୍ବାରା ପ୍ରଭାବିତ ହୋଇ ଓଡ଼ିଆ ଭାଷା ପ୍ରତି ଆକୃଷ୍ଟ ହେବେ ବୋଲି କହିଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ବନାନୀ’ ଉନ୍ମୋଚିତ ହୋଇଥିଲା।

ମଧ୍ୟାହ୍ନରେ ଅନୁଷ୍ଠିତ ଦ୍ବିତୀୟ ଅଧିବେଶନରେ ସାହିତ୍ୟଘର ସଭାପତି ବିଜୟ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବିମ୍ବାଧର ବେହେରା ଯୋଗଦେଇ ତେଲକୋଇ ମାଟି, ପାଣି, ପବନରେ ଏକ ସମୃଦ୍ଧ ସାହିତ୍ୟ ସୃଷ୍ଟି ହେବାର ଦିଗଦର୍ଶନ ଦେଇଥିଲେ।, ମୁଖ୍ୟବକ୍ତା ସୁସାହିତ୍ୟିକ ତଥା କେନ୍ଦୁଝର ମିଳନୀ ସାହିତ୍ୟ ସଂସଦ ସଭାପତି ଦେବାଶିଷ ଚକ୍ରବର୍ତ୍ତୀ କହିଥିଲେ ଯେ ସାହିତ୍ୟ କେବଳ ଆନନ୍ଦ ପ୍ରଦାନ କରେ ନାହିଁ, ସେ ମଧ୍ୟ ଆଲୋଡ଼ନ ସୃଷ୍ଟି କରିଥାଏ। ସମ୍ମାନିତ ଅତିଥିଭାବେ ମିଳନୀ ସାହିତ୍ୟ ସଂସଦ ସମ୍ପାଦକ ଡ. ଚିତ୍ତ ମିଶ୍ର କହିଥିଲେ ଯେ ମଣିଷ ବଞ୍ଚିଲେ ସାହିତ୍ୟ ବଞ୍ଚିବ। କେବଳ ସାହିତ୍ୟ ହିଁ ସମାଜକୁ ଦିଗଦର୍ଶନ ଦେଇପାରିବ ବୋଲି ସେ କହିଥିଲେ। ସାହିତ୍ୟିକ ପ୍ରଦୀପ କୁମାର ରାଉତ ମଧ୍ୟ ଏଥିରେ ଯୋଗଦେଇ ସାହିତ୍ୟ ସଂପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ସାହିତ୍ୟଘର ସମ୍ପାଦକ ବସୁଦେବ ମହାନ୍ତ ବିବରଣୀ ପାଠ ଓ ଚାରିଗଡ କଲେଜ ଓଡ଼ିଆ ପ୍ରାଧ୍ୟାପକ ତଥା ସାହିତ୍ୟଘର ସାଂସ୍କୃତିକ ଓ ମୁଖପତ୍ର ସମ୍ପାଦକ ଡ. ପାଣ୍ଡବ ଚରଣ ସାହୁ ମଞ୍ଚ ପରିଚାଳନା କରିଥିଲେ। ସାହିତ୍ୟଘର ସଂଯୋଜକ ତଥା ‘ସମ୍ବାଦ’ ବ୍ଲକ୍‌ ପ୍ରତିନିଧି ବିରଞ୍ଚି କୁମାର ବେହେରା, କୋଷାଧ୍ୟକ୍ଷ ପ୍ରତାପ ଚନ୍ଦ୍ର ମହାନ୍ତ, ଅଧ୍ୟାପକ ଟୁନାରାମ ମହାନ୍ତ, ସଞ୍ଜୟ କୁମାର ଦେହୁରୀ, ସୁରେଶ ଚନ୍ଦ୍ର ପ୍ରଧାନ ଓ ସାହିତ୍ୟଘରର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ।

publive-image

ଏହି ଅବସରରେ ସାହିତ୍ୟ ଓ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କବୟିତ୍ରୀ ନଳିନୀପ୍ରଭା ପଟ୍ଟନାୟକ, ଶିଶୁ ସାହିତ୍ୟିକ ନିରାକାର ଚଇନି, ‘ସୁନ୍ଦର ମୋ ଭାଷା ସାହିତ୍ୟ’ର ସମ୍ପାଦକ ନାରାୟଣ ଚନ୍ଦ୍ର ସେନାପତି, ବିଶିଷ୍ଟ ଦାସକାଠିଆ ଗାୟକ ହୃଷୀକେଶ ପାତ୍ର, ମୃଦଙ୍ଗ ବାଦକ ମୁରଲୀଧର ନାୟକ ଓ ତେଲକୋଇ ବ୍ଲକ୍ ପାଲା ସଂଗଠନର ସଭାପତି ପାଲାଗାୟକ ମିତ୍ରଭାନୁ ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନାରାୟଣ ଚନ୍ଦ୍ର ସେନାପତି ଓ ଦୋବଲାପାଳ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଅକ୍ଷୟ କୁମାର ବାରିକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସାହିତ୍ୟଘର ସହସମ୍ପାଦକ ଚିତ୍ତରଞ୍ଜନ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe