ଲଘୁଚାପ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ

Advertisment
ଲଘୁଚାପ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ

ବିଶୋଇ: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବିଶୋଇ ବ୍ଲକ ଭାତଛତ୍ର ପଞ୍ଚାୟତ ଅନ୍ତର୍ଗତ ମଝିଗାଁ-ରଙ୍ଗାମାଟିଆ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ଏକ ପୋଲ ଧୋଇଯାଇଛି। ଫଳରେ ପୋଲ ଅନ୍ୟ ପାର୍ଶ୍ବରେ ଥିବା ସାନରଙ୍ଗାମାଟିଆ, ରୁଗଳିଡ଼ିହି ଗ୍ରାମର ପ୍ରାୟ ୧୫୦ରୁ ଅଧିକ ପରିବାର ଏକପ୍ରକାର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି। ସ୍ଥିତି ଏମିତି ଯେ, ଏହି ୨ଟି ଗାଁ’କୁ ବର୍ତ୍ତମାନ ଜରୁରୀକାଳୀନ ପରିସ୍ଥିତିରେ ୧୦୮ ଆମ୍ବୁଲାନ୍‌ସ ଓ ଦମକଳ ଗାଡ଼ି ଯିବା ଅସମ୍ଭବ। ତେବେ ସାନରଙ୍ଗାମାଟିଆ ଓ ରୁଗୁଳିଡ଼ିହି ଗ୍ରାମବାସୀ ଜରୁରୀ କାମ ପାଇଁ ୧୦ କିଲୋମିଟର ଅଧିକ ବାଟ ବୁଲି ବ୍ଲକ ମହକୁମାକୁ ଆସୁଛନ୍ତି।

ପୋଲଟି ଗତକାଲି ଭାଙ୍ଗିଯିବା ପରେ ସ୍ଥାନୀୟ ଲୋକେ ନିଜର ଯାତାୟାତ ପାଇଁ ଭାଙ୍ଗି ଯାଇଥିବା ପୋଲରେ ସିମେଣ୍ଟ ବିଦ୍ୟୁତ ଖୁଣ୍ଟ ପକାଇଛନ୍ତି। ତେବେ ଏହା ଅତ୍ୟନ୍ତ ବିପଦଜନକ। ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ମୁତାବକ, ପୋଲର ଏଭଳି ଅବସ୍ଥା ଘଟିବା କିଛି ନୂଆ କଥା ନୁହେଁ। ପ୍ରତ୍ୟେକ ବର୍ଷ ଲଗାଣ ବର୍ଷା‌ରେ ଏହି ଅସ୍ଥାୟୀ ପୋଲଟି ଧୋଇଯାଏ। ଗତବର୍ଷ ମଧ୍ୟ ଏହି ପୋଲ ବର୍ଷାରେ ଧୋଇଯିବାରୁ ପ୍ରାଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ ଓ ସାଂସଦ ଘଟଣାସ୍ଥଳ ପରିଦର୍ଶନ କରି ପୋଲ ସ୍ଥିତି ଅନୁଧ୍ୟାନ କରିଥିଲେ। ହେଲେ ଏଥିରୁ କିଛି ସୁଫଳ ମିଳିଲାନାହିଁ। ବର୍ଷା ଦିନ ସରିଗଲା ମାତ୍ରେ ପୋଲ ନିର୍ମାଣ କଥା ସମସ୍ତେ ପାଶୋରି ଦିଅନ୍ତି। ପ୍ରତ୍ୟେକ ବର୍ଷ ଭଳି ମାଟି ଓ ବାଲିରେ ଏହି ପୋଲକୁ ଅସ୍ଥାୟୀ ଭାବେ ନିର୍ମାଣ କରାଯାଇଥାଏ। ତେଣୁ ଏହି ସ୍ଥାନରେ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe