ଉତ୍ତପ୍ତ ଓଡ଼ିଶା : ୪୫ଂ ଉପରେ ୫ ସହର

Advertisment
ଉତ୍ତପ୍ତ ଓଡ଼ିଶା : ୪୫ଂ ଉପରେ ୫ ସହର

newsnation.in

ଭୁବନେଶ୍ବର : ସକାଳ ୯ଟାରୁ ଟାଇଁ ଟାଇଁ ଖରା। ଘର ଭିତରେ ରହି ହେଉନି କି ବାହାରକୁ ବାହାରି ହେଉନି। ଯୁଆଡ଼େ ଗଲେ ଗମଗମ ହେଇ ବାହାରୁଛି ଝାଳ। ପ୍ରଚଣ୍ଡ ତାତିରେ ସମସ୍ତେ ଅସ୍ତବ୍ୟସ୍ତ।

ସାରା ଓଡ଼ିଶା ପାଲଟିଛି ଉତ୍ତପ୍ତ ପିଣ୍ଡୁଳା। ସବୁଠି ଲୋକେ ତାତିରୁ ଆଉଟୁ ପାଉଟୁ ହେଉଛନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ ନିସ୍ତାର ନାହିଁ। ଘରୁ ବାହାରି ପାରୁ ନାହାନ୍ତି। ଅତି ଜରୁରୀ କାମ ନ ଥିଲେ କେହି ପଦାକୁ ଆସୁ ନାହାନ୍ତି। ମଧ୍ୟାହ୍ନ ବେଳକୁ ରାସ୍ତାଘାଟ ଏକପ୍ରକାର ଶୂନଶାନ ହୋଇଯାଉଛି। କାଁ ଭାଁ ଗାଡ଼ି ମଟର ଦେଖିବାକୁ ମିଳୁଛି।

ଟିଟିଲାଗଡ଼ ଆଜି ଦେଶର ଦ୍ବିତୀୟ ତତଲା ସହର ଭାବେ ପରିଗଣିତ ହୋଇଛି। ବିଦର୍ଭର ଚନ୍ଦ୍ରପୁରରେ ଦେଶର ସର୍ବୋଚ୍ଚ ତାପମାତ୍ରା ୪୬.୬ ଡିଗ୍ରି ରେକର୍ଡ କରାଯାଇଛି। ଏହା ତଳକୁ ଦ୍ବିତୀୟ ଉତ୍ତପ୍ତ ସହର ଭାବେ ଟିଟିଲାଗଡ଼ର ତାପମାତ୍ରା ୪୬.୫ ଡିଗ୍ରି ରେକର୍ଡ ‌ହୋଇଛି। ବଲାଙ୍ଗୀର ବି ଉତ୍ତପ୍ତ ସହରରେ ପରିଣତ ହୋଇଛି। ଏଠାରେ ତାପମାତ୍ରା ୪୬.୩ ଡିଗ୍ରି ରହିଥିବା ବେଳେ ମୋଟ ୫ଟି ସହରର ତାପମାତ୍ରା ୪୫ ଡିଗ୍ରି ଡେଇଁଯାଇଛି। ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା।

ଏବେ ପାଣିପାଗ ବିଭାଗ କହିଲାଣି ଯେ ୨୮ ତାରିଖ ଯାଏ ନିସ୍ତାର ମିଳିବନି। ପଶ୍ଚିମ ଓଡ଼ିଶା ତତଲା ତାୱାରେ ଭାଜି ହେବ। ଉପକୂଳ ଓଡ଼ିଶାବାସୀଙ୍କୁ ବି ତାତିରୁ ତ୍ରାହି ମିଳିବନି। ୨୪ ଘଣ୍ଟା ମଧ୍ୟରେ ଟିଟିଲାଗଡ଼, ବଲାଙ୍ଗୀର, ତାଳଚେର ତାପମାତ୍ରା ୪୭ ଡିଗ୍ରି ଟପିଯିବାର ଆଶଙ୍କା ରହିଛି। ଉପକୂଳ ଓଡ଼ିଶାର କଟକ ଓ ଚାନ୍ଦବାଲି ଆଜି ୪୦ ଡିଗ୍ରି ପାର୍‌ ହୋଇଛି। ତେବ‌େ ଆସନ୍ତା ତିନି ଦିନ ମଧ୍ୟରେ ଭୁବନେଶ୍ବର, ନୟାଗଡ଼, ବାରିପଦାରେ ତାପମାତ୍ରା ୪୦ ଡିଗ୍ରି ଟପିଯାଇପାରେ। ବାୟୁମଣ୍ଡଳରେ ଆର୍ଦ୍ରତା ଆହୁରି ବଢ଼ିବ। ଫଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ।

ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୨୮ ଯାଏ ୯ଟି ଜିଲ୍ଲା ପାଇଁ ହିଟ୍‌ୱେଭ୍‌(ପ୍ରଚଣ୍ଡ ତାତି) ଜାରି ହୋଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ାରେ ପ୍ରବଳ ତାତି ଅନୁଭୂତ ହେବ। ତେବେ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, କନ୍ଧମାଳ, ରାୟଗଡ଼ା ଜିଲ୍ଲା ଲାଗି କାଳବୈଶାଖୀ ସତର୍କ ସୂଚନା ଦିଆଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରପାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ଉପକୂଳବର୍ତ୍ତିୀ ଜିଲ୍ଲାମାନଙ୍କରେ ତାପମାତ୍ରା ଆହୁରି ୦.୫ରୁ ୧ ଡିଗ୍ରି ବଢ଼ିବ। ଭୁବନେଶ୍ବର ତାପମାତ୍ରା ୪୧ରେ ପହଞ୍ଚିପାରେ। ୨୮ ତାରିଖ ବେଳକୁ ଉପକୂଳରେ ତାପମାତ୍ରା କମିବ। ଭୁବନେଶ୍ବର ୪୦ ଡିଗ୍ରି ତଳେ ରହିବ। ତେବେ ଝାରସୁଗୁଡ଼ାଠାରୁ ମାଲକାନଗିରି ପର୍ଯ୍ୟନ୍ତ ତାତି ଜାରି ରହିବ। ଅଧିକ ତାପମାତ୍ରା ରହୁଥିବା ସ୍ଥାନରେ ଜୁନ୍‌ ୩ ତାରିଖ ଯାଏ ୪୬ରୁ ୪୭ ଡିଗ୍ରି ରହିପାରେ। ୨୯ ଓ ୩୧ ତାରିଖରେ କେତେକ ସ୍ଥାନରେ ତାପମାତ୍ରା ୪୭ ଡିଗ୍ରିରେ ପହଞ୍ଚିପାରେ। କେନ୍ଦ୍ରୀୟ ଓଡ଼ିଶା ଅପେକ୍ଷା ସୁନ୍ଦରଗଡ଼,ବଲାଙ୍ଗୀର ଆଦି ଅଞ୍ଚଳରେ ଅଧିକ ତାତି ରହିବ। ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ବର୍ଷା ହୋଇପାରେ। ଜୁନ୍‌ ୧୦ ସୁଦ୍ଧା‌ ପ୍ରାକ୍‌ ମୌସୁମୀ ବର୍ଷାର ସମ୍ଭାବନା ନାହିଁ। ଆସନ୍ତା ସପ୍ତାହଠାରୁ ମୌସୁମୀ ସକ୍ରିୟ ହେବା ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe