ଆଜିଠୁ ବଢ଼ିବ ତାତି

Advertisment
ଆଜିଠୁ ବଢ଼ିବ ତାତି

Photo by : ctnc.org

ଭୁବନେଶ୍ୱର : ଖରା, ବର୍ଷା, କୋହଲା ପାଗରେ ଗୋଟିଏ ସପ୍ତାହ ଚାଲିଗଲା। ଏଣିକି ପୁଣିଥରେ ବଢ଼ିବ ତାତି। ଗୁରୁବାରଠାରୁ ଉପାନ୍ତରୁ ଉପକୂଳ, ପଶ୍ଚିମରୁ ଦକ୍ଷିଣ ଓଡ଼ିଶା ସବୁଠି ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫେବ୍ରୁଆରି ୨୨ ପର୍ଯ୍ୟନ୍ତ ଅଧିକାଂଶ ସହରର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ଉପରକୁ ଚାଲିଯିବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଥିସହ ୧୮ ଓ ୧୯ ତାରିଖରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘନ କୁହୁଡ଼ିର ପ୍ରଭାବ ରହିବ। ୨୦୦ ମିଟର ପରେ ରାସ୍ତା ଦୃଶ୍ୟମାନ ହେବ ନାହିଁ। ଏନେଇ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ବୁଧବାର ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ପବନ ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲେ ମଧ୍ୟ ସେଭଳି କିଛି ହୋଇନି। ଗୋଟିଏ ଦୁଇଟି ସ୍ଥାନକୁ ଛାଡ଼ି ସାରା ଓଡ଼ିଶାରେ ଆଜି ପାଗ ଶୁଖିଲା ରହିଥିଲା। ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ହାଲକା ବର୍ଷା ହୋଇଛି। ଅପରାହ୍ନରେ ଉପକୂଳ ଓଡ଼ିଶାରେ ପବନର ବେଗ ସାମାନ୍ୟ ବଢ଼ିଥିଲା।

ପାଣିପାଗ କେନ୍ଦ୍ରର ନିର୍ଦେଶକ ଶରତ ସାହୁଙ୍କ କହିବାନୁଯାୟୀ ଓଡ଼ିଶା ଉପରେ ଟ୍ରାପ୍‌ ଲାଇନ୍‌ ରହିଥିବାରୁ ତାହାର ପ୍ରଭାବରେ ବର୍ଷା ହେଉଥିଲା। ଏଣିକି ଆଉ ବର୍ଷା ହେବନି। ସାରା ରାଜ୍ୟରେ ଦିନର ତାପମାତ୍ରା ବଢ଼ିବ। ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୬/୩୭ ଡିଗ୍ରି ରହିବ। ଭୁବନେଶ୍ୱର ଓ କଟକରେ ବି ତାତି ଅନୁଭୂତ ହୋଇପାରେ। ୨୨ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝରଗଡ଼, ସୁନ୍ଦରଗଡ଼, କୋରାପୁଟ ଓ  ଦାରିଙ୍ଗବାଡ଼ିକୁ ଛାଡ଼ି ଅନ୍ୟ ସମସ୍ତ ସହରର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିଲା। ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୪.୨ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱରରେ ୩୩, ଭୁବନେଶ୍ୱରରେ ୩୩.୪, ତାଳଚେରରେ ୩୨.୮, କଟକରେ ୩୨.୫, ଗୋପାଳପୁରରେ ୩୨.୬, ଅନୁଗୁଳରେ ୩୨.୧, ଟିଟିଲାଗଡ଼ରେ ୩୨ ଡିଗ୍ରି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe