ବଢୁଛି ତାତି: ପ୍ରସ୍ତୁତିରେ ଅଟକିଛି ଅଂଶୁଘାତ ମୁକାବିଲା କାର୍ଯ୍ୟକ୍ରମ 

Advertisment
୨୬ରୁ ଭୟଙ୍କର ତାତି: ୪ରୁ ୬ଂ ବଢ଼ିବ ତାପମାତ୍ରା
ଭଦ୍ରକ: ଭଦ୍ରକ ଜିଲ୍ଲାରେ ତାତି ବଢ଼ୁ ଥିବା ବେଳେ ପ୍ରସ୍ତୁତିରେ ଅଟକିଛି ଅଂଶୁଘାତ ମୁକାବିଲା କାର୍ଯ୍ୟକ୍ରମ। ବଢ଼ିଚାଲିଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଗୁଆ ବୈଠକ ପରେ ବୈଠକ କରି ଏଥିନେଇ ସତର୍କ ଏବଂ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ବିଭିନ୍ନ ଲାଇନ ଡିପାର୍ଟମେଣ୍ଟକୁ ଡାକି ଏନେଇ ସଜାଗ ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଖରାବେଳେ ଶ୍ରମ ନିଯୁକ୍ତି ଉପରେ କଟକଣା ଜାରି କରିବାକୁ ସମସ୍ତ ପାନୀୟଜଳ ଉତ୍ସ ଗୁଡ଼ିକ କାର୍ଯ୍ୟକ୍ଷମ ରଖିବାକୁ କୌଣସି ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଦେଖାଗଲେ ତୁରନ୍ତ ସେଥିପ୍ରତି ଦୃଷ୍ଟି ଦେବାକୁ ମଣିଷଙ୍କ ସହିତ ବିଭିନ୍ନ ପଶୁପକ୍ଷୀଙ୍କୁ ପାନୀୟ ଜଳ ସଙ୍କଟରୁ ରକ୍ଷା କରିବାକୁ କାର୍ଯ୍ୟପନ୍ଥା ଗ୍ରହଣ କରିବା ସହରର ବିଭିନ୍ନ ଛକରେ ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବା, ଗ୍ରୀଷ୍ମ ପ୍ରବାହ ସମୟରେ ନିହାତି କାମ ନପଡିଲେ ପଦାକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।
ସମ୍ଭାବ୍ୟ ପରିସ୍ଥିତି ମୁକାବିଲା କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ସମସ୍ତ ସିଏଚସି ଏବଂ ପିଏଚସି ଗୁଡିକରେ ହିଟ ଷ୍ଟ୍ରୋକ ରୁମ ପ୍ରସ୍ତୁତ ରଖିବା ସହିତ ପର୍ଯ୍ୟାପ୍ତ ଓଆରଏସ, ବରଫ ଏବଂ ଜୀବନ ରକ୍ଷାକାରୀ ଔଷଧ ମହଜୁଦ ରଖିବାକୁ ନିର୍ଦେଶ ଦିଆଯାଇଛି। ତେବେ ପ୍ରଶାସନିକ ସ୍ତରରେ ଜାରି ହୋଇଥିବା ଏହି ନିର୍ଦେଶ କେବଳ ନିର୍ଦେଶରେ ସୀମିତ ରହିଛି। ଦିବସର ତାପମାତ୍ରା ଦ୍ରୁତ ବୃଦ୍ଧି ପାଉଥିବା ବେଳେ ଆଜି ସୁଦ୍ଧା ଭଦ୍ରକ ସହର ଅଥବା ଜିଲ୍ଲାରେ ଗୋଟିଏ ହେଲେ ସ୍ଥାନରେ ଜଳଛତ୍ର ଖୋଲା ଯାଇ ନଥିବା ବେଳେ ଅଚଳ ନଳକୂପ ସଜଡ଼ା ହୋଇନି। ଶ୍ରମ ନିୟୋଜନ ଉପରେ କୌଣସି ଅଙ୍କୁଶ ଜାରି କରାଯାଇ ନାହିଁ। ଡହଡହ ଖରାରେ ଶ୍ରମିକ କାମ କରୁଥିବା ବେଳେ ଯାନବାହାନ ଚଳାଚଳ ଉପରେ କୌଣସି ଅଙ୍କୁଶ ଜାରି କରାଯାଇ ନାହିଁ।
ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଅଂଶୁଘାତ ଜନିତ କୌଣସି ଦୁର୍ଘଟଣା ଅଥବା ମୃତ୍ୟୁ ଖବର ମିଳି ନଥିଲେ ମଧ୍ୟ ଜିଲ୍ଲାରେ ବର୍ଦ୍ଧିତ ତାପମାତ୍ରାକୁ ନେଇ ଛାନିଆ ହେଲେଣି ଲୋକ। ସରକାର ମଙ୍ଗଳବାର ଠାରୁ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ସକାଳୁଆ ଘୋଷଣା କରିଛନ୍ତି। ହେଲେ ଅନ୍ୟାନ୍ୟ ଦିଗପ୍ରତି  ଅନୁରୂପ ଧ୍ୟାନ ଦେଉନି ଜିଲ୍ଲା ପ୍ରଶାସନ। ପାଗ ପରିବର୍ତ୍ତନ ସହିତ  ରବିବାର ଠାରୁ ଜିଲ୍ଲାରେ ଦିବସର ତାପମାତ୍ରା ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି। ଭଦ୍ରକ ଜିଲ୍ଲାରେ ଦିବସର ତାପମାତ୍ରା ବୃଦ୍ଧି ପାଇଥିବାରୁ ମଧ୍ୟାହ୍ନ ପରେ ବଜାରଘାଟ ଶୂନଶାନ ହୋଇ ପଡୁଛି। ଥଣ୍ଡା ପାନୀୟ ଏବଂ ପଇଡ଼ ଦୋକାନ ଆଗରେ ଲୋକଙ୍କ ଲମ୍ବା ଲାଇନ ଲାଗୁଛି। ଲୋକେ ମୁଣ୍ଡରେ ଓଦା କପଡା ପକାଇ ନଚେତ ଛତା ଧରି ଚଳ ପ୍ରଚଳ ହେଉଥିବା ପାରିଲିକ୍ଷିତ ହୋଇଛି। ବସ୍‌ଷ୍ଟାଣ୍ଡ ଶୂନଶାନ ହୋଇ ପଡୁଛି। ଆଗକୁ ଦିବସର ତାପମାତ୍ରା ଅଧିକ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ହେଲେ ଏ ନେଇ ସଜାଗ ହୋଇନି ପ୍ରଶାସନ। କେବଳ ଅଂଶୁଘାତ ମୁକାବିଲା ବୈଠକ ସାରି ଦେଇ ନୀରବ ବସିଛି ପ୍ରଶାସନ। ଫଳରେ ସମ୍ଭାବ୍ୟ ଅଂଶୁଘାତ କୁ ନେଇ ଲୋକେ ଆତଙ୍କିତ ହୋଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe