ବଢ଼ିଲା ତାପମାତ୍ରା, ଶୀତ ଫେରିବା ସମ୍ଭାବନା କମୁଛି

Advertisment
ବଢ଼ିଲା ତାପମାତ୍ରା, ଶୀତ ଫେରିବା ସମ୍ଭାବନା କମୁଛି

photo by : deccanchronicle.com

ଭୁବନେଶ୍ବର : ଗତ ୭ ତାରିଖରେ କରାଯାଇଥିବା ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଶୀତ କମିଛି। ଏଥିସହ ବର୍ଷାର ସମ୍ଭାବନା ଅଧିକ ହୋଇଛି। ଆସନ୍ତା ୩ ଦିନରେ ରାଜ୍ୟର ତାପମାତ୍ରା ଆହୁରି ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ଫଳରେ ଶୀତ ଆହୁରି କମିବ। ୧୬ ତାରିଖ ଆଡ଼କୁ ବରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଦେବଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ୧୯ ତାରିଖ ଯାଏ ରାଜ୍ୟରେ ପାଗ ଏହି ଭଳି କୋହଲା ରହିବ। ଶୀତ ଧୀରେଧୀରେ କମିଯିବ ଓ ଏହାପରେ ଶୀତ ଫେରିବାର ଆଉ ବିଶେଷ ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ଆଜି ରାଜ୍ୟର ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ରହିଥିଲା। ଏହା କ୍ରମଶଃ ବଢ଼ିବ। ୧୬ ତାରିଖରେ ପଶ୍ଚିମ ଓଡ଼ିଶା ଓ ସଂଲଗ୍ନ ଛତିଶଗଡ଼ ଓ ଝାରଖଣ୍ଡରେ ବଙ୍ଗୋପସାଗରୀୟ ସାମୁଦ୍ରିକ ପବନ ସହ ଉତ୍ତରା ପବନର ସମ୍ମିଶ୍ରଣ ହେବ। ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୪ ଦିନ ଧରି ପାଗ ମେଘୁଆ ରହିବା ସହିତ କୋହଲା ଓ କେତେକ ସ୍ଥାନରେ ହାଲୁକାରୁ ସ୍ବଳ୍ପ ବର୍ଷା ହେବ। ତେବେ ୨୦ରୁ ପୁଣି ଉଭୟ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ବଢ଼ିବ। ତା’ପରେ ଶୀତ ଫେରିବାର ସମ୍ଭାବନା କମ୍‌ ବୋଲି ସୂଚନା ମିଳିଛି।

ଆକଳନ କରାଯାଉଛି ‌ଯେ, ଶନିବାରଠାରୁ ମଙ୍ଗଳବାର ସୁଦ୍ଧା ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରି ବଢ଼ିବା ବେଳେ ଉପକୂଳରେ ୨.୫ ଡିଗ୍ରି ବଢ଼ିପାରେ। ୧୭ରୁ ୧୯ ତାରିଖ ଭିତରେ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି କମିବ। ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ୪ ଡିଗ୍ରି କମିପାରେ। ଆଭ୍ୟନ୍ତରୀଣ ଦକ୍ଷିଣରେ ୧୬ ତାରିଖରୁ ୧୮ ତାରିଖ ଭିତରେ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ହୋଇପାରେ। ଉପକୂଳ ଓ ସଂଲଗ୍ନ ଓଡ଼ିଶାରେ ପାଗ ମେଘୁଆ ହେବା କିମ୍ବା ବର୍ଷାର ସମ୍ଭାବନା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe