ଧର୍ମାନୁଷ୍ଠାନ ଖୋଲିବା ପ୍ରସଂଗ ହାଇକୋର୍ଟରେ ପ୍ରତିଜବାବ ଦାଖଲ; ନାଗାର୍ଜୁନ ବେଶ ଦର୍ଶନରୁ ଭକ୍ତଙ୍କୁ ବଞ୍ଚିତ କରା ନ ଯାଉ

Advertisment
ନେତାଜୀ ବସ୍ ଟର୍ମିନାଲ୍‌ ପାଖ ୧୫ ଗୁଣ୍ଠ ଜମି ସିଏମ୍‌ସି ଦଖଲକୁ ଫେରିବ

orissahighcourt.nic.in

କଟକ: ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ଅନୁମତି ସଂପର୍କିତ ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ପ୍ରତିଜବାବ ଦାଖଲ ହୋଇଛି। ଜୟନ୍ତ କୁମାର ବଳଙ୍କ ପକ୍ଷରୁ ଦାୟର ପ୍ରତିଜବାବରେ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦର୍ଶନ ଅନୁମତି ପ୍ରସଂଗରେ ଉଲ୍ଲେଖ କରାଯାଇଛି। ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ଭକ୍ତମାନେ ବଞ୍ଚିତ ନ ହୁଅନ୍ତୁ। ନଭେମ୍ବର ୨୭ରେ ନାଗାର୍ଜୁନ ବେଶ ପଡୁଥିବା ବେଳେ ପୁରୀ ଏବେ କଣ୍ଟେନମେଣ୍ଟ ଜୋନ୍ ତାଲିକାରେ ନାହିଁ। ଏହା ପୂର୍ବରୁ ଶ୍ରୀମନ୍ଦିର ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହିତ ଭକ୍ତଙ୍କୁ ନାଗାର୍ଜୁନ ବେଶ ଦର୍ଶନର ସୁଯୋଗ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି।

ପ୍ରାୟ ୨୫ ବର୍ଷର ବ୍ୟବଧାନ ପରେ ନାଗାର୍ଜୁନ ବେଶ ପଡୁଥିବା ବେଳେ ସମସ୍ତେ ଦର୍ଶନ ପାଇଁ ଅପେକ୍ଷା କରି ରହିଛନ୍ତି। କୋଭିଡ କଟକଣା ମାନି ନାଗାର୍ଜୁନ ବେଶ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦିଆଯିବାରେ କିଛି ଅସୁବିଧା ନାହିଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ପ୍ରତିଜବାବରେ ଉଲ୍ଲେଖ କରାଯାଇଛି। କେନ୍ଦ୍ର ସରକାର ଜାରି କରିଥିବା ନିୟମାବଳୀ ଉଲ୍ଲଂଘନ କରି ରାଜ୍ୟ ସରକାର ଧର୍ମାନୁଷ୍ଠାନ ଖୋଲିବା ଉପରେ କଟକଣା ଜାରି କରିଛନ୍ତି। କଣ୍ଟେନମେଣ୍ଟ ଜେନ୍, ରେଡ୍ ଜୋନ୍ ବାହାରେ ଧର୍ମାନୁଷ୍ଠାନ ଖୋଲା ରଖିବାରେ କିଛି ଆଇନଗତ ବାଧା ନଥିବା ବେଳେ ସରକାର କଟକଣା ଜାରି କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଏବେ କରୋନା ସଂକ୍ରମଣ ହାର କମିଛି। ପରିସ୍ଥିତିରେ ପରିବର୍ତ୍ତନ ଆସିଛି। ଶ୍ରଦ୍ଧାଳୁଙ୍କ ମାନସିକ ସୁସ୍ଥତା ଓ ଆଧ୍ୟାତ୍ମିକ ବିକାଶ ପ୍ରସଂଗକୁ ମଧ୍ୟ ବିଚାରକୁ ନିଆଯିବା ଆବଶ୍ୟକ। କଣ୍ଟେନମେଣ୍ଟ ବାହାରେ ମଦ ଦୋକାନ, ସପିଂ ମଲ୍, ଯୋଗକେନ୍ଦ୍ର,ଫିଟନେସ୍ ସେଣ୍ଟର ଖୋଲିବା ସହିତ ମୋ ବସ୍ , ଅନ୍ତଃରାଜ୍ୟ ଯାତ୍ରୀ ପରିବହନ ପାଇଁ ଅନୁମତି ଦିଆଯାଇଥିବା ବେଳେ ଧର୍ମାନୁଷ୍ଠାନ ଖୋଲିବା ଉପରେ କେଉଁ ପରିସ୍ଥିତିରେ କଟକଣା ଜାରି କରାଯାଇଛି ତାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି।

publive-image

ଏଠାରେ ଉଲ୍ଲେଖଯୋଗ୍ୟ, ଏହି ଜନସ୍ବାର୍ଥ ମାମଲାରେ ପୂର୍ବରୁ ସରକାରଙ୍କ ପକ୍ଷରୁ ଦାଖଲ ଜବାବରେ ଉଲ୍ଲେଖ କରାଯାଇଥିଲା ଯେ ବର୍ତ୍ତମାନ ସ୍ଥିତିରେ ପୁରୀ ଶ୍ରୀମନ୍ଦିର ଅଥବା ଅନ୍ୟ ମନ୍ଦିର ଖୋଲିରେ ରାଜ୍ୟରେ କରୋନା ସଂକ୍ରମଣ ବଢିବ। ସବୁଠି ପୁଲିସ ମୁତୟନ କରି କଟକଣା କରିବା ସମ୍ଭବ ନୁହେଁ। ମନ୍ଦିର ପରିସରରେ ସାମାଜିକ ଦୂରତ୍ବ ରକ୍ଷା ପାଇଁ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଉଥିବା ବେଳେ ଗର୍ଭଗୃହ ଭିତରକୁ ପ୍ରବେଶ ପଥ ଅତ୍ୟନ୍ତ ସଂକୀର୍ଣ୍ଣ। ଏଭଳି ସ୍ଥିତିରେ ସାମାଜିକ ଦୂରତ୍ବ ରକ୍ଷା କରିବା କଷ୍ଟକର। ରାଜ୍ୟରେ ହଜାର ହଜାର ମନ୍ଦିର ରହିଛି। ପ୍ରତି ଗାଁରେ ଅତି କମରେ ଗୋଟିଏ ମନ୍ଦିର ରହିଛି। ସବୁ  ମନ୍ଦିରରେ ଏକ ସମୟରେ ପୁଲିସ ମୁତୟନ କରିବା ସମ୍ଭବ ନୁହେଁ। ଆଇନଶୃଙ୍ଖଳା ରକ୍ଷା ସହିତ କୋଭିଡ-୧୯ ସଂପର୍କିତ କାର୍ଯ୍ୟରେ ରାଜ୍ୟ ପୁଲିସ ଏବେ ନିୟୋଜିତ।

ଏବେ ଧାର୍ମିକ ଅନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇ ନଥିଲେ ମଧ୍ୟ ସମସ୍ତ ଧାର୍ମିକ କାର୍ଯ୍ୟ ସଂପାଦନ କରାଯାଉଛି। ଜିଲ୍ଲା କର୍ତ୍ତୃପକ୍ଷଙ୍କ ନିକଟରୁ ମିଳିଥିବା ସୂଚନା ଅନୁସାରେ ବହୁ ସଂଖ୍ୟାରେ ସେବକ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। ଏହି ପରିସ୍ଥିତିରେ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଯଦି ଖୋଲା ଯାଏ ତେବେ ଆଉ ଅଧିକ ସଂଖ୍ୟାରେ ସେବକ ସଂକ୍ରମିତ ହେବାର ସମ୍ଭାବନା ରହିଛି। ବୟସ୍କ ଲୋକମାନେ ଧର୍ମାନୁଷ୍ଠାନକୁ ନିୟମିତ ଭାବେ ଯାଉଥିବା ବେଳେ ଯଦି ଧର୍ମାନୁଷ୍ଠାନ ଖୋଲାଯାଏ ତେବେ ସେମାନଙ୍କ ସଂକ୍ରମଣ ଆଶଙ୍କା ରହିଛି। ଏପରି ପରିସ୍ଥିତିରେ ଧର୍ମାନୁଷ୍ଠାନ ଖୋଲିବା ଉପରେ ଯେଉଁ କଟକଣା ଜାରି କରାଯାଇଛି ତାହା ଜନସ୍ବାର୍ଥରେ ବୋଲି ଜବାବରେ ଉଲ୍ଲେଖ କରାଯାଇଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ନଭେମ୍ବର ୧୮ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କ ମହଲତ ପ୍ରଦାନ କରିଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ବିଭୂତି ଭୂ‌ଷଣ ଚୌଧୁରୀ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଅଭିଜିତ ପତି ଓ ଯଜ୍ଞପ୍ରକାଶ ପରିଡା ସହାୟତା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe