‘ପାଣି ଭିତରେ ମନ୍ଦିର ସୁରକ୍ଷିତ’, ଅନୁସନ୍ଧାନ କ‌ଲେ ସ୍କୁବା ଡାଇଭର୍‌ ସବିର୍‌ ବକ୍ସ

‘ପାଣି ଭିତରେ ମନ୍ଦିର ସୁରକ୍ଷିତ’, ଅନୁସନ୍ଧାନ କ‌ଲେ ସ୍କୁବା ଡାଇଭର୍‌ ସବିର୍‌ ବକ୍ସ

ଭାପୁର/ନୟାଗଡ଼ : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ପଦ୍ମାବତୀ ଗ୍ରାମ ପାର୍ଶ୍ବ ଦେଇ ବହିଯାଇଥିବା ମହାନଦୀ ମଧ୍ୟରେ ଦୃଶ୍ୟମାନ ଗୋପୀନାଥ ମନ୍ଦିରର ଆଜି ଅନୁସନ୍ଧାନ କରିଛନ୍ତି ସ୍କୁବା ଡାଇଭର୍‌ (ବୁଡ଼ାଳି) ସବିର୍‌ ବକ୍ସ। ୧୯୩୩ ମସିହାରେ ମହାନଦୀର ଗତିପଥ ପରିବର୍ତ୍ତନ ତଥା ପ୍ରଳୟଙ୍କରୀ ବନ୍ୟା ପାଇଁ ଏହି ଗ୍ରାମଟି ସଂପୂର୍ଣ୍ଣ ଜଳମଗ୍ନ ହୋଇ ଲୀନ ହୋଇଯାଇଥିଲା। ଯାହା ମଧ୍ୟରେ ଗୋପୀନାଥ ମନ୍ଦିର ଭଳି ଏକାଧିକ ମନ୍ଦିର ଥିବା କୁହାଯାଉଛି। ପଦ୍ମାବତୀର ଲୋକେ ଏଠାରୁ ବିସ୍ଥାପିତ ହୋଇ ଯାଇ ରଗଡ଼ିପଡ଼ା, ଟିକିରିପଡ଼ା, ବିଜିପୁର, ହେମନ୍ତପାଟଣା, ପଦ୍ମାବତୀ ( ନୂତନ ଭାବେ ଗଢ଼ି ଉଠିଥିବା) ଜନବସତି ସ୍ଥାପନ କରି ରହିଥିଲେ। ଏହି ଅବସର‌ରେ ଶ୍ରୀ ବକ୍ସ, ପାଣି ଭିତରେ ବୁଡ଼ି ମନ୍ଦିରର ଅବସ୍ଥିତ ସମ୍ପର୍କରେ ଅନୁଧ୍ୟାନ କରି କହିଛନ୍ତି, ‘‘ମନ୍ଦିର ଥିବା ଜାଗାରେ ପାଣିର ପ୍ରଖର ସ୍ରୋତ ରହିଛି। ପାଖାପାଖି ଗୋଟିଏ ପାର୍ଶ୍ବରେ ୨୩ ଫୁଟ୍‌ ଗଭୀରକୁ ମୁଁ ଯାଇଥିଲି ଏବଂ ମନ୍ଦିର ଏବେବି ଅକ୍ଷତ ଅବସ୍ଥାରେ ରହିଛି। ଏହା ଏକ ବଡ଼ ମନ୍ଦିର ହୋଇଥିବା ଅନୁମାନ କରାଯାଉଥିବା ବେଳେ, ସଂପୂର୍ଣ୍ଣ ‌ଖୋଳିବା ପରେ ମନ୍ଦିର ମୂଳ କେଉଁ ଅବସ୍ଥାରେ ରହିଛି ବା କେଉଁଠି ଭାଙ୍ଗିଯାଇଛି, ତାହା ସ୍ପଷ୍ଟ ହେବ ବୋଲି ଶ୍ରୀ ବକ୍ସ କହିଛନ୍ତି। ଏହା ଉପରେ ପ୍ରତ୍ନତତ୍ତ୍ବ ବିଭାଗ ଅଧିକ ଗବେଷଣା କରିବାର ଆବଶ୍ୟକତା ରହିଛି।’’

publive-image

ଉଲ୍ଲେଖଯୋଗ୍ୟ, ମନ୍ଦିରଟି ଗ୍ରୀଷ୍ମଦିନେ ଅନେକ ସମୟରେ ମହନଦୀ ମଧ୍ୟରେ ଦୃଶ୍ୟମାନ ହୋଇଥାଏ। ଚଳିତ ବର୍ଷ ପୁଣି ଏହା ଦୃଶ୍ୟମାନ ହେବା ସହ ‘ଇଣ୍ଡିଆନ ନ୍ୟାସନାଲ୍‌ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ୍ କଲ୍‌ଚରାଲ୍‌ ହେରିଟେଜ୍’ (ଇନଟାକ୍)ର ‘ଡକ୍ୟୁମେଣ୍ଟେସନ୍‌ ଅଫ୍ ଦି ହେରିଟେଜ୍ ଅଫ୍ ଦି ମହାନଦୀ ଭ୍ୟାଲି’ ପ୍ରକଳ୍ପ ଅଧୀନରେ ଆସିଥିବାରୁ ଏହା ସମଗ୍ର ରାଜ୍ୟର ଦୃଷ୍ଟି ଆକର୍ଷଣ କରିଛି। ଇନଟାକ୍ ପକ୍ଷରୁ ଏହି ଡକ୍ୟୁମେଣ୍ଟେସନ୍‌ ପ୍ରକଳ୍ପ ଆରମ୍ଭ କରାଯାଇଛି। ଏହା ଜରିଆରେ ଛତିଶଗଡ଼ର ମହାନଦୀ ବାହାରିଥିବା ସ୍ଥାନରୁ ଜଗତସିଂହପୁର ଜିଲ୍ଲାର ପାରାଦୀପ ପର୍ଯ୍ୟନ୍ତ, ୧୭୦୦ କିମି(ଉଭୟ ପାର୍ଶ୍ବ) କୂଳଠାରୁ ୫ରୁ ୭ କିମି ମଧ୍ୟରେ ଥିବା ସମସ୍ତ ପୁରାତନ କୀର୍ତ୍ତିର ଚିହ୍ନଟ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe