ଦଶମାସ ପରେ ହେଲା ଭକ୍ତ ଓ ଭଗବାନଙ୍କ ମିଳନ

Advertisment
ଦଶମାସ ପରେ ହେଲା ଭକ୍ତ ଓ ଭଗବାନଙ୍କ ମିଳନ

Wikipedia

ଚନ୍ଦନେଶ୍ଵରଙ୍କ ମନ୍ଦିର
ବାଲେଶ୍ୱର : ପାଖାପାଖି ଦଶମାସ ପରେ ଆଜି ଖୋଲିଛି ଭୋଗରାଇ ବ୍ଲକର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ଵରଙ୍କ ମନ୍ଦିର। ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନରେ ମନ୍ଦିର ପରିସର ମୁଖରିତ ହୋଇଛି। କରୋନା କଟକଣା ପାଇଁ ଏତେ ମାସ ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ରହିଥିବା ବ୍ୟବଧାନର ଆଜି ଅନ୍ତ ଘଟିଛି। ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ପ୍ରସିଦ୍ଧ ଶୈବ କ୍ଷେତ୍ର ବାବା ଚନ୍ଦନେଶ୍ୱର ମନ୍ଦିର ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ  ଖୋଲିବା ପରେ ଭକ୍ତ ଓ ଭଗବାନ ଏକାଠି ହୋଇଛନ୍ତି। ଭକ୍ତମାନେ ବାବା ଚନ୍ଦନେଶ୍ଵରଙ୍କୁ ଦର୍ଶନ କରି ଭାବବିହ୍ବଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ସକାଳେ ସକାଳେ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଥିଲା। ମନଷ୍କାମନା କରି ଭକ୍ତମାନେ ମହାଦେବଙ୍କ ନେତ୍ରକୁଣ୍ଡରେ ଡୋରୀ ବାନ୍ଧିଥିଲେ। ସକାଳ ୭.୩୦ରୁ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେବାୟତଙ୍କ କରୋନା ପରୀକ୍ଷା କରାଯିବା ସହିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଥର୍ମାଲ ଟେଷ୍ଟ କରାଯାଇ ମନ୍ଦିର ଭିତରକୁ ଛଡ଼ା ଯାଇଥିଲା। ଅନ୍ୟପକ୍ଷରେ ମନ୍ଦିର ପରିସରରେ ବିବାହ ଵ୍ରତ, ପୂଜା ବିଧି ସହିତ ଅଧିଆ ପଡ଼ିବାକୁ ପ୍ରଶାସନ ତରଫରୁ ବନ୍ଦ ରଖାଯଇଛି। ଭକ୍ତମାନେ ମନ୍ଦିର ଦକ୍ଷିଣ ପଟେ ଫାଟକର ୪ଟି ଧାଡ଼ିରେ ସାମାଜିକ ଦୂରତା ରଖି  ଗର୍ଭ ଗୃହରେ ଦିଅଁ ଦର୍ଶନ କରି ପୂର୍ବପଟ ଫାଟକଦେଇ ପ୍ରସ୍ଥାନ କରିଥିଲେ। ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଦୁଇ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଥିଲା।

publive-image Mandirmandir

କ୍ଷୀରଚୋରା ଓ ଇମାମୀ ଜଗନ୍ନାଥ ମନ୍ଦିର
ରେମୁଣା କ୍ଷୀରଚୋରା ମନ୍ଦିର ଓ ଇମାମୀ ଜଗନ୍ନାଥ ମନ୍ଦିର କରୋନା କଟକଣା ଭିତରେ ଆଜି ଖୋଲିଛି। ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ କ୍ଷୀରଚୋରା ମନ୍ଦିରରେ ଭକ୍ତମାନଙ୍କ ଗହଳି ଦେଖିବାକୁ ମିଳିଥିଲା। ଏତେ ମାସର ବ୍ୟବଧାନ ପରେ ଆଜି ଭକ୍ତ ଓ ଭଗବାନଙ୍କ ମିଳନ ହୋଇଥିବାରୁ ମନ୍ଦିର ପରିସରରେ ଭିଡ଼ ଜମିଥିଲା। ପ୍ରଭୁଙ୍କୁ ଦେଖି ଶ୍ରଦ୍ଧାଳୁ ଭାବବିହ୍ବଳ ହୋଇଯାଇଥିଲେ। ଜିଲ୍ଲାପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କୁ ଦର୍ଶନ କରିଥିଲେ। ସେହିପରି ଇମାମୀ ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ବି କିଛି କମ୍‌ ନଥିଲା। ସକାଳ ବେଳା ୮ଶହରୁ ଅଧିକ ଶ୍ରଦ୍ଧାଳୁ ଆସିଥିଲେ। ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଦୂରତା ବଜାୟୀ ରଖି ପୁରୁଷ ମହିଳା ଅଲଗା ଧାଡ଼ି କରାଯାଇଥିଲା। ତିନୋଟି ସ୍ଥାନରେ ଶ୍ରଦ୍ଧାଳୁଙ୍କ ଥର୍ମାଲ ଟେଷ୍ଟ କରାଯାଇଥିଲା। ସେହିପରି ମନ୍ଦିରର କାନ୍ଥ ଛୁଇଁବାକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଥିଲା। ମନ୍ଦିର ପରିସରରେ ଛେପ ପକେଇବାକୁ ମଧ୍ୟ ବାରଣ କରାଯାଇଥିଲା। ଦୂରରେ ଛିଡ଼ାହୋଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। ଏତେ ଦିନ ପରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖି ବହୁତ ଖୁସି ଲାଗିଥିଲା ବୋଲି ମନ୍ଦିରର ମୁଖ୍ୟ ସେବାୟତ ପ୍ରଦୀପ୍ତ ମିଶ୍ର କହିଛନ୍ତି।

publive-image RVA Temples

ପଞ୍ଚଲିଙ୍ଗେଶ୍ୱର ଶୈବପୀଠ
ବାଲେଶ୍ବରର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଆଜି ଜମିଥିଲା। ମନ୍ଦିର ଖୋଲିବା ନିଷ୍ପତ୍ତି ପରେ ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟଙ୍କ ସହ ମନ୍ଦିର ନିକଟରେ ଶତାଧିକ ଦୋକାନୀ, ସ୍ଥାନୀୟ ଅଞ୍ଚଳବାସୀଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଥିଲା। ଠାକୁରଙ୍କ ପାଇଁ ପ୍ରସାଦ, ଫଟୋ ଚିତ୍ର ସାଙ୍ଗକୁ ନୀଳଗିରିର ପ୍ରସିଦ୍ଧ ପଥର ବାସନ ବିକ୍ରି କରି ପେଟ ପୋଷୁଥିବା ଦୋକାନୀମାନେ ଭଲ ବିକ୍ରି ହେବା ଆଶାରେ ଶୀଘ୍ର ଆସି ଦୋକାନ ଖୋଲିଥିଲେ। ଦର୍ଶନ ବେଳେ ପରସ୍ପର ମଧ୍ୟରେ ଦୂରତା ରକ୍ଷା କରିବା ସହିତ ମାସ୍କକୁ ଗୁରୁତ୍ବ ଦିଆଯାଇଥିଲା। ପରିଚାଳନା କମିଟି ପକ୍ଷରୁ ମନ୍ଦିର ପ୍ରବେଶ ବେଳେ ଥର୍ମାଲ ସ୍କାନିଂ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe