ଉଚ୍ଚଶିକ୍ଷା ଅନୁଷ୍ଠାନର ଅସ୍ଥାୟୀ ସ୍ବୀକୃତି ଅବଧି ବୃଦ୍ଧି ପ୍ରସଂଗ : ସମସ୍ତଙ୍କୁ ଦେଇ ହେବନି, ଆବେଦନ ଭିତ୍ତିରେ ବିଚାର ହେବ

Advertisment

ଜବାବ ଦାଖଲ କଲେ ସରକାର

ଜବାବ ଦାଖଲ କଲେ ସରକାର

ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ କ୍ଷେତ୍ରରେ କ୍ଷତିପୂରଣ ପ୍ରସଂଗ : ସରକାରଙ୍କ ସତ୍ୟପାଠ ଉପରେ ଜବାବ ରଖିବାକୁ ନିର୍ଦ୍ଦେଶ

Image Source: Zee News

କଟକ : କରୋନା ଭୂତାଣୁ ସଂକ୍ରମଣକୁ ନେଇ ଦେଖା ଦେଇଥିବା ପରିସ୍ଥିତିରେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରଦାନ କରାଯାଇଥିବା ସ୍ବୀକୃତି (ରେକଗ୍‌ନିସନ୍) ଅବଧି ଅତି କମ୍‌ରେ ଏକ ବର୍ଷ ପାଇଁ ବୃଦ୍ଧି ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି।

ବିଭାଗର ଉପସଚିବ ଏସ.ଏନ.ମହାପାତ୍ରଙ୍କ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ଦାଖଲ ଜବାବରେ ଦର୍ଶାଯାଇଛି ଯେ କରୋନା ସଂକ୍ରମଣ ସ୍ଥିତି ଉପୁଜିବା ପୂର୍ବରୁ ମଧ୍ୟ କେତେକ ଶିକ୍ଷାନୁଷ୍ଠାନ ସ୍ବୀକୃତି ପାଇଁ ଆବଶ୍ୟକ ସର୍ତ୍ତାବଳି ପୂରଣ କରୁ ନଥିଲେ। ଯଦି କୋଭିଡ୍‌-୧୯ କାରଣ ଦର୍ଶାଇ ସମସ୍ତ ଶିକ୍ଷାନୁଷ୍ଠାନର ସ୍ବୀକୃତି ଅବଧି ଏକ ବର୍ଷ ବୃଦ୍ଧି କରାଯାଏ; ତେବେ ପୂର୍ବରୁ ସର୍ତ୍ତାବଳି ପୂରଣ କରୁ ନଥିବା ଅନୁଷ୍ଠାନଗୁଡିକ ଏହାର ସୁଯୋଗ ନେବେ। ଓଡ଼ିଶା ଏଜୁକେସନ୍ ଆକ୍ଟର ଧାରା ୬-ଏରେ ସ୍ବୀକୃତି ପାଇବା ପାଇଁ ଆବଶ୍ୟକ ସର୍ତ୍ତାବଳି ପୂରଣ ପ୍ରସଂ‌ଗରେ ଉଲ୍ଲେଖ ରହିଛି। ଧାରା ୫(୫) ଅନୁସାରେ ଗଠିତ ଉଚ୍ଚ କ୍ଷମତା ସଂପନ୍ନ କମିଟିର ଅନୁମୋଦନ ପରେ ଶିକ୍ଷାନୁଷ୍ଠାନକୁ ସରକାର ସ୍ବୀକୃତି ପ୍ରଦାନ କରିଥାନ୍ତି। ସଂପୃକ୍ତ ବିଶ୍ବବିଦ୍ୟାଳୟର ପ୍ରତିନିଧି ଓ ପ୍ରାଧିକୃତ ଅଧିକାରୀଙ୍କ ଯୁଗ୍ମ ନିରୀକ୍ଷଣ ରିପୋର୍ଟ ଆଧା‌ରରେ ସ୍ବୀକୃତି ସଂପର୍କିତ ପ୍ରସ୍ତାବକୁ କମିଟି ବିଚାର କରିଥାଏ। ଆବଶ୍ୟକ ଜମି, କୋଠା, ଆସବାବପତ୍ର ଭଳି ସର୍ତ୍ତ ଯଦି କୌଣସି ଅନୁଷ୍ଠାନ ପୂରଣ କରୁ ନଥାଏ ତେବେ ତାକୁ ଆସ୍ଥାୟୀ ସ୍ବୀକୃତି ପ୍ରଦାନ କରାଯାଇଥାଏ। ଅନ୍ୟପକ୍ଷରେ ଧାରା ୧୧(୨) ଅନୁସାରେ ଯଦି ନିର୍ଦ୍ଦିଷ୍ଟ ସଂଖ୍ୟକ ଛାତ୍ରଛାତ୍ରୀ କୌଣସି ଶିକ୍ଷାନୁଷ୍ଠାନରେ ନ ଥାନ୍ତି ତେବେ ସ୍ବୀକୃତି ପାଇଁ ମନା କରାଯାଇ ପାରିବ। ଏଭଳି ସ୍ଥିତିରେ ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନର ସ୍ବୀକୃତି ଅବଧି ବଢାଇବା ପାଇଁ ଅନୁମତି ଦେବା ଉଚିତ ହେବ ନାହିଁ।

ଅନ୍ୟପକ୍ଷରେ ପ୍ରକୃତରେ ପ୍ରଭାବିତ ଶିକ୍ଷାନୁଷ୍ଠାନ ଗୁଡିକ ଯଦି ବ୍ୟକ୍ତିଗତ ଭାବେ ଆବେଦନ କରନ୍ତି ତେବେ ବିଭାଗ ସେମାନଙ୍କ କଥା ବିଚାରକୁ ନେଇ ପାରେ ବୋଲି ଜବାବରେ ଉଲ୍ଲେଖ କରାଯାଛି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୮ରେ କରବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଆବେଦନକାରୀ ପ୍ରତିଜବାବ ଦାଖଲ କରିବେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe