ଭୁଜବଳ ମାଝୀଙ୍କୁ ଅସ୍ଥାୟୀ ଦାୟିତ୍ବ: ଡିସିସି ସଭାପତି ପଦ ଛାଡ଼ିଲେ ମୁନା ତ୍ରିପାଠୀ

ଭୁଜବଳ ମାଝୀଙ୍କୁ ଅସ୍ଥାୟୀ ଦାୟିତ୍ବ: ଡିସିସି ସଭାପତି ପଦ ଛାଡ଼ିଲେ ମୁନା ତ୍ରିପାଠୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ମୁନା ତ୍ରିପାଠୀ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇଛନ୍ତି। ବିଧାନସଭା ଓ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ମୁନାଙ୍କ ଏଭଳି ନିଷ୍ପତ୍ତି ପଛର କାରଣ ଏଯାଏଁ ସ୍ପଷ୍ଟ ହୋଇପାରିନି। ତେବେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ମୁନା ଦର୍ଶାଇଛନ୍ତି। ଅନ୍ୟପକ୍ଷରେ, ଡାବୁଗାଁର ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ଭାବେ ଅସ୍ଥାୟୀ ଦାୟିତ୍ବ ଦେଇଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ। ଶ୍ରୀ ମାଝୀ ଏବେ ଦଳର ରାଜ୍ୟ ଆଦିବାସୀ ସେଲ୍‌ ସଭାପତି ଦାୟିତ୍ବରେ ରହିଛନ୍ତି। ଏଆଇସିସି ସହ ଆଲୋଚନା ପରେ ସଭାପତି ପଦବି ନିମନ୍ତେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। କଂଗ୍ରେସ ପରିବାରରେ ଜନ୍ମିତ ମୁନା ୫ବର୍ଷ ହେଲା ଜିଲ୍ଲା ସଭାପତି ଦାୟିତ୍ବ ତୁଲାଉଥିଲେ। ଛତିଶଗଡ ଓ କଳାହାଣ୍ଡି ନିର୍ବାଚନରେ ପ୍ରଭାରୀ ଭାବେ ସେ ଦଳ ପାଇଁ କାମ କରିଛନ୍ତି। ତାଙ୍କ ଝିଅ ମନୀଷା ତ୍ରିପାଠୀ ଏବେ ଏଆଇସିସି ସଭ୍ୟା ରହିଛନ୍ତି।

ହଠାତ୍‌ ଇସ୍ତଫା ଦେବା ସଂପର୍କରେ ପଚାରିବାରୁ ବ୍ୟକ୍ତିଗତ ତଥା ପାରିବାରିକ କାରଣରୁ ପଦବିରେ ରହିବାକୁ ଚାହୁନାହାନ୍ତି ବୋଲି ସେ କହିଥିଲେ। କେବଳ ସେତିକି ନୁହେଁ, ସେ ଆହୁରି କହିଥିଲେ ଯେ ସେ ଦଳରେ ରହିଛନ୍ତି। ଯାହାକୁ ବି ଦଳ ସଭାପତି ଦାୟିତ୍ବ ଦେବ ତାଙ୍କୁ ସଂପୂର୍ଣ୍ଣ ସହଯୋଗ କରିବେ। ଆଗାମୀ ସାଧାରଣ ନିର୍ବାଚନରେ ଶୃଙ୍ଖଳିତ କର୍ମୀ ଭାବେ ଦଳକୁ ଅଧିକ ସମୟ ଦେବେ। ସୂଚନାଯୋଗ୍ୟ, କିଛିମାସ ହେବ ଜିଲ୍ଲାରେ କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଗୋଟିଏ ଗୋଷ୍ଠୀ ବିଭିନ୍ନ ସମୟରେ ସମାନ୍ତରାଳ ବୈଠକ କରିଥିଲେ। କିଛି କର୍ମକର୍ତ୍ତାଙ୍କୁ ପିସିସି ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ବି ଜାରି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe