ଆର୍‌ଡି ଡିଭିଜନ୍‌ରେ ଟେଣ୍ଡର୍ ଖେଳ: ଗୋଟିଏ ରାସ୍ତା ପାଇଁ ୮୫ ଗୁପ୍ତ, ୩ ଖୋଲା ଟେଣ୍ଡର

Advertisment

ନୂଆହାଟ-ହରିପୁର ରାସ୍ତା ନିର୍ମାଣରେ ୧.୬୮ କୋଟି ହେରଫେର ସନ୍ଦେହ

ନୂଆହାଟ-ହରିପୁର ରାସ୍ତା ନିର୍ମାଣରେ ୧.୬୮ କୋଟି ହେରଫେର ସନ୍ଦେହ

ଆର୍‌ଡି ଡିଭିଜନ୍‌ରେ ଟେଣ୍ଡର୍ ଖେଳ: ଗୋଟିଏ ରାସ୍ତା ପାଇଁ ୮୫ ଗୁପ୍ତ, ୩ ଖୋଲା ଟେଣ୍ଡର

Wikimedia Commons

ଯାଜପୁର : ଜାରକା ଗ୍ରାମ୍ୟ ଉନ୍ନୟନ ଡିଭିଜନ୍ ଅନ୍ତର୍ଗତ ଚଣ୍ଡିଖୋଲ ଉପଖଣ୍ଡରେ ବର୍ଷ ବର୍ଷ ଧରି ‌ଖୋଲା ଟେଣ୍ଡର ଓ ଗୁପ୍ତ ‌ଟେଣ୍ଡରର ଲୁଚକାଳି ଖେଳ ଚାଲିଛି। ଗୋଟିଏ ଗୋଟିଏ ରାସ୍ତା କାମରେ କୋଟିକୋଟି ଟଙ୍କା ହେରାଫେରି ଚାଲିଛି। ଏପରିକି ଗୋଟିଏ ଆର୍ଥିକ ବର୍ଷରେ ନିର୍ଦ୍ଦିଷ୍ଟ ରାସ୍ତା ପାଇଁ ଖୋଲା ଟେଣ୍ଡର ସହିତ ଗୁପ୍ତ ଟେଣ୍ଡର ମଧ୍ୟ କରାଯାଇଛି। ଅଦଳବଦଳ କରି ପ୍ରତିବର୍ଷ ଖୋଲା ଟେଣ୍ଡର ଓ ଗୁପ୍ତ ଟେଣ୍ଡର ମଧ୍ୟ ସେହି ସମାନ ରାସ୍ତାରେ କରାଯାଇଥିବାର ତଥ୍ୟ ପଦାକୁ ଆସିଛି। ନୂଆହାଟ-ହରିପୁର ରାସ୍ତାରେ ୮୫ଟି ଗୁପ୍ତ ଟେଣ୍ଡର ସହିତ ୩ଟି ଖୋଲା ଟେଣ୍ଡରରେ ଏକ କୋଟି ୬୮ ଲକ୍ଷ ୨ ହଜାର ୬୨୬ ଟଙ୍କା ବ୍ୟୟ କରାଯାଇଛି। ଏଥିରେ ବ୍ୟାପକ ହେରଫେର କରାଯାଇ ଥିବା ସନ୍ଦେହ ପ୍ରକାଶ ପାଇଛି।

୨୦୨୦-୨୧ ଆର୍ଥିକ ବର୍ଷରେ ନୂଆହାଟ-ହରିପୁର ରାସ୍ତାରେ ୩ଟି ଗୁପ୍ତ ଟେଣ୍ଡର ହୋଇଥିବାବେଳେ ପୂର୍ବ ବର୍ଷ ୨୦୧୯-୨୦ରେ ଗୋଟିଏ ଖୋଲା ଟେଣ୍ଡର ହୋଇଥିଲା। ସେହିପରି ୨୦୧୮-୧୯ରେ ୨ ଟି ଗୁପ୍ତ ଟେଣ୍ଡର ହୋଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ୯ ଟି ଗୁପ୍ତ ଟେଣ୍ଡରରେ ୩୭ ଲକ୍ଷ ୯୫ ହଜାର ୮୨୮ ଟଙ୍କା ବ୍ୟୟ ହୋଇଥିବାବେଳେ ଖୋଲା ଟେଣ୍ଡରରେ ୧୫ ଲକ୍ଷ ୨ ହଜାର ୭୧୮ ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ୨୦୧୫-୧୬ ଆର୍ଥିକ ବର୍ଷରେ ୫୦ ହଜାରିଆ ୧୦ଟି ଗୁପ୍ତ ଟେଣ୍ଡର କରାଯାଇଥିବା ବେଳେ ଖୋଲା ଟେଣ୍ଡରରେ ୪୨ ଲକ୍ଷ ୮ ହଜାର ୩୧୬ ଟଙ୍କା ଖର୍ଚ୍ଚ ହୋଇଥିବାର କାଗଜପତ୍ରରେ ଦର୍ଶାଯାଇଛି। ଏହି ନିର୍ଦ୍ଦିଷ୍ଟ ରାସ୍ତାରେ ଖୋଲା ଟେଣ୍ଡର ହେଉଥିବା ବେଳେ ଗୁପ୍ତ ଟେଣ୍ଡର ନିୟମିତ କାହିଁକି କରାଯାଇଛି? ଯାହାକି ଗୁପ୍ତ ଟେଣ୍ଡରର ଅର୍ଥ ସିଧାସଳଖ ହରିଲୁଟ୍‌ ହେଉଥିବାର ଅଭିଯୋଗ ହୋଇଛି।

ଏହି ରାସ୍ତା ପାଇଁ ୨୦୧୪-୧୫ ଆର୍ଥିକ ବର୍ଷରେ ୨୦ ଟି , ୨୦୧୩-୧୪ ଆର୍ଥିକ ବର୍ଷରେ ୨୩ ଟି ଓ ୨୦୧୨-୧୩ ଆର୍ଥିକ ବର୍ଷରେ ୧୮ ଟି ଗୁପ୍ତ ଟେଣ୍ଡର ହୋଇଛି। ମାତ୍ର ୫ କିମି ନୂଆହାଟ-ହରିପୁର ରାସ୍ତାରେ ୮୫ ଟି ଗୁପ୍ତ ଟେଣ୍ଡରରେ ୮୮ ଲକ୍ଷ ୮୧ ହଜାର ୫୮୮ ଟଙ୍କା ଓ ୩ ଟି ଖୋଲା ଟେଣ୍ଡରରେ ୭୯ ଲକ୍ଷ ୨୧ ହଜାର ୩୮ ଟଙ୍କା ଖର୍ଚ୍ଚ କରାଯାଇଛି। ମୋଟ ୧ କୋଟି ୬୮ ଲକ୍ଷ ୨ ହଜାର ୬୨୬ ଟଙ୍କା ବ୍ୟୟ ହୋଇଛି।

ସେହିପରି ରାଇଝର ଶାଳପଡ଼ା, ପଲାଇ ଭରତପୁର ଓ ବରୁଣିଆ ପଇଦା ରାସ୍ତାରେ ବେଆଇନ ଭାବେ ଶହଶହ ଗୁପ୍ତ ଟେଣ୍ଡର କରାଯାଇ ଲକ୍ଷଲକ୍ଷ ଟଙ୍କା ହରିଲୁଟ୍‌ କରାଯାଇଛି। ବିଶେଷ କରି ୨୦୧୭-୧୮ ଆର୍ଥିକ ବର୍ଷରେ ହରିଲୁଟ୍‌ ପାଇଁ ଏତେ ସଂଖ୍ୟକ ବେଆଇନ ଭାବେ ଗୁପ୍ତ ଟେଣ୍ଡର କରାଗଲା ଯେ ଡିଭିଜନ୍‌ରେ ଆର୍ଥିକ ନିଅଣ୍ଟ ଦେଖାଦେଇଥିଲା। ଏହି ସମୟରେ ବ୍ୟାପକ ପିସି କାରବାର କରାଯାଇ ଏହି ସବୁ ବେଆଇନ ଗୁପ୍ତ ଟେଣ୍ଡର (ମିଥ୍ୟା ବିଲ୍)ର ଅନୁଦାନ ପୈଠ କରାଯାଇଥିଲା। ବଡ଼ଚଣା ପୁଲିସ ଷ୍ଟେସନ ଗୃହ ମରାମତି ନାମରେ ମଧ୍ୟ ୨୦୧୯-୨୦ ଆର୍ଥିକ ବର୍ଷରେ ୪ ଟି ଗୁପ୍ତ ଟେଣ୍ଡର ଓ ୨୦୨୦-୨୧ ଆର୍ଥିକ ବର୍ଷରେ ୩ ଟି ଗୁପ୍ତ ଟେଣ୍ଡର ଜରିଆରେ ମୋଟ ୧୮ ଲକ୍ଷ ୪୬ ହଜାର ୯୪୬ ଟଙ୍କା ଖର୍ଚ୍ଚ ହୋଇଥିବାର ଦର୍ଶାଯାଇଛି। ବେଆଇନ ଗୁପ୍ତ ଟେଣ୍ଡରରେ ଆର୍ଥିକ ମଞ୍ଜୁରି ଓ ମିଥ୍ୟା ବିଲ୍‌ ପୈଠରେ ଜଣେ ବିବାଦୀୟ ଅଧିକାରୀଙ୍କର ମାଷ୍ଟର ରୋଲ୍ ରହିଆସିଛି। ଏ ନେଇ ବହୁ ତଥ୍ୟ ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ହାତରେ ଲାଗିଥିବା ବେଳେ ଏସବୁ ବେଆଇନ୍ କାମର ତଦନ୍ତ କରାଗଲେ ବହୁ କେଳେଙ୍କାରୀ ପଦାକୁ ଆସିପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe