ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ : ଶିକ୍ଷକଙ୍କୁ ମୁକଳାଇବା ପାଇଁ ପୁଲିସ୍‌ ନାକେଦମ: ଗ୍ରାମବାସୀଙ୍କ ସହ ମୁହାଁମୁହିଁ; ଅଧିକ ଫୋର୍ସ ମଗାଇଲା

ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ : ଶିକ୍ଷକଙ୍କୁ ମୁକଳାଇବା ପାଇଁ ପୁଲିସ୍‌ ନାକେଦମ: ଗ୍ରାମବାସୀଙ୍କ ସହ ମୁହାଁମୁହିଁ; ଅଧିକ ଫୋର୍ସ ମଗାଇଲା

ବାରିପଦା : ଗୁରୁ-ଶିଷ୍ୟ ପବିତ୍ର ସମ୍ପର୍କରେ ପୁଣି କଳଙ୍କ। ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଗ୍ରାମବାସୀଙ୍କ ଦ୍ବାରା ହଲାପଟା ହୋଇଛନ୍ତି ଶିକ୍ଷକ। ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ବଡ଼ବ୍ରାହ୍ମଣମରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏହି ଅଭାବନୀୟ ଘଟଣା।

ସୂଚନା ଅନୁସାରେ, ଗତକାଲି ଉକ୍ତ ବିଦ୍ୟାଳୟର ଜନୈକା ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇବା ନିମନ୍ତେ ଥାଳି ନେବାକୁ ଆସିଥିବା ବେଳେ ସହକାରୀ ଶିକ୍ଷକ ପ୍ରଶାନ୍ତ ଭୁଜବଳ ନାବାଳିକା ଛାତ୍ରୀଙ୍କୁ ଏକୁଟିଆ ପାଇ ତା’ ସହିତ ବଳପୂର୍ବକ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ। ଏ ନେଇ ଛାତ୍ରୀ ଜଣକ ଛାତ୍ରୀନିବାସ ମେଟ୍ରନ୍‌ଙ୍କ ନିକଟରେ ଅଭିଯୋଗ କରିବା ପରେ ମେଟ୍ରନ୍‌ ଘଟଣା ସଂପର୍କରେ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କୁ ଜଣାଇଥିଲେ। ଆଜି ଏହି ଖବର ପ୍ରଚାରିତ ହେବା ପରେ ଗାଁ ଲୋକେ ଏକାଠି ହୋଇ ବିଦ୍ୟାଳୟକୁ ଘେରାଉ କରିଥିଲେ। ଏତିକିରେ ଗାଁ ଲୋକଙ୍କ ରାଗ ଥମିନଥିଲା। ଅଭିଯୁକ୍ତ ଶିକ୍ଷକ ବିଦ୍ୟାଳୟ ହତା ପରିସରରେ ନିଜର ଏକ କାର୍‌ ରଖିଥିବାବେଳେ ଗ୍ରାମବାସୀ ତାକୁ ଭଙ୍ଗାରୁଜା କରିବା ସହ ଓଲଟାଇ ଦେଇଥିଲେ। ଗାଁ ଲୋକଙ୍କ ଉଗ୍ର ରୂପ ଦେଖି ପୁଲିସ ଅଭିଯୁକ୍ତ ଶିକ୍ଷକଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏକ କୋଠରୀରେ ସୁରକ୍ଷିତ ରଖିଥିଲା। ମାତ୍ର ସନ୍ଧ୍ୟା ନଇଁବା ପରେ ଘଟଣାସ୍ଥଳରେ ଅଧିକରୁ ଅଧିକ ଲୋକ ରୁଣ୍ଡ ହେବା ଦେଖି ପୁଲିସ ଉଚ୍ଚ କର୍ତ୍ତୃପକ୍ଷ ବାରିପଦାରୁ ଅଗ୍ନିଶମ ଗାଡ଼ି ସହ ଅଧିକ ଫୋର୍ସ ମଗାଇଥିଲେ।

ଖବର ଲେଖାଯିବା ପର୍ଯ୍ୟନ୍ତ ଅଭିଯୁକ୍ତ ଶିକ୍ଷକଙ୍କୁ ଥାନାକୁ ଆଣି ପାରିନାହିଁ ପୁଲିସ। ଏହି ଘଟଣାକୁ ନେଇ ପୁଲିସ ଓ ଗ୍ରାମବାସୀ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe