ଟିକାକରଣ କେନ୍ଦ୍ରରେ ଉତ୍ତେଜନା 

Advertisment
ଟିକାକରଣ କେନ୍ଦ୍ରରେ ଉତ୍ତେଜନା 

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସ୍ଥିତି ଉଦ୍‌ବେଗଜନକ ରହିଥିବାବେଳେ ଟିକାକରଣ ବନ୍ଦ ଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଟିକା ମହଜୁଦ ନଥିବାରୁ ଟିକାକରଣ ହୋଇ ପାରୁ ନାହିଁ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ସୂଚନା ମଧ୍ୟ ଦିଆଯାଉ ନହିଁ। ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ବନ୍ଦଥିବା ଟିକାକରଣ କେନ୍ଦ୍ରରେ ଦୈନିକ ଭିଡ଼ ଜମୁଛି। କୋଭିଡ୍‌ କଟକଣା ନିୟମ ଆଦୌ ପାଳନ ହେଉ ନାହିଁ। ଅଯଥା ଗହଳି ହେଉଥିବାରୁ ସଂକ୍ରମଣ ଭୟ ମଧ୍ୟ ରହିଛି। ଗତ କିଛି ଦିନ ତଳେ ଛେଣ୍ଡ କଲୋନି ଆହୂତି ଭବନ ଟିକାକରଣ କେନ୍ଦ୍ରରେ ଉତ୍ତେଜନା ଉପୁଜିଥିଲା। ଛେଣ୍ଡ ପୁଲିସ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲା। ଆଜି ପା‌ନପୋଷସ୍ଥିତ ଏସ୍‌ଡିଏମ୍‌ଓ ଟିକାକରଣ କେନ୍ଦ୍ରରେ ସମାନ ସ୍ଥିତି ଉପୁଜିଥିଲା।

ଟିକାକରଣ ବନ୍ଦ ଥିବା ସଂକ୍ରାନ୍ତରେ ସୂଚନା ନଥିବାରୁ ସକାଳୁ ଲୋକଙ୍କ ଭିଡ ଜମିଥିଲା। ଦୂର ଦୂରାନ୍ତରୁ ଆସିଥିବା ଲୋକମାନେ ଲମ୍ବା ଧାଡିରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇଥିଲେ। ‌କେହି ସାମାଜିକ ଦୂରତା କଟକଣା ନିୟମକୁ ମାନି ନଥିଲେ। ଲୋକଙ୍କ ଗହଳି ଜମିଥିଲେ ମଧ୍ୟ ଦାୟିତ୍ବରେ ଥିବା ଅଧିକାରୀ, କର୍ମଚାରୀ କିଛି ନ କହିବାରୁ ଲୋକମାନେ ପାଟିତୁଣ୍ଡ କରିବାରୁ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ବେଶ୍‌ କିଛି ସମୟରେ ହସ୍ପିଟାଲ ପରିସରରେ ଟିକାକରଣ ଦାୟିତ୍ବରେ ଥିବା କର୍ମଚାରୀ ଓ ଟିକା ନେବାକୁ ଆସିଥିବା ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା।

ସ୍ଥାନୀୟ ପୁଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକମାନେ ନିଜ ନିଜ ଘରକୁ ଫେରିଥିଲେ। ଛେଣ୍ଡ, ପାନପୋଷ ଡାକ୍ତରଖାନା ନୁହେଁ ଅଧିକାଂଶ ଟିକାକରଣ କେନ୍ଦ୍ରରେ ସମାନ ସ୍ଥିତି। ଟିକାକରଣ ଦାୟିତ୍ବରେ ଥିବା ଅଧିକାରୀଙ୍କ ଅବହେଳା ଯୋଗୁଁ ଦୂର ଦୂରାନ୍ତରୁ ଆସୁଥିବା ବୃଦ୍ଧବୃଦ୍ଧାଙ୍କୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସହରବାସୀଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe