ଭିମ୍‌ସାର ଡାକ୍ତରଙ୍କୁ ଦୁର୍ବ୍ୟବହାର, ରୋଗୀ ପରିଜନଙ୍କୁ ମାଡ଼ ଘଟଣା : ଡାକ୍ତର ଓ ଡାକ୍ତରୀ ଛାତ୍ରଙ୍କ ବିରୋଧରେ ମାମଲା

ଜେଲ୍‌ ଗଲେ ୨ ଅଭିଯୁକ୍ତ, ତଦନ୍ତ ପାଇଁ ଭିମ୍‌ସାରରେ କମିଟି ଗଠିତ, ଆଜି ବୁର୍ଲା ଆସିବ ଓମ୍‌ସା ଦଳ

ଭିମ୍‌ସାର୍‌ ରାଗିଂ ଘଟଣାର ଭୟାନକ ଚିତ୍ର : ରାତି ୧୨ଟାରୁ ୩ଟା ଯାଏ ନିର୍ଯାତନା

Shiksha

ସମ୍ବଲପୁର : ବୁର୍ଲାରେ ଜଣେ ଲୋକପ୍ରିୟ ଡାକ୍ତରଙ୍କୁ ଆକ୍ରମଣ ଖବର ପ୍ରଚାରିତ ହେବା ମାତ୍ରେ ରବିବାର ବୁର୍ଲା ଡାକ୍ତରଖାନା ପରିସରରେ ପ୍ରାୟ ୧୫୦ରୁ ୨୦୦ ଡାକ୍ତରୀ ଛାତ୍ର ଦୁଇ ଅଭିଯୁକ୍ତଙ୍କୁ ଘେରି ଯାଇଥିଲେ। ଠିକଣା ସମୟରେ ପୁଲିସ ସେମାନଙ୍କୁ ଉଦ୍ଧାର କରି ନଥିଲେ ପରିସ୍ଥିତି କ’ଣ ହୋଇଥାଆନ୍ତା କୁହାଯାଇ ପାରିବ ନାହିଁ। ରୋଗୀ ସଂପର୍କୀୟଙ୍କୁ ମାଡ଼ ଘଟଣାର ପ୍ରାଥମିକ ତଦନ୍ତ ଆଧାରରେ ଏହା କହିଛନ୍ତି ବୁର୍ଲା ଏସଡିପିଓ ଶିଶୁରଞ୍ଜନ ମହାପାତ୍ର। ଅପର ପକ୍ଷରେ ରବିବାରର ଘଟଣାରେ ବିଳମ୍ବରେ ହେଲେ ବି ପୀଡ଼ିତ ପକ୍ଷରୁ ଏତଲା ରୁଜୁ ହୋଇଛି। ସମଲେଶ୍ବରୀ ନର୍ସିଂହୋମରେ ଭର୍ତ୍ତି ରୋଗୀ ଠଣ ସୁନ୍ଦର ବେହେରାଙ୍କ ପୁଅ ମୁକେଶ ବେହେରାଙ୍କୁ ମାଡ଼ ଅଭିଯୋଗରେ ଡା. ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀ ଏବଂ ବୁର୍ଲା ଡାକ୍ତରଖାନାରେ ମୁକେଶ ଏବଂ ତାଙ୍କ ମାମୁଁ ପୁଅ ଭାଇ ଝସକେତନ ରାଉତଙ୍କୁ ମାଡ଼ ଅଭିଯୋଗରେ ଡାକ୍ତରୀ ଛାତ୍ରଙ୍କ ବିରୋଧରେ ଆଇପିସି ଧାରା ୫୦୬, ୩୨୩, ୩୪୧ ଏବଂ ୩୪ ଅନୁଯାୟୀ ବୁର୍ଲା ଥାନାରେ ମାମଲା ରୁଜୁ ହୋଇଛି। ରବିବାର ରାତିରୁ ଠଣସୁନ୍ଦର ଏତଲା ଦେଇଥିଲେ ବି ସୋମବାର ଏହା ଉପରେ ତଦନ୍ତ ଆରମ୍ଭ ହୋଇଛି। ସମ୍ବଲପୁର ଏସ୍‌ପି କନ୍‌ୱର ବିଶାଲ ସିଂହଙ୍କ ନିର୍ଦେଶରେ ବୁର୍ଲା ଏସଡିପିଓ ଶିଶୁରଞ୍ଜନ ମହାପାତ୍ର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀ ବେହେରାଙ୍କ ପରିଜନଙ୍କୁ ପୁଲିସ ପଚରାଉଚରା କରିଛି। ବୁର୍ଲା ଡାକ୍ତରଖାନାର ସିସିଟିଭି ଫୁଟେଜ ପାଇଁ ଆବେଦନ କରାଯାଇଛି। ସମଲେଶ୍ବରୀ ନର୍ସିଂହୋମର ସିସିଟିଭି ଜବତ କରା ଯାଇଥିବା କହିଛନ୍ତି ବୁର୍ଲା ଏସଡିପିଓ। ସେପଟେ ଡାକ୍ତରଙ୍କୁ ମାଡ଼ ଅଭିଯୋଗରେ ଦୁଇ ଯୁବକ କେସେଇବାହାଲ କଲେଜ ଛାତ୍ର ଝସକେତନ ରାଉତ ଏବଂ ପଞ୍ଚାୟତ ସମିତି କଲେଜ ଯୁକ୍ତ ୩ର ଅନ୍ତିମ ବର୍ଷ ଛାତ୍ର ମୁକେଶ ବେହେରାଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଇ ଦିଆଯାଇଛି। ସେମାନଙ୍କ ବିରୋଧରେ ଆଇପିସି ଧାରା ୧୮୬, ୩୫୩, ୪୨୭, ୫୦୬, ୩୦୭, ୪୪୮, ୨୯୪ ଏବଂ ୩୪ ସମେତ ମେଡିକାଲ ସର୍ଭିସ ଆଣ୍ଡ ଇନଷ୍ଟିଚ୍ୟୁସନ ଭାଓଲେସନ ଡେମେଜ ଆକ୍ଟ ୨୦୦୮ ଅନ୍ତର୍ଗତ ସେକ୍ସନ ୩ରେ ମାମଲା ରୁଜ୍ଜୁ କରାଯାଇଛି।

ଏହି ଏତଲା ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି। ପ୍ରଥମ ଦିନରେ ମୁଖ୍ୟତଃ ତିନିଟି ବିନ୍ଦୁ ଡାକ୍ତର ନର୍ସିଂହୋମ ଯାଇଥିଲେ କି, କେଉଁ ଡାକ୍ତରୀ ଛାତ୍ର ଉଭୟ ଯୁବକଙ୍କୁ ପିଟୁଥିଲେ ତଥା ଭାଇରାଲ ଭିଡିଓରେ କେଉଁମାନେ ଅଛନ୍ତି ଏହାକୁ ନେଇ ତଦନ୍ତ କରାଯାଉଛି। ଏ ନେଇ ବୁର୍ଲା ଏସଡିପିଓଙ୍କ ରିପୋର୍ଟ ଆଧାରରେ ମଙ୍ଗଳବାର ସୁଦ୍ଧା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସପି କହିଛନ୍ତି। ଏହି ମାମଲା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଉଥିବା ଡିଆଇଜି ହିମାଂଶୁଲାଲ କହିଛନ୍ତି।

ତଦନ୍ତ ପାଇଁ ଭିମ୍‌ସାରରେ କମିଟି ଗଠିତ

ରବିବାର ଭିମସାରରେ ଘଟିଥିବା ସମୁଦାୟ ଘଟଣାକୁ ନେଇ ଏକ କମିଟି ଗଠନ ହୋଇଛି। ଏଥିରେ ୨ ଜଣ ପ୍ରଫେସର ଏବଂ ଭିମସାର ପ୍ରଶାସନିକ ଅଧିକାରୀ ରହିଛନ୍ତି। ୨୪ ଘଣ୍ଟା ମଧ୍ୟରେ ଏହି ଘଟଣା ଉପରେ ରିପୋର୍ଟ ଦେବାକୁ କମିଟିକୁ କୁହା ଯାଇଥିବା ଭିମସାର ଅଧୀକ୍ଷକ ପ୍ରଫେସର ଜୟଶ୍ରୀ ଦୋରା କହିଛନ୍ତି।

ଆଜି ବୁର୍ଲା ଆସିବ ଓମ୍‌ସା ଦଳ

ସମ୍ବଲପୁର : ଭିମସାର ଡାକ୍ତର-ରୋଗୀ ପରିଜନ ଗଣ୍ଡଗୋଳ ଓ ମାଡ଼ପିଟ ଘଟଣାର ଅନୁଧ୍ୟାନ ପାଇଁ ଓମ୍‌ସାର ଏକ ୩ ଜଣିଆ ପ୍ରତିନିଧି ଦଳ ସମ୍ବଲପୁର ଓ ବୁର୍ଲା ଆସିବ ବୋଲି ସୂଚନା ମିଳିଛି। ମଙ୍ଗଳବାର ଏହି ଟିମ୍‌ ବିଭିନ୍ନ ପକ୍ଷ ସହ ଆଲୋଚନା କରିବ ବୋଲି ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe