ପଞ୍ଚାୟତ କାର୍ଯ୍ୟାଳୟର ଘର ଭଙ୍ଗାକୁ ନେଇ ଉତ୍ତେଜନା

Advertisment
ପଞ୍ଚାୟତ କାର୍ଯ୍ୟାଳୟର ଘର ଭଙ୍ଗାକୁ ନେଇ ଉତ୍ତେଜନା

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ବଡ଼ଜାମୁପଶି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଏକ ଗୃହକୁ ଜେସିବି ଲଗାଇ ଜଣେ ଠିକାଦାର ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।
ଗତ ୨୬ ତାରିଖ ସକାଳେ ଏ ସମ୍ପର୍କରେ ଜଣାପଡ଼ିବା ପରେ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ବୁଝିଥିଲେ। କୌଣସି ଉତ୍ତର ପାଇନଥିଲେ। ସରପଞ୍ଚଙ୍କୁ ଫୋନ୍‌ କରିବାକୁ ସେ ଉଠାଇ ନଥିଲେ କି ପଞ୍ଚାୟତ କାର୍ଯ୍ୟାଳୟକୁ ଆସିନଥିଲେ। ପିଇଓ ପଙ୍କଜ କୁମାର ବେହେରାଙ୍କୁ ପଚାରିବାରୁ ସେ କିଛି ଜାଣି ନଥିବା କହିଥିଲେ। ପରେ ବିଡିଓଙ୍କୁ ଗ୍ରାମର ସୁକୁମାର ନାଏକ, ଜଗବନ୍ଧୁ ପଦୁରିଆ, ମଙ୍ଗୁଳୁ ଦଳେଇ, ଗୋଲକ ଦାସ ପ୍ରମୁଖ ସାକ୍ଷାତ କରି ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥଲେ। ବିଡିଓ ତୁରନ୍ତ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କୌଣସି ନୂଆ କାମ ପାଇଁ କାହାରିକୁ ନିର୍ଦେଶ ଦିଆଯାଇ ନଥିବା କହିଥିଲେ। ଶେଷରେ ଲୋକେ ସଂପୃକ୍ତ ଠିକାଦାରଙ୍କ ନାମରେ ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ପୁଲିସ ଆଜି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କଲାବେଳକୁ ସ୍ଥିତି ପୂରା ଓଲଟି ଯାଇଥିଲା। ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନାଙ୍କ ହ୍ବାଟସଆପ୍‌କୁ ବିଡିଓ ଏକ କାର୍ଯ୍ୟାଦେଶ ପଠାଇଥିଲେ। ଯାହାକୁ ଥାନା ଅଧିକାରୀ ଉପସ୍ଥିତ ଲୋକଙ୍କୁ ଦେଖାଇଥିଲେ। ତେବେ ଉକ୍ତ କା‌ର୍ଯ୍ୟାଦେଶଟି ମାର୍ଚ୍ଚ ୧ର ବୋଲି ଜଣାପଡ଼ିଥିଲା। ତିନିମାସ ତଳୁ କାର୍ଯ୍ୟା‌ଦେଶ ଦିଆଯାଇଥିବା ବେଳେ ଘର ଭାଙ୍ଗିବା ପାଇଁ ପଞ୍ଚାୟତ ପକ୍ଷରୁ କାହିଁକି ପ୍ରସ୍ତାବ ଗ୍ରହଣ କରାଯାଇ ନଥିଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଏହାକୁ କେନ୍ଦ୍ରକରି କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଲାଗି ରହିଥିଲା। ଗତ ୧୫ ଦିନ ତଳେ ଖଣ୍ଟଘର ପଞ୍ଚାୟତ ତଣ୍ତିବେଡ଼ା ଏଭଳି ଏକ ନିର୍ମାଣ କାମକୁ ନେଇ ହଣାକଟା ହୋଇଥିଲା। ଏଥିରେ ଉଭୟ ଗୋଷ୍ଠୀରୁ ୧୦ରୁ ଅଧିକ ଲୋକ ଗିରଫ ହୋଇଥିଲେ। ବ୍ଲକ୍‌ ପ୍ରଶାସନର ଅସହଯୋଗ ଏଭଳି ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଆସନ୍ତାକାଲି ଥାନାକୁ ପଞ୍ଚାୟତ, ବ୍ଲକ୍‌ କର୍ତ୍ତୃପକ୍ଷ ଓ ଗ୍ରାମବାସୀଙ୍କୁ ଡକାଇ ଏହାର ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ ଶୁଭ୍ରକାନ୍ତ ଜେନା କହିଚନ୍ତି। ଏ ସମ୍ପର୍କରେ ବିଡିଓ ଭାଗବତ ପ୍ରସାଦ ମହାପାତ୍ରଙ୍କୁ ପଚାରିବାରୁ ସେ ଅଭିଯୋଗ ପାଇଥିବା ସ୍ବୀକାର କରିଛନ୍ତି। ଘଟଣାର ତଦନ୍ତ କରିବାକୁ ନିର୍ଦେଶ ଦେଇଥିବା କହିଛନ୍ତି। ତେବେ କାର୍ଯ୍ୟାଦେଶ ସମ୍ପର୍କରେ ପଚାରିବାରୁ ଗତକାଲି ସେ ଜାଣିନପାରି ଏଭଳି କହିଦେଇଥିଲେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe