ରାଜଗାଙ୍ଗପୁର: ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନାର ଖଣିକୁ ରାସ୍ତା ନିର୍ମାଣକୁ ନେଇ ବୁଧବାର ଲାଞ୍ଜିବେର୍ଣ୍ଣାରେ ଉତ୍ତେଜନା ଦେଖା ଦେଇଥିଲା। ପ୍ରଭାବିତ ଆଦିବାସୀ ଓ ପୁଲିସ ମୁହାଁମୁହିଁ ହୋଇଥିଲେ। ପ୍ରବଳ ଉତ୍ତେଜନା ମଧ୍ୟରେ ପୁଲିସ ୧୪ ଜଣଙ୍କୁ ଅଟକ ରଖିବା ପରେ ରାସ୍ତାକାମ ଆରମ୍ଭ ହୋଇଥିଲା। ଅପରାହ୍ଣରେ ରାଜଗାଙ୍ଗପୁର ବିଧାୟକ ଡ. ସିଏସ୍ ରାଜେନ ଏକ୍କା ଘଟଣାସ୍ଥଳରେ ପହଞ୍ଚି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି। ଅଟକ ୧୪ ଜଣଙ୍କୁ ତୁରନ୍ତ ଛାଡ଼ିଦେବା ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ନହେବା ଯାଏଁ କାମ ବନ୍ଦ ରଖିବାକୁ ସେ କହିବା ପରେ କାମ ବନ୍ଦ ରଖାଯାଇଛି। ଏବେ ବି ସେଠାରେ ଚାପା ଉତ୍ତେଜନା ରହିଛି।
PMGSY: ଯାତାୟାତ ଯନ୍ତ୍ରଣା ଅସହ୍ୟ, ନୂତନ ରାସ୍ତା ନିର୍ମାଣ ପାଇଁ ଦାବି
ପ୍ରଭାବିତ ଅଧିବାସୀଙ୍କ ବିରୋଧ ମଧ୍ୟରେ ପ୍ରଶାସନ ଖଣି ପାଇଁ ଲାଞ୍ଜିବେର୍ଣ୍ଣାର ୨୭.୨୬ ଏକର ଜମି କମ୍ପାନିକୁ ହସ୍ତାନ୍ତର କରିଥିବା ବେଳେ ବୁଧବାର ସକାଳେ ସେଠାରେ ରାସ୍ତା ନିର୍ମାଣ ପାଇଁ ବ୍ୟାପକ ପୁଲିସ ବଳ ମଧ୍ୟରେ ପ୍ରଶାସନ ଓ କମ୍ପାନି ଅଧିକାରୀ ପହଞ୍ଚିଥିଲେ। ସୂଚନା ପାଇବା ପରେ କେଶ୍ରମାଲ, ଝଗରପୁର, ଅଲଣ୍ଡା, ବିହାବନ୍ଧ, ଲାଞ୍ଜିବେର୍ଣ୍ଣା, ଖଟଙ୍ଗ, କୁକୁଡ଼ା ଆଦି ଅଞ୍ଚଳର ଆଦିବାସୀ ପ୍ରଜା ଆସି ରାସ୍ତା କାମକୁ ବିରୋଧ କରିଥିଲେ। ଫୋରମ୍ ଫର୍ ଗ୍ରାମସଭା କମିଟି ସଭାପତି ବିବୋଲ ଟପ୍ପୋ, ଆବାହକ ଆଲବର୍ଟ କିଣ୍ଡୋ, କେଶ୍ରମାଲ ସରପଞ୍ଚ ବିନୟ ଭୂଷଣ ବାର୍ଲା, ଝଗରପୁର ସରପଞ୍ଚ ଲଳିତ ଲାକଡ଼ାଙ୍କ ସମେତ ଅନ୍ୟମାନେ ବିନା ଗ୍ରାମସଭାରେ ଜମି ଅଧିଗ୍ରହଣ କରାଯାଇଥିବା ଅଭିଯୋଗ କରି ପ୍ରଶାସନ ସମସ୍ତ ତଥ୍ୟ ଲୋକଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ଜିଦ୍ କରିଥିଲେ। ପୁଲିସ ସେମାନଙ୍କୁ ଘଉଡ଼ାଇବା ସହ ଆଦିବାସୀ ନେତା ବେନେଡିକ ତିର୍କି, ମନୋହର ଟପ୍ପୋଙ୍କ ସମେତ ମୋଟ ୧୪ ଜଣଙ୍କୁ ନେଇ କୁତ୍ରା ଥାନାରେ ଅଟକ ରଖିଥିଲା। ପରେ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇଥିଲେ। ନୀତିନିୟମ ମଧ୍ୟରେ ଜମି ଅଧିଗ୍ରହଣ କରାଯାଇଛି ଓ କମ୍ପାନିକୁ କୌଣସି ଅନୁକମ୍ପା ପ୍ରଦର୍ଶନ କରାଯାଇନାହିଁ ବୋଲି ଜିଲ୍ଲା ପ୍ରଶାସନ କହିଛି।
Droupadi Murmu: ‘ଆୟୁଷ ବ୍ୟବସ୍ଥା ସାମଗ୍ରିକ ସୁସ୍ଥତା ପାଇଁ ବ୍ୟାପକ ଜୀବନଶୈଳୀ ଢାଞ୍ଚା ପ୍ରଦାନ କରେ’
ଅନ୍ୟପଟେ ଜମି ଅଧିଗ୍ରହଣକୁ ବେଆଇନ ଦର୍ଶାଇ ୨୦୨୨ରେ ଫୋରମ୍ ଫର୍ ଗ୍ରାମସଭା କମିଟି ସଭାପତି ବିବୋଲ ଟପ୍ପୋଙ୍କ ସମେତ ୧୧ ଜଣ ପ୍ରଭାବିତ ହାଇକୋର୍ଟରେ ଏକ ମାମଲା ଦାଏଲ କରିଥିଲେ। ମାମଲାରେ କୋର୍ଟ କମ୍ପାନି ସପକ୍ଷରେ ରାୟ ଦେଇଛନ୍ତି। ଏହା ଗାଁ ଲୋକଙ୍କୁ ଜଣାଅଛି ବୋଲି କମ୍ପାନିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଚେତନ ଶ୍ରୀବାସ୍ତବ କହିଛନ୍ତି। ଘଟଣାସ୍ଥଳରେ ସୁନ୍ଦରଗଡ଼ ଓ କେନ୍ଦୁଝରର ବରିଷ୍ଠ ପୁଲିସ ଅଧିକାରୀଙ୍କ ସମେତ ୧୨ ପ୍ଲାଟୁନ୍ ପୁଲିସ ବଳ ମୁତୟନ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଜମି ଅଧିଗ୍ରହଣକୁ ବିରୋଧ କରି ୫ଟି ପଞ୍ଚାୟତର ଲୋକେ ୨୦୨୫ ଡିସେମ୍ବର ଓ ଜାନୁଆରିରେ ଆନ୍ଦୋଳନ କରିଥିଲେ। ପୁଲିସ ସହ ମୁହାଁମୁହିଁ ହେବା ପରେ ପ୍ରତିବାଦରେ ୧୦ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/26/dghadgadgzvcvcv-2026-02-26-02-32-27.jpg)