Zee Business
ସରକାରୀ ଇଞ୍ଜିନିୟରିଂ କଲେଜର ସ୍ବତନ୍ତ୍ର ପରିଚାଳନା ବୋର୍ଡ ରହିବ
ବିପିୟୁଟି ଆଇନ୍ରେ ସଂଶୋଧନ ପ୍ରସ୍ତାବ ବିଧାନସଭାରେ ପାରିତ
ଭୁବନେଶ୍ବର : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି)ର କୁଳପତିଙ୍କ କାର୍ଯ୍ୟକାଳ ଆଉ ୫ ବର୍ଷ ରହିବ ନାହିଁ। ଅନ୍ୟ ସରକାରୀ ବିଶ୍ବବିଦ୍ୟାଳୟ ପରି ଏଠାରେ ମଧ୍ୟ କୁଳପତି ୪ ବର୍ଷ ପାଇଁ ନିଯୁକ୍ତି ପାଇବେ। ବିପିୟୁଟି ଅଧୀନରେ ଥିବା ସରକାରୀ ଇଞ୍ଜିନିୟରିଂ କଲେଜଗୁଡ଼ିକ ଏଣିକି ବିପିୟୁଟିର ‘କନ୍ଷ୍ଟିଚୁଏଣ୍ଟ୍ କଲେଜ’ ହୋଇ ରହିବେ ନାହିଁ। ସେମାନେ କେବଳ ବିପିୟୁଟିର ଅନୁବନ୍ଧିତ କଲେଜ ଭାବେ ବିବେଚିତ ହେବେ। ସେମାନେ ନିଜସ୍ବ ‘ବୋର୍ଡ ଅଫ୍ ଗଭର୍ଣ୍ଣର୍ସ’ ଦ୍ବାରା ପରିଚାଳିତ ହେବେ।
ଏମିତି କିଛି ବ୍ୟବସ୍ଥା ରଖାଯାଇ ବିପିୟୁଟି ଆଇନ୍-୨୦୦୨ରେ ସଂଶୋଧନ କରାଯାଇଛି। ବିପିୟୁଟିର ସୁପରିଚାଳନା ନିମନ୍ତେ କରାଯାଇଥିବା ଏହି ସଂଶୋଧନ ପ୍ରସ୍ତାବ ଆଜି ବିଧାନସଭାରେ ପାରିତ ହୋଇଛି। ସଂଶୋଧିତ ଅାଇନ୍ରେ ଥିବା ବ୍ୟବସ୍ଥା ଅନୁଯାୟୀ ପ୍ରଚଳିତ ସର୍ବଭାରତୀୟ ବ୍ୟବସ୍ଥା ଓ ଏଆଇସିଟିଇ ନିର୍ଦ୍ଦେଶ ଅନୁଯାୟୀ ପ୍ରଫେସର, ରିଡର୍ ଓ ଅଧ୍ୟାପକ ପଦବିଗୁଡ଼ିକୁ ଯଥାକ୍ରମେ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ଆସିଷ୍ଟାଣ୍ଟ୍ ପ୍ରଫେସର ଭାବେ ପୁନଃନାମିତ କରାଯାଇଛି। କୁଳପତି କିମ୍ବା ବିଶ୍ବବିଦ୍ୟାଳୟର କୌଣସି ଅଧିକାରୀଙ୍କ କାର୍ଯ୍ୟରେ ଭୁଲ୍ ପରିଲକ୍ଷିତ ହେଲେ କୁଳାଧିପତି ଏହାର ସଂଶୋଧନ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେଇପାରିବେ। ଛାତ୍ରଛାତ୍ରୀଙ୍କ ବିଶୃଙ୍ଖଳା ନିୟନ୍ତ୍ରଣ ନିମନ୍ତେ କୁଳପତିଙ୍କ ଦ୍ବାରା ଜଣେ ପ୍ରଫେସରଙ୍କ ଅଧ୍ୟକ୍ଷତାରେ ତିନି ଜଣ ସଦସ୍ୟ ବିଶିଷ୍ଟ ଅନୁଶାସନ କମିଟି ଗଠନ କରାଯିବ। ଉକ୍ତ ଅନୁଶାସନ କମିଟି ଆଦେଶ ବିରୋଧରେ କୁଳପତିଙ୍କୁ ଅପିଲ କର୍ତ୍ତୃପକ୍ଷ କରାଯାଇଛି। ବିଶ୍ବବିଦ୍ୟାଳୟ ଏହାର ବାର୍ଷିକ ରିପୋର୍ଟ ଆର୍ଥିକ ବର୍ଷ ଶେଷ ହେବାର ୬ ମାସ ମଧ୍ୟରେ ପ୍ରସ୍ତୁତ କରି ସରକାରଙ୍କ ନିକଟକୁ ବିଧାନସଭାରେ ଉପସ୍ଥାପନ ନିମନ୍ତେ ପ୍ରେରଣ କରାଯିବ।
Follow Us