ରୁଙ୍ଗ୍‌ଟା କମ୍ପାନିରେ ଭୟଙ୍କର ବିସ୍ଫୋରଣ

ଇଣ୍ଡକ୍ସନ କଏଲ୍‌ ଫାଟି ୨ ଆହତ, ତନାଘନା ଆରମ୍ଭ, କର୍ମଚାରୀଙ୍କ ଉପରେ ପଡ଼ିଲା ତରଳ ଲୁହା

ରୁଙ୍ଗ୍‌ଟା କମ୍ପାନିରେ ଭୟଙ୍କର ବିସ୍ଫୋରଣ

ମେରାମଣ୍ଡଳୀ/ବଅଁରପାଳ : ହିନ୍ଦୋଳ ବ୍ଲକ୍‌ ବାଲିମି ଥାନା ଅନ୍ତର୍ଗତ ତରକାବେଡ଼ା ନିକଟସ୍ଥ ରୁଙ୍ଗ୍‌ଟା ମାଇନ୍ସ ଲିମିଟେଡ୍ ଷ୍ଟିଲ କମ୍ପାନିରେ ଆଜି ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୨ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ବିଶେଷ କ୍ଷୟକ୍ଷତି ହୋଇ ନଥିବା ପ୍ରଶାସନ ଓ କମ୍ପାନି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ସୂଚନା ମୁତାବକ, ଆଜି ଅପରାହ୍‌ଣ ୧ଟା ସମୟରେ ପ୍ଲାଣ୍ଟ ପାଚେରିକୁ ଲାଗିଥିବା ଗ୍ରାମବାସୀ ଓ ଆଖପାଖ ଅଞ୍ଚଳର ଲୋକ ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଣିଥିଲେ। ଏହାସହ ପ୍ଲାଣ୍ଟ ପରିସର ଧୂଆଁମୟ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ପ୍ଲାଣ୍ଟର ‘ଏସ୍‌ଏମ୍‌ଏସ୍‌-୨ ଫେଜ୍ ବିର ୪ ନମ୍ବର ଇଣ୍ଡକ୍ସନ୍‌ ଫର୍ଣ୍ଣେସ୍‌ କଏଲ ଫାଟି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ଲୁହାପଥର ତରଳା ଯାଇଥାଏ। ହଠାତ୍ ମଧ୍ୟାହ୍ନ ସମୟରେ ପର୍ଣ୍ଣେସ୍‌ର ଜିଏଲ୍‌ଡି ଡ୍ରିପ୍‌ ହୋଇ ବନ୍ଦ ହୋଇ ଯାଇଥିବା ବେଳେ ଯନ୍ତ୍ରୀମାନେ ଏହାର ଯାଞ୍ଚ କରୁଥିଲେ। ଏହି ସମୟରେ ବିସ୍ଫୋରଣ ଘଟି ତରଳ ଲୁହାପଥର ବାହାରି ଆସିଥିଲା। ଫଳରେ ଅମିତ ଶ୍ରୀବାସ୍ତବ ନାମକ ଜଣେ କର୍ମଚାରୀଙ୍କ ସାର୍ଟରେ ଉତ୍ତପ୍ତ ଲୁହାପଥର ଛିଟିକି ପଡ଼ିଥିଲା। ତାଙ୍କର ସାର୍ଟ ପୋଡ଼ିଯାଇଥିବା ବେଳେ ସେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଅନ୍ୟ କର୍ମଚାରୀମାନେ ସେଠାରୁ ଦୌଡ଼ି ପଳାଇ ନିଜ ଜୀବନ ବଞ୍ଚାଇ ପାରିଥିଲେ। ପ୍ଲାଣ୍ଟ ଭିତରେ ଅନେକ ଅଣଓଡ଼ିଆ କର୍ମଚାରୀ କାମ କରୁଥିବାରୁ ଆହତ ଓ କ୍ଷୟକ୍ଷତି ନେଇ ଠିକ୍ ତଥ୍ୟ ବାହାରକୁ ଆସିବା ସମ୍ଭବ ହୋଇନାହିଁ।

ଖବର ପାଇ ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ବାଇଁ, ତହସିଲଦାର ସୁମନ୍ତ ମିଶ୍ର, ଏସଡିପିଓ ଦୀପକ ଜେନା ଓ ବାଲିମି ଥାନାଧିକାରୀ ଅମିତ ବିଶ୍ବାଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାରେ ୨ଜଣ ସାମାନ୍ୟ ଆହତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିଭଳି କମ୍ପାନିର ମାନବସମ୍ବଳ ବିଭାଗ ଡିଜିଏମ୍‌ ଅଜୟ କୁମାର ଦାସଙ୍କୁ ପଚାରିବାରେ କ୍ଷୟକ୍ଷତିର ଆନୁମାନିକ ଆକଳନ ୪୦ଲକ୍ଷ ଟଙ୍କା ହେବ ଓ କୌଣସି ମୃତାହତ ହୋଇ ନଥିବା କହିଥିଲେ। ସେପଟେ ତରକାବେଡ଼ା ସରପଞ୍ଚ ଝିଲି ସେଠୀ ଓ ଗାଲପଡ଼ା ସରପଞ୍ଚ ନର୍ମଦା ସେଠୀ ଘଟଣାସ୍ଥଳକୁ ଯାଇଥିଲେ ବି ସେମାନଙ୍କୁ ଭିତରକୁ ଛଡ଼ାଯାଇ ନଥିବା ଉଭୟ କହିଛନ୍ତି। ଏପରିକି ପ୍ରଶାସନିକ ଅଧିକାରୀଙ୍କ ସହ କମ୍ପାନି କର୍ତ୍ତୃପକ୍ଷ ରୁଦ୍ଧଦ୍ବାର ବୈଠକ କରିଥିଲେ ବି ସେମାନଙ୍କୁ ଡକାଯାଇ ନଥିବା କହିଛନ୍ତି। ପାରିପାର୍ଶ୍ବିକ ସ୍ଥିତି ଦେଖି ବଡ଼ ଦୁର୍ଘଟଣା ଘଟିଥିବା ଜଣାପଡ଼ିଥିବା ବେଳେ ଏହାକୁ ଚପାଇ ଦିଆଯାଉଥିବା ଉଭୟ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe