ପରୀକ୍ଷା ଫଳ ବାହାରି ଆଡ୍‌ମିସନ୍‌ ହେଲାଣି, ପୁଲିସ ଜଗିଛନ୍ତି +୨ ପ୍ରଶ୍ନପତ୍ର

Advertisment
ଯୁକ୍ତ୨ରେ ଖାଲିପଡ଼ିବ ଲକ୍ଷାଧିକ ସିଟ୍‌!

Representational image

କେସିଙ୍ଗା : ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରି ଯୁକ୍ତତିନି ଆଡ୍‌ମିସନ୍‌ ହେଲାଣି। ତଥାପି ନୋଡାଲ ସେଣ୍ଟରରେ ପୁଲିସ ବାହିନୀ ଯୁକ୍ତ ଦୁଇ ପ୍ରଶ୍ନପତ୍ର ଜଗି ରହିବା ଘଟଣା ସବୁଆଡ଼େ କୌତୁହଳର ବିଷୟ ହୋଇଛି। ପ୍ରଶ୍ନପତ୍ର ନୋଡାଲ ସେଣ୍ଟରରେ ପୁଲିସ କର୍ମଚାରୀ ବିନା କାରଣରେ ମାସ ମାସ ଧରି ପ୍ରଶ୍ନପତ୍ର ଜଗିବା ସଂପର୍କରେ ରବିବାର କଳାହାଣ୍ଡି ଗସ୍ତରେ ଆସିଥିବା ପୁଲିସ ଡିଜି ଶ୍ରୀ ଅଭୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେ ଘଟଣା ସମ୍ପର୍କରେ ପୂର୍ବରୁ ଅବଗତ ନଥିବାରୁ ସବୁ କଥା ଭଲ ଭାବେ ପଚାରି ବୁଝିଥିଲେ। ଏ ନେଇ ତାଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି।

ଯୁକ୍ତଦୁଇ ପରୀକ୍ଷା ସାରି ଫଳାଫଳ ବାହାରି ଯୁକ୍ତ ୩ ନାମ ଲେଖା ସରିବା ଉପରେ। କିନ୍ତୁ କିଛି ନୋଡାଲ ସେଣ୍ଟରରେ ଏବେ ବି ପୁଲିସ ଫୋର୍ସ ପ୍ରଶ୍ନପତ୍ର ଜଗି ରହିଛନ୍ତି। ଗୋଟିଏ ସେଣ୍ଟରରେ ୪ ଜଣ କନେଷ୍ଟବଳ ଓ ଜଣେ ହାବିଲଦାରଙ୍କୁ ଜଗିବା ଦାୟିତ୍ବ ଦିଆଯାଇଥିଲା। ଗତ ମାର୍ଚ୍ଚ ମାସରେ କୋଭିଡ୍‌ ପାଇଁ ତାଲା ବନ୍ଦ ପରେ ଶେଷ ଗୋଟିଏ ଦୁଇଟି ପରୀକ୍ଷା ବାତିଲ ହୋଇଥିଲା। ପରେ ଗଣଶିକ୍ଷା ବିଭାଗ ଅନ୍ୟ ବିଷୟର ମାର୍କକୁ ଦେଖି ହୋଇନଥିବା ପରୀକ୍ଷାର ମାର୍କ ଦେଇଥିଲେ। ଯେଉଁମାନେ ମାର୍କରେ ସନ୍ତୁଷ୍ଟ ନୁହନ୍ତି; ସେମାନେ ଆଉ ଥରେ ପରୀକ୍ଷା ଦେଇ ପାରିବେ ବୋଲି କହିଥିଲେ। ମାତ୍ର ଅଧିକାଂଶ କଲେଜର ଛାତ୍ରଛାତ୍ରୀ ଆଉ ପରୀକ୍ଷା ଦେଉନଥିବା ଜଣାପଡ଼ିଛି। ଇତିମଧ୍ୟରେ ଯୁକ୍ତ ୩ ନାମ ଲେଖା ସରିବା ଉପରେ। ଅଥଚ ବିନା ଆବଶ୍ୟକତାରେ ସାରା ରାଜ୍ୟରେ ଶହ ଶହ ପୁଲିସ କର୍ମଚାରୀ କୋଭିଡ୍‌ ସମୟରେ ଅନାବଶ୍ୟକ ପ୍ରଶ୍ନପତ୍ରକୁ ଜଗିବସିଛନ୍ତି। ଶିକ୍ଷାବିଭାଗ ଓ ପୁଲିସ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଏହିପରି ଅବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି। ଯୁବନେତା ଏ. ସୁରେଶ ବାବୁ ଏ ନେଇ ପ୍ରଶାସନର କାର୍ଯ୍ୟଶୈଳୀ ନେଇ ପ୍ରଶ୍ନ କରିଛନ୍ତି। ଗତକାଲି ଏ ନେଇ ସମ୍ବାଦରେ ଖବର ପ୍ରକାଶ ପରେ ବି ଆଜି ନୋଡାଲ ସେଣ୍ଟରରୁ ପୁଲିସ ହଟି ନ ଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe